ଭୁବନେଶ୍ୱର: ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣି ଏକ ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ମାଟ୍ରିକ ପରୀକ୍ଷାରେ ଫେଲ୍ ହାର ହ୍ରାସ ଲାଗି ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ‘ମିଶନ ଜିରୋ ଏଫ୍’ । ଆସନ୍ତାଶିକ୍ଷା ବର୍ଷରୁ ଏହି ଯୋଜନାର ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେବ । ଯଦି ଏହା ସଫଳ ହୁଏ ତେବେ ୨୦୨୨-୨୩ ଲାଗି ଏହାକୁ ରାଜ୍ୟସ୍ତରରେ ଲାଗୁ କରାଯିବ । ଏନେଇ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟର କେଉଁ ସ୍କୁଲରେ କେତେ ଶିକ୍ଷକଙ୍କୁ ଅତିରିକ୍ତ ନିଯୁକ୍ତ କରାଯିବ ସେ ଦିଗରେ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ତେବେ ‘ମିଶନ ଜିରୋ ଏଫ୍’ ବା ମାଟ୍ରିକ ପରୀକ୍ଷାରେ ଏଫ୍ ଗ୍ରେଡ୍( ୩୩ ପ୍ରତିଶତରୁ କମ୍) ଯେପରି କୌଣସି ଛାତ୍ରଛାତ୍ରୀ ନରଖନ୍ତି ସେଥିଲାଗି ବିଭାଗ ପକ୍ଷରୁ ଉଦ୍ୟମ ହେଉଛି । ଏହି ମିଶନ କାର୍ଯ୍ୟକାରୀ କରିବା ପୂର୍ବରୁ ଏ ସମ୍ପର୍କରେ ଅଭିଭାବକ ଏବଂ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭାଗର ଏପରି ଯୋଜନାକୁ ସବୁ ସ୍ତରରେ ସ୍ୱାଗତ କରାଯାଉଥିବା ବେଳେ ଶିକ୍ଷକଙ୍କ ଦକ୍ଷତା ଏହା ଦ୍ୱାରା ସ୍ପଷ୍ଟ ହେବ ବୋଲି ଶିକ୍ଷାବିତ୍ମାନେ ପ୍ରକାଶ କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ଫେଲ୍ ପରିସଂଖ୍ୟାନ ହାର କମାଇବା ଲାଗି ଅଣ୍ଟା ଭିଡ଼ିଛି ବିଭାଗ । ଆପଣାଇଛି ‘ମିଶନ ଜିରୋ ଏଫ୍’ । ଏହି ମିଶନରେ କେହି ଫେଲ ହେବେନି । ତେବେ ଗତ ୫ବର୍ଷର ରିପୋର୍ଟକୁ ଅନୁଧ୍ୟାନ କରି ଯେଉଁ ଜିଲ୍ଲାରେ ପାସ୍ ହାର କମ୍ ରହୁଛି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ଏହି ମିଶନ କାର୍ଯ୍ୟକାରୀ କରାଯିବ । ତେବେ ପ୍ରାୟ ୧୭ଟି ଜିଲ୍ଲାରେ ଥିବା ପ୍ରାୟ ୩୧ହଜାର ସ୍କୁଲରେ ଏହା ଆରମ୍ଭ ହେବାର ବ୍ୟବସ୍ଥା କରାଯାଇଛି । ତେଣୁ ସମ୍ପୃକ୍ତ ସ୍କୁଲଗୁଡ଼ିକର ସବିଶେଷ ବିବରଣୀ ଦାଖଲ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ପରୀକ୍ଷାର ୬ମାସ ପୂର୍ବରୁ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଛୁଟି ସିଏଲ୍ ଦିଆଯିବ ନାହିଁ ।
ଦୈନିକ ଦେଢ଼ଘଣ୍ଟା ଅତିରିକ୍ତ ଶିକ୍ଷାଦାନ ସାଙ୍ଗକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅଧିକ ଗୁରୁତ୍ୱ ଦିଆଯିବ । ବିଶେଷକରି ସ୍କୁଲଗୁଡ଼ିକରେ ବିଷୟଭିତ୍ତିକ ଶିକ୍ଷକଙ୍କ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଇ ନିଯୁକ୍ତି କରିବାକୂୁ ମଧ୍ୟ ବିଭାଗ ପକ୍ଷରୁ ଏକପ୍ରକାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହାବ୍ୟତୀତ ଛୁଟିଦିନରେ ମଧ୍ୟ କ୍ଲାସ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟରେ ପ୍ରାୟ ୩ଲକ୍ଷ ୮୦ହଜାର ଛାତ୍ରଛାତ୍ରୀ ଦଶମରେ ପଢ଼ୁଥିବା ବେଳେ ଅତିରିକ୍ତ କ୍ଲାସ ପାଇଁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ ।
ଅପରପକ୍ଷେ ରାଜ୍ୟରେ ଅନେକ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକଶିକ୍ଷୟିତ୍ରୀ ନଥିବା ବେଳେ ଏଭଳି ମିଶନ ଆରମ୍ଭ କରିବାକୁ ବହୁ ଶିକ୍ଷାବିତ ଏବଂ ଶିକ୍ଷା ସଂଘର କର୍ମକର୍ତ୍ତା ନାପସନ୍ଦ କରିଛନ୍ତି । କିଛି ଶିକ୍ଷାବିତଙ୍କ କହିବା ଅନୁଯାୟୀ ରାଜ୍ୟରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ସଂଖ୍ୟା କମ୍ ଥିବା ବେଳେ ସ୍କୁଲରେ କେବଳ ଦଶମ ଶ୍ରେଣୀପିଲାଙ୍କ ଲାଗି ଅଧିକ ସମୟ ଶିକ୍ଷାଦାନ ବ୍ୟବସ୍ଥାରେ ଅନ୍ୟ ଶ୍ରେଣୀର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେବ । ତେବେ ବିଭାଗ ପକ୍ଷରୁ ଅଷ୍ଟମ ଏବଂ ନବମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ଅନୁଧ୍ୟାନ କରି ମେଧାବୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ବେଳେ ଦଶମରେ ଯଦି ଏହି ବ୍ୟବସ୍ଥା ଲାଗୁ କରାଯାଏ ତେବେ ମାଟ୍ରିକ ପରୀକ୍ଷା ଲାଗି ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ମେଧାବୀଙ୍କ ଲାଗି ବେଶ ସହାୟକ ହୋଇପାରିବ । ସେହିପରି ଏଫ୍ ଗ୍ରେଡ୍ ହାର ମଧ୍ୟ ହ୍ରାସ ପାଇବ।