ଭୁବନେଶ୍ଵର: ଆସନ୍ତାକାଲି ଇଣ୍ଡି ମେଣ୍ଟ ଦ୍ଵାରା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ଏମଏମଡିଆର ବିଧେୟକ ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଏମିତି ପ୍ରମୁଖ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ। ଏବେ କଂଗ୍ରେସର ବନ୍ଦ ଡାକରାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଟାକ୍ଷ କରିଛନ୍ତି। ବିରୋଧୀ ଯେତେ ଏକଜୁଟ ହେବେ ସରକାରୀ ଦଳ ସେତେ ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟସଭା ସାଂସଦ ତଥା ବିରୋଧୀ ଦଳ ନେତା ମନମୋହନ ସାମଲ କହିଛନ୍ତି ଯେ, ରଫୁ ସାର୍ଟକୁ ଯେତେ ସିଲେଇ କରି ପିନ୍ଧିଲେ ବି ସେ ଚିରିଯିବ। ଇଣ୍ଡିମେଣ୍ଟ ତଥା କଂଗ୍ରେସ ସହିତ ବିଜେଡି ମିଶିବା ଦରକାର। ବିରୋଧୀ ଯେତେ ଏକଜୁଟ ହେବେ ସରକାରୀ ଦଳ ସେତେ ଶକ୍ତିଶାଳୀ ହେବ। କାଲି ବନ୍ଦର ପ୍ରଭାବ କଣ ପଡ଼ିବ, ଜନତା ଦେଖିବେ। ବିରୋଧୀ ଭୁଲ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଭୁଲ ଭ୍ରାନ୍ତିରେ କିଛି ସମୟ ପାଇଁ ଲୋକଙ୍କୁ ଭ୍ରମିତ କରି ହେବ। ସବୁ ସମୟରେ ଭ୍ରମିତ କରି ହେବ ନାହିଁ। ଆଗରୁ ଖଣିରୁ କେତେ ଅର୍ଥ ମିଳୁଥିଲା, ବର୍ତ୍ତମାନ ଖଣିରୁ ଆମକୁ ୬୦ ହଜାର କୋଟି ମିଳୁଛି। ସତ୍ୟ ପ୍ରମାଣିତ ହୋଇ ସାରିଛି। ବିରୋଧୀ ସତ୍ୟକୁ ଲୁଚାଇଲେ ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ମନମୋହନ।










