28.1 C
Bhubaneswar
Friday, September 19, 2025
Homeଦେଶ ବିଦେଶମଣିପୁର ହିଂସା: ୪ ମାସରେ ୧୭୫ ମୃତ

ମଣିପୁର ହିଂସା: ୪ ମାସରେ ୧୭୫ ମୃତ

ଇମ୍ଫାଲ : ଗତ ୪ ମାସ ଭିତରେ ମଣିପୁର ଜାତିଆଣ ହିଂସାରେ ୧୭୫ ଜଣଙ୍କ ଜୀବନ ଗଲାଣି ଏବଂ ୯୬ଟି ମୃତ ଶରୀର ପଡ଼ିରହିଛି, ଯାହାକୁ ଏପର୍ଯ୍ୟନ୍ତ କେହି ଦାବି କରିନାହାନ୍ତି। ଗୁରୁବାର ମଣିପୁର ପୁଲିସ ମୃତ ଓ ଆହତମାନଙ୍କ ତଥ୍ୟ ପ୍ରଦାନ କରିବା ବେଳେ ଏହା କହିଛି। ଏଥିସହ ହିଂସା ସମୟରେ ଉତ୍ତ୍ୟକ୍ତ ଜନତା ଚୋରାଇ ନେଇଥିବା ଅସ୍ତ୍ରଶସ୍ତ୍ର ଭିତରୁ ମାତ୍ର ଏକଚତୁର୍ଥାଂଶ ଉଦ୍ଧାର ହୋଇପାରିଛି ବୋଲି ପୁଲିସ ପ୍ରକାଶ କରିଛି। ଇମ୍ଫାଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆଇଜି (ଅପରେସନ୍ସ) ଆଇକେ ମୁଇବାହଙ୍କ ସହ ଆଇଜିପି ଜୟନ୍ତ କୁମାର (ପ୍ରଶାସନ), ନିଶୀଥ କୁମାର ଉଜ୍ଜୱାଲ (ଇଣ୍ଟେଲିଜେନ୍ସ) ଓ ଆଇଜିପି (ଜୋନ୍ ୨) କେ କାବିବ ମୃତ୍ୟୁ ତାଲିକା ପଢ଼ିଥିଲେ। ଆଇଜି ମୁଇବାହ କହିଛନ୍ତି ଯେ, ୪ ମାସରେ ୧୭୫ ଜଣଙ୍କର ମୃତ୍ୟୁ ହୋଇଛି, ୧,୧୧୮ ଜଣ ଆହତ ହୋଇଛନ୍ତି ଏବଂ ୩୨ ଜଣ ନିଖୋଜ ଅଛନ୍ତି। ଏହି ଚାରିମାସରେ ଅତି କମ୍‌ରେ ୫,୧୭୨ଟି ଅଗ୍ନିକାଣ୍ଡ ମାମଲା ଘଟିଥିଲା, ଯେଉଁଥିରେ ୪,୭୮୬ ଘର ଏବଂ ୩୮୬ ଧାର୍ମିକ ସ୍ଥାନ (୨୫୪ଟି ଚର୍ଚ୍ଚ ଓ ୧୩୨ଟି ମନ୍ଦିର) ପୋଡ଼ାଯାଇଥିଲା। ହିଂସା ଆରମ୍ଭରୁ ରାଜ୍ୟ ଅସ୍ତ୍ରାଗାରରୁ ମୋଟ ୫,୬୬୮ଟି ଅସ୍ତ୍ରଶସ୍ତ୍ର ଚୋରି ହୋଇଥିଲା। ଏଥିମଧ୍ୟରୁ ୧,୩୨୯ଟି ଉଦ୍ଧାର ହୋଇଛି। ତା’ଛଡ଼ା ୧୫,୦୫୦ଟି ଗୁଳିଗୋଳା ଏବଂ ୪୦୦ ବୋମା ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ସୁରକ୍ଷା ବାହିନୀ ରାଜ୍ୟରେ ୩୬୦ରୁ ଅଧିକ ବେଆଇନ ବଙ୍କରକୁ ନଷ୍ଟ କରିଦେଇଛନ୍ତି ଏବଂ ଅନେକ ବାରିକେଡ୍‌କୁ ମଧ୍ୟ ହଟାଇ ଦିଆଯାଇଛି ବୋଲି ମୁଇବାହ କହିଛନ୍ତି। ସୂଚନାଯୋଗ୍ୟ, ମୈତେୟୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ବିରୋଧରେ କୁକି ସମ୍ପ୍ରଦାୟର ବିକ୍ଷୋଭ ପ୍ରଦର୍ଶନକୁ ନେଇ ଗତ ମେ ୩ ତାରିଖରୁ ଚୁରାଚାନ୍ଦପୁର ସହରରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking