26.1 C
Bhubaneswar
Tuesday, September 17, 2024
Homeଖେଳଲକ୍ଷ୍ନୌର କ୍ରମାଗତ ତୃତୀୟ ପରାଜୟ; ଦିଲ୍ଲୀର ପ୍ଲେଅଫ୍ ଆଶା କାଏମ୍‌

ଲକ୍ଷ୍ନୌର କ୍ରମାଗତ ତୃତୀୟ ପରାଜୟ; ଦିଲ୍ଲୀର ପ୍ଲେଅଫ୍ ଆଶା କାଏମ୍‌

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ ସିଜନ୍‌ରେ ଋଷଭ ପନ୍ତ୍‌ଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଧମାଲ କରିଛି । ଦିଲ୍ଲୀ ମଙ୍ଗଳବାର ଖେଳାଯାଇଥିବା ସିଜନ୍‌ର ୬୪ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ୧୯ ରନ୍‌ରେ ହରାଇ ଦେଇଛି । ପ୍ରଥମେ ଦିଲ୍ଲୀ ୨୦ ଓଭର୍‌ରେ ୪ ୱିକେଟ୍ ହରାଇ ୨୦୮ ରନ୍ କରିଥିଲା । ଜବାବରେ ଲକ୍ଷ୍ନୌ ୯ ୱିକେଟ୍ ବିନିମୟରେ ୧୮୯ ରନ୍ କରିବାକୁ ସମର୍ଥ ହୋଇଥିଲା । ପ୍ଲେଅଫ୍ ଦୃଷ୍ଟିରୁ ଏହା ଦିଲ୍ଲୀର କର ବା ମର ମ୍ୟାଚ୍ ଥିଲା । ଗ୍ରୁପ୍ ଷ୍ଟେଜ୍‌ରେ ଦିଲ୍ଲୀ ସମସ୍ତ ୧୪ ମ୍ୟାଚ୍ ଖେଳିସାରିଥିବା ବେଳେ ଏହା ଟିମ୍‌ର ସପ୍ତମ ବିଜୟ । ଏହି ବିଜୟ ସହ ଦିଲ୍ଲୀ ୧୪ ପଏଣ୍ଟ୍ ନେଇ ଟେବଲ୍‌ର ପଞ୍ଚମ ସ୍ଥାନରେ ପହଞ୍ଚିଛି । ଏବେ ଟିମ୍‌କୁ ପ୍ଲେଅଫ୍‌ରେ ପହଞ୍ଚିବା ପାଇଁ ସନ୍‌ରାଇଜର୍ସ ହାଇଦ୍ରାବା, ଚେନ୍ନାଇ ସୁପର୍ କିଙ୍ଗ୍‌ସ ଏବଂ ଲକ୍ଷ୍ନୌର ପରାଜୟ ପାଇଁ ପ୍ରାର୍ଥନା କରିବାକୁ ହେବ । ଏ ସମସ୍ତ ସତ୍ତ୍ୱେ ଦିଲ୍ଲୀର ପ୍ଲେଅଫ୍‌ରେ ପହଞ୍ଚିବା କଷ୍ଟକର । ଏହାର କାରଣ ଟିମ୍‌ର ଖରାପ ନେଟ୍ ରନ୍‌ରେଟ୍ । ଅନ୍ୟପକ୍ଷରେ ଲକ୍ଷ୍ନୌର ଏବେ ଆଉ ଏକ ମ୍ୟାଚ୍ ବାକି ଅଛି । ଲକ୍ଷ୍ନୌ ୧୩ ମ୍ୟାଚ୍‌ରୁ ୬ଟି ବିଜୟ ସହ ୧୨ ପଏଣ୍ଟ୍ ନେଇ ସପ୍ତମ ସ୍ଥାନରେ ରହିଛି । ତେବେ ଦିଲ୍ଲୀଠାରୁ ଏହି ଶୋଚନୀୟ ପରାଜୟ ଲକ୍ଷ୍ନୌ ଟିମ୍‌ର ଗଣିତ ପୂରାପୂରି ବିଗାଡ଼ି ଦେଇଛି । ଏହି ଯୋଗୁଁ ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହେଲେ ମଧ୍ୟ ଟିମ୍ ପ୍ଲେଅଫ୍‌ରେ ପହଞ୍ଚିବା କଷ୍ଟକର । ଏହାର କାରଣ ଖରାପ ରନ୍‌ରେଟ୍ ।

୨୦୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌ ୭୫ ରନ୍‌ର ସ୍କୋର୍‌ରେ ୫ ଶୀର୍ଷ ବ୍ୟାଟର୍‌ଙ୍କୁ ହରାଇଥିଲା । କ୍ୱିଣ୍ଟନ୍ ଡି କକ୍ ୧୨, କେଏଲ୍ ରାହୁଲ ୫, ମାର୍କସ୍ ଷ୍ଟୋଇନିସ୍ ୫, ଦୀପକ ହୁଡା ଶୂନ୍ୟ ଏବଂ ଆୟୁଷ ବଦୋନି ୬ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ନିକୋଲାସ୍ ପୂରନ୍ ଇନିଂସ୍ ସମ୍ଭାଳି ୬୧ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ ମଧ୍ୟ ମୁକେଶ କୁମାର ତାଙ୍କୁ ପ୍ୟାଭିଲିୟନ୍ ଫେରାଇ ଏଥିରେ ବ୍ରେକ୍ ଲଗାଇଥିଲେ । ତାଙ୍କ ୨୭ ବଲ୍‌ର ଇନିଂସ୍‌ରେ ୬ ଚୌକା ଓ ୪ ଛକା ସାମିଲ ଥିଲା । ଶେଷ ଆଡ଼କୁ ଅର୍ଶଦ ଖାନ୍ ୩୩ ବଲ୍‌ରେ ୩ ଚୌକା ଓ ୫ ଛକା ସହାୟତାରେ ଅପରାଜିତ ୫୮ ରନ୍ କରିଥିଲେ ମଧ୍ୟ ଟିମ୍‌କୁ ପିଜୟୀ କରାଇପାରି ନଥିଲେ । ଯୁଦ୍ଧବୀର ସିଂହ ୧୪ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ଈଶାନ୍ତ ଶର୍ମା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।

ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମରୁ ହିଁ ଓପ୍ନର୍ ଜ୍ୟାକ୍ ଫ୍ରେଜର-ମ୍ୟାକ୍‌ଗର୍କ (୦)ଙ୍କୁ ହରାଇଥିଲା । ଏହାପରେ ଅଭିଷେକ ପୋରେଲ୍ ଓ ଶାଇ ହୋପ୍ ଇନିଂସ୍ ସମ୍ଭାଳି ଦ୍ୱିତୀୟ ୱିକେଟ୍ ପାଇଁ ୯୨ ରନ୍‌ର ଭାଗୀଦାରି କରିଥିଲେ । ଶାଇ ହୋପ୍ ୨୭ ବଲ୍‌ରୁ ୩ ଚୌକା ଓ ୨ ଛକା ବଳରେ ୩୮ ରନ୍ କରି ରବି ବିଷ୍ଣୋଇଙ୍କ ବଲ୍‌ରେ ୱିକେଟ୍ ପଛରେ କ୍ୟାଚ୍ ହୋଇ ଫେରିଥିଲେ । ଏହାପରେ ୨୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ପୋରେଲ୍ ୫୮ ରନ୍‌ରେ ନବୀନ୍ ଉଲ୍ ହକ୍‌ଙ୍କ ଶିକାର ହୋଇଥିଲେ । ତାଙ୍କ ୩୩ ବଲ୍‌ର ଇନିଂସ୍‌ରେ ୫ ଚୌକା ଓ ୪ ଛକା ସାମିଲ ଥିଲା । କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ୨୩ ବଲ୍‌ରେ ୫ ଚୌକା ସହାୟତାରେ ୩୩ ରନ୍ କରି ନବୀନ୍ ଉଲ୍‌ଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଆଉଟ୍ ପୂର୍ବରୁ ସେ ଚତୁର୍ଥ ୱିକେଟ୍ ପାଇଁ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କ ସହ ୪୭ ରନ୍ ଯୋଗ କରିଥିଲେ । ଇତିମଧ୍ୟରେ ଅର୍ଦ୍ଧଶତକ ପୂରଣ କରିଥିବା ଷ୍ଟବ୍ସ ୫ମ ୱିକେଟ୍ ପାଇଁ ଅକ୍ଷର ପଟେଲ୍‌ଙ୍କ ସହ ୫୦ ରନ୍‌ର ଅପରାଜିତ ଭାଗୀଦାରି କରି ଟିମ୍‌ର ସ୍କୋର୍ ୨୦୮ ରନ୍‌ରେ ପହଞ୍ଚାଇଥିଲେ । ଷ୍ଟବ୍ସ ୨୫ ବଲ୍‌ରେ ୩ ଚୌକା ଓ ୪ ଛକା ଦମ୍‌ରେ ୫୭ ରନ୍ କରି ଅକ୍ଷର ପଟେଲ୍ (୧୪)ଙ୍କ ସହ ଅପରାଜିତ ରହିଥିଲେ । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ୍ ହକ୍ ୨ଟି ୱିକେଟ୍ ପାଇଥିବା ବେଳେ ବିଷ୍ଣୋଇ ଓ ଅର୍ଶଦ୍ ଖାନ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking