ନୂଆଦିଲ୍ଲୀ : ଆଜିକାଲି ପ୍ରାୟ ପିଲା ରିଲ୍ସ ରେକର୍ଡ କରୁଛନ୍ତି। କେବଳ ଯୁବ ଗୋଷ୍ଠୀ ନୁହେଁ ପ୍ରାୟ ସବୁ ବର୍ଗର ଲୋକେ ରିଲ୍ସ କରିବାର ଦେଖାଦେଇଛି। ତେବେ ଇନଷ୍ଟାଗ୍ରାମରେ ରିଲ୍ସ କରିବାରୁ ମହିଳାଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ପୁଲିସ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ତାମିଲନାଡୁର ତିରୁପୁର ଜିଲ୍ଲାରେ ଘଟିଛି ଏଭଳି ଘଟଣା।
୩୮ ବର୍ଷିୟ ଅମୃତଲିଙ୍ଗମ୍ ତେନ୍ନମପଲୟମ୍ ପନିପରିବା ବିକ୍ରିକରି ପରିବାର ଚଳାନ୍ତି। ପତ୍ନୀ ଚିତ୍ରା ଏକ ପୋଷାକ କାରଖାନାରେ କାମ କରୁଥିଲେ। ଦୁହେଁ ସହରର ସେଲେମ ନାଗରରେ ଭଡା ଘରେ ରହୁଥିଲେ। ଅବସର ସମୟ ପାଇଲେ ଚିତ୍ରା ରିଲ୍ସ କରୁଥିଲେ। ଏମିତି କେବେ କେବେ ରିଲ୍ସ କରିବାରେ ସେ ଏତେ ମଜି ଯାଉଥିଲେ ଯେ ଦୈନନ୍ଦିନ କାମ ମଧ୍ୟ ବ୍ୟାହାତ ହେଉଥିଲା। ଯେଉଁଥିପାଇଁ ତାଙ୍କ ଉପରେ ବିରକ୍ତ ହେଉଥିଲେ ସ୍ବାମୀ। ଏହି କାରଣରୁ ଗତ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ କଳହ ଲାଗି ରହିଥିଲା। ଏନେଇ ଚିତ୍ରାଙ୍କୁ ଅନେକ ଥର ବାରଣ କରିଥିଲେ ସ୍ବାମୀ। କିନ୍ତୁ ସେ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନଥିଲେ।
କାରଣ ରିଲ୍ସ ଦ୍ବାରା ଇନଷ୍ଟାଗ୍ରାମରେ ଚିତ୍ରାଙ୍କର ଫଲୋଅର୍ସ ବଢୁଥିଲା। ଏମିତିକି ସେ ଅଭିନୟ ଜଗତରେ ମଧ୍ୟ ପାଦ ରଖିବାର ଯୋଜନା କରିଥିଲେ। ଖାସ୍ କରି ଏହି କାରଣରୁ ନିକଟରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହିଥିଲା। ଶେଷରେ ରାଗିଯାଇ ଅମୃତଲିଙ୍ଗମ୍ ଚିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ସୂଚନା ମିଳିଛି।