37.1 C
Bhubaneswar
Thursday, March 28, 2024
Homeଓଡିଶାରୋକାଯିବ ବେଆଇନ୍ ଗଞ୍ଜେଇ ଚାଷ : ନିଆଯିବ ସାଟେଲାଇଟ୍ ଏବଂ ଡ୍ରୋନ୍‌ର ସହାୟତା

ରୋକାଯିବ ବେଆଇନ୍ ଗଞ୍ଜେଇ ଚାଷ : ନିଆଯିବ ସାଟେଲାଇଟ୍ ଏବଂ ଡ୍ରୋନ୍‌ର ସହାୟତା

ଭୁବନେଶ୍ୱର: ରାଜ୍ୟରେ ବେଆଇନ୍ ଗଞ୍ଜେଇ ଚାଷ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧିତ ରାଜ୍ୟସ୍ତରୀୟ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ କୁମାର ଲୋହନୀ ବେଆଇନ୍ ଗଞ୍ଜେଇ ଚାଷ ପ୍ରତିରୋଧ ସମ୍ବନ୍ଧିତ ଆଇନ୍ଗତ ଏବଂ କାର୍ଯ୍ୟାନ୍ୱୟନ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷାକରି ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଅଧିକ ଶାଣିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଏଥିପାଇଁ ପୁଲିସ୍‌, ଅବକାରୀ ଏମଂ ରାଜସ୍ୱ ବିଭାଗ ଅଧିକାରୀମାନେ କ୍ଷେତ୍ର ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜେଇ ଚାଷ ଅଞ୍ଚଳ ଚିହ୍ନଟ କରିବା ନିମନ୍ତେ ସାଟେଲାଇଟ୍ ଏବଂ ଡ୍ରୋନ୍ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଅନ୍ୟପକ୍ଷରେ ଗଞ୍ଜେଇ ଚାଷ ଉପରେ ନିର୍ଭର କରି ଚଳୁଥିବା ଗରିବ ପରିବାରମାନଙ୍କ ନିମନ୍ତେ ଲକ୍ଷ୍ୟଭେଦୀ ବିକଳ୍ପ ଜୀବିକା ନିର୍ବାହ ପନ୍ଥା ଓ ଯୋଜନାମାନ କାର୍ଯ୍ୟକାରୀ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଜୀବିକା ନିର୍ବାହ ମିଶନ୍‌, ଜାତୀୟ ଜୀବିକା ନିର୍ବାହ ମିଶନ୍‌, ମହାତ୍ମାଗାନ୍ଧି ନିଶ୍ଚିତ ରୋଜଗାର ସ୍କିମ୍‌, ଅର୍ଥକାରୀ ଫସଲ ଚାଷ, କୃଷିଜାତ ଦ୍ରବ୍ୟର ଏକତ୍ରୀକରଣ, ଫସଲ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ଅଣୁ ଓ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଗୋ-ପାଳନ, ଛେଳି ପାଳନ, କୁକୁଡ଼ା ଚାଷ, ସମନ୍ୱିତ କୃଷି ଆଦି ପ୍ରକଳ୍ପକୁ ଅଧିକରୁ ଅଧିକ ସଂଖ୍ୟାରେ ଅନୁମୋଦିତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ଗଞ୍ଜେଇ ଚାଷ ବିରୋଧରେ ଜନସଚେତନତା ଏବଂ ଜନମତ ସୃଷ୍ଟି ଉପରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଗୁରୁତ୍ୱ ଆରୋପ କରିଥିଲେ । ଗ୍ରାମ୍ୟ କମିଟି, ପଞ୍ଚାୟତିରାଜ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂସ୍ଥା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଏହି ଜନସଚେନତା ବୃଦ୍ଧି କାର୍ଯ୍ୟରେ ସାମିଲ୍ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଅଞ୍ଚଳମାନଙ୍କରେ ପୂର୍ବରୁ ଗଞ୍ଜେଇଚାଷ ହେବାର ସୂଚନା ଅଛି ସେସବୁ ଗ୍ରାମକୁ ଚାଷ ଋତୁ ଆରମ୍ଭରୁ ଯାଇ ଲୋକମାନଙ୍କୁ ବିକଳ୍ପ ଜୀବିକା ବିଷୟରେ ବୁଝାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ ଜଣାଇଥିଲେ ଯେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ଅନୁଗୁଳ ଓ ସମ୍ବଲପୁର ଆଦି ଜିଲ୍ଲାରେ ଗଞ୍ଜେଇଚାଷ ପ୍ରାୟ ବନ୍ଦ ହେବା ଆରମ୍ଭ ହୋଇଛି । ୨୦୧୯-୨୦ ମସିହାରେ ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନାଗିରି, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରାୟ ୧୫୯୦୦ ଏକରରେ ଗଞ୍ଜେଇ ଚାଷ ଅମଳ ପୂର୍ବରୁ ନଷ୍ଟ କରାଯାଇଥିଲା ।

୨୦୨୦-୨୧ ମସିହାରେ ସୂଚନା ସଂଗ୍ରହ କାର୍ଯ୍ୟକୁ ଅଧିକ ସଘନ କରାଯାଇ ୨୨,୨୧୭ ହେକ୍ଟରରୁ ଅଧିକ ଜମିରେ ଏହି ଫସଲ ନଷ୍ଟ କରାଯାଇଛି । ବୈଠକରେ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ୍ କୁମାର ଲୋହାନୀ, ପଞ୍ଚାୟତିରାଜ ଓ ପାନୀୟଜଳ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ର ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଏବଂ ଗଞ୍ଜେଇ ଚାଷ ପ୍ରତିରୋଧ ନିମନ୍ତେ ଜିଲ୍ଲା କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking