ବାଲେଶ୍ୱର : ବାଲିଆପାଳ ଥାନା ଅନ୍ତର୍ଗତ ଘଣ୍ଟୁଆ ପଞ୍ଚାୟତର ବଡ଼କସବା ଗ୍ରାମରେ ଗୁରୁବାର ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି । ଦଶବର୍ଷର ପରକୀୟା ପ୍ରୀତି ପରେ ପ୍ରେମିକାର ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରେମିକକୁ ଜଘନ୍ୟ ହତ୍ୟା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ମୃତକ ପ୍ରେମିକ ହେଲେ ବଡ଼କସବା ଗ୍ରାମର ତରୁଣ କୁମାର ପାତ୍ର(୩୮) । ସୂଚନାରୁ ପ୍ରକାଶ ତରୁଣର ନିଜ ଗ୍ରାମର ଜୈନିକା ବିବାହିତ ପ୍ରେମିକା ସନ୍ଧ୍ୟା ଜେନା(୩୦)ଙ୍କ ସହିତ ଦୀର୍ଘ ଦଶବର୍ଷରୁ ଅଧିକ ଦିନ ହେବ ଅନୈତିକ ସମ୍ପର୍କ ରହିଆସିଥିଲା। ଏ ନେଇ ବିଭିନ୍ନ ସମୟରେ ତରୁଣର ନିଜ ସ୍ତ୍ରୀ ଅଞ୍ଜଳି ପାତ୍ର ସହିତ ପାରିବାରିକ ଗଣ୍ଡଗୋଳ ଲାଗୁଥିଲା ।
ହେଲେ ତରୁଣ ନିଜର ଦୁଇଝିଅ ଏବଂ ସ୍ତ୍ରୀକୁ ବହୁତ ଭଲ ପାଉଥିଲେ ବୋଲି ତରୁଣ ସ୍ତ୍ରୀ କୁହନ୍ତି । ଅଳ୍ପ ଦିନ ହେବ ପ୍ରେମିକା ସନ୍ଧ୍ୟାର ଅନ୍ୟ ଏକ ପୁରୁଷ ବନ୍ଧୁ ସହିତ ସମ୍ପର୍କ ଆରମ୍ଭ ହେବା ଦେଖି ତରୁଣ ସନ୍ଧ୍ୟାକୁ ତାଗିଦ୍ କରିଥିଲେ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ତରୁଣ ବୁଧବାର ସନ୍ଧ୍ୟା ସମୟରେ ଘରୁ ବାହାରି ଯାଇଥିଲେ । ହେଲେ ରାତି ଯାଇ ସକାଳ ଯାଏ ଘରକୁ ଫେରି ନଥିଲେ । ବିଳମ୍ବିତ ରାତ୍ରୀରେ ପ୍ରେମିକା ସନ୍ଧ୍ୟା ଘର ଆଗରେ ପାଟିତୁଣ୍ଡ ହେଉଥିବା ଖବର ସକାଳେ ଅଞ୍ଜଳି ପଡୋଶୀଙ୍କ ଠାରୁ ଶୁଣିଥିଲେ। ଏ ନେଇ ଅଞ୍ଜଳି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ କ୍ରମେ ବାଲିଆପାଳ ଥାନା ଆଇଆଇସି ପର୍ଶୁରାମ ସାହୁ, ଏଏସ୍ଆଇ ଫକୀର ପ୍ରଧାନଙ୍କ ସହିତ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଓ ତରୁଣର ମୃତଦେହକୁ ଏକ ଧାନ ବିଲ ମଝିରୁ ଉଦ୍ଧାର କରିଥିଲେ । ଏ ବାବଦରେ ପ୍ରେମିକା ସନ୍ଧ୍ୟା ଜେନା, ସନ୍ଧ୍ୟାଙ୍କ ସ୍ୱାମୀ ରବିନ୍ଦ୍ର ଜେନା, ନୂଆ ପ୍ରେମିକ ଲିପୋନ ଦାସ୍କୁ ପୁଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଅଧିକ ତଦନ୍ତ ପାଇଁ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି ଏବଂ ବାଲେଶ୍ୱର ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।