ନୂଆଦିଲ୍ଲୀ: ସ୍ୱାମୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ବ୍ୟଭିଚାରୀ ବୋଲି ଆଖ୍ୟା ଦେବା ଘୋର ନିଷ୍ଠୁରତା ସଦୃଶ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ଅଦାଲତ କହିଛନ୍ତି ଯେ ଏଭଳି କାର୍ଯ୍ୟ ଛାଡ଼ପତ୍ର ପାଇଁ ଆଧାର ପ୍ରଦାନ କରିଥାଏ । ଜଷ୍ଟିସ୍ ସୁରେଶ କୁମାର କୈତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ୱାମୀଙ୍କ ନିର୍ଯାତନା ଅଭିଯୋଗରେ ହୋଇଥିବା ଏକ ଆବେଦନର ଶୁଣାଣି କରି ଛାଡ଼ପତ୍ର ପାଇଁ ପରିବାର ଅଦାଲତଙ୍କ ଆଦେଶକୁ ବଜାୟ ରଖିଛନ୍ତି ।
ଦିଲ୍ଲୀ ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ଆବଶ୍ୟକ ସମୟରେ ପରସ୍ପରଠାରୁ ସମ୍ମାନ ଆଶା କରନ୍ତି ଏବଂ ସୁରକ୍ଷା ପାଚେରୀ ଭଳି କାମ କରନ୍ତି । ଖଣ୍ଡପୀଠଙ୍କ କହିବା ଅନୁଯାୟୀ, ଅନ୍ୟ ବ୍ୟକ୍ତିଙ୍କ ଚରିତ୍ର ଓ ସଚ୍ଚୋଟତାକୁ ନେଇ ବାରମ୍ବାର କଟାକ୍ଷ କରିବା ମାନସିକ ଯନ୍ତ୍ରଣା ସୃଷ୍ଟି କରିଥାଏ । ଅଦାଲତ ଏକ ଆଦେଶରେ କହିଛନ୍ତି ଯେ କୌଣସି ସଫଳ ବିବାହ ପାରସ୍ପରିକ ସମ୍ମାନ ଏବଂ ବିଶ୍ୱାସ ଉପରେ ଆଧାରିତ, କିନ୍ତୁ ଏହାର ଅଭାବହେଲେ ସମ୍ପର୍କର ଅନ୍ତ ନିଶ୍ଚିତ । କୋର୍ଟ ଉଲ୍ଲେଖ କରିଛନ୍ତି ଯେ, ଏହି ମାମଲାରେ ସ୍ୱାମୀଙ୍କୁ ତାଙ୍କ ପତ୍ନୀ ସର୍ବସାଧାରଣରେ ହଇରାଣ କରିବା ସହ ଅପମାନିତ କରିବା ସହ ଗାଳିଗୁଲଜ କରିଥିଲେ । ଅଫିସ ମିଟିଂ ସମୟରେ କର୍ମଚାରୀ ଓ ଅତିଥିଙ୍କ ସମ୍ମୁଖରେ ସ୍ୱାମୀଙ୍କୁ ନିନ୍ଦିତ କରିଥିଲେ । ଅଫିସ୍ ରେ ତାଙ୍କ ସ୍ୱାମୀଙ୍କୁ ଜଣେ ବ୍ୟଭିଚାରୀ ବ୍ୟକ୍ତି ଭାବରେ ଚିତ୍ରଣ କରିବାକୁ କୌଣସି ସୁଯୋଗ ଛାଡି ନଥିଲେ ।