ଯାଜପୁର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡ ଗୁମର ଖୋଲିବାକୁ ପୋଲିସର ଚେଷ୍ଟା ଜାରି ରହିଛି । ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲ ସମ୍ପାଦିକା ଶର୍ମିଷ୍ଠା ରାଉତକୁ ପୋଲିସ ଖୋଜୁଛି । ଗତ ୭ ତାରିଖ ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କୋଳିପାସି ଗ୍ରାମରେ ଶର୍ମିଷ୍ଠା ତାଙ୍କ ଶାଶୂ ଘରେ ପହଞ୍ଚି ଥିଲେ । ଶାଶୂଙ୍କୁ ମିଛ କହି ଦୁଇଦିନ ରହିଥିଲେ । ଅସହାୟ ପିଲାଙ୍କ ଉପରେ ଡକ୍ୟୁମେଣ୍ଟାରୀ ତିଆରି କୁରଥିବା କଥା କହି ସେ ଏଠାରେ ରହିଥିଲେ । ତେବେ ସୁଯୋଗ ପାଇ ସେଠାରୁ ସେ ଫେରାର ହୋଇଯାଇଥିଲେ । ଶର୍ମିଷ୍ଠା ଜଣେ ଉଗ୍ର ସ୍ୱଭାବ ବ୍ୟକ୍ତିତ୍ୱ ରହି ଆସିଛନ୍ତି । ସେ ତାଙ୍କ ଶାଶୂଙ୍କୁ ମଧ୍ୟ ମାରଧର କରୁଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଶାଶୂ ଶାନ୍ତି ଭୁବନେଶ୍ୱର ଛାଡ଼ି ଯାଜପୁର କାଳିଆପାଣି ଫେରି ଆସିଥିଲେ । ୨୦୧୮ରୁ ଶର୍ମିଷ୍ଠା ଶାଶୂଘର ସହ ସମ୍ପର୍କ ଛିନ୍ନ କରିଥିଲେ ।