40.1 C
Bhubaneswar
Thursday, April 25, 2024
Homeଓଡିଶାରାଜଧାନୀରେ କଙ୍ଗାରୁକୋର୍ଟ : ବନ୍ଧା ହେଲେ ୩ ମହିଳା

ରାଜଧାନୀରେ କଙ୍ଗାରୁକୋର୍ଟ : ବନ୍ଧା ହେଲେ ୩ ମହିଳା

ଭୁବନେଶ୍ୱର:  ପ୍ରାଚୀନକାଳରେ ପୋଲିସ ଏବଂ ଆଇନବ୍ୟବସ୍ଥା ନଥିଲା । ଗାଁ ମୁଖିଆ ସଭା ଡାକି ଅପରାଧର ବିଚାର କରି ଅଭିଯୁକ୍ତକୁ ଦଣ୍ଡିତ କରୁଥିଲେ । ହେଲେ ଏବେ ସମୟ ବଦଳିଯାଇଛି । ଦେଶରେ ପୋଲିସ ସମେତ ନ୍ୟାୟପାଳିକା ରହିଛି । ଏହାସତ୍ତ୍ୱେ ମଧ୍ୟ ବିଭିନ୍ନ ସ୍ଥାନରେ କଙ୍ଗାରୁକୋର୍ଟ ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏହା ଅଧିକାଂଶ ଦେଖିବାକୁ ମିଳୁଥିବାବେଳେ ଏବେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଯାଇଛି । ସାମାନ୍ୟ ପିଲାଙ୍କ ମଧ୍ୟରେ ଝଗଡ଼ାକୁ ନେଇ ନୟାପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହିରେ ୧୦୦ଜଣଙ୍କୁ ନେଇ ଏକ କଙ୍ଗାରୁକୋର୍ଟ(ସଭା)ବସିଥିଲା ।

ସେହି ସଭାରେ ଜଣେ ନାବାଳକଙ୍କୁ ଗାଳିଗୁଲଜ କରାଯିବା ସହ ତାଙ୍କ ଗୋଡ଼ର ଆଣ୍ଠୁ ତଳେ ଗୋଡ଼ି ରଖାଯାଇଥିଲା । ପରେ ତାଙ୍କୁ ଏକ ଘଣ୍ଟା ଆଣ୍ଠେଇବାକୁ କୁହାଯାଇଥିଲା । ଏହି ଘଟଣାରେ ନୟାପଲ୍ଲୀ ପୋଲିସ ସ୍ୱଂୟସହାୟକ ଗୋଷ୍ଠୀର ୩ଜଣ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳର କବିତା ଭୂୟାଁ(୩୮), ଭଞ୍ଜନଗର ଥାନା ଅଞ୍ଚଳର ଅନିତା ନାୟକ(୨୮) ଓ ଜଗତସିଂହପୁର ଜିଲ୍ଲା ବାଜପୁର ଅଞ୍ଚଳର ସରୋଜିନୀ ସାହୁ(୩୫) । ଏମାନେ ସମସ୍ତେ ସାଲିଆସାହି ଏକାମ୍ରବିହାର ବସ୍ତିରେ ରହୁଛନ୍ତି ।  ସୂଚନା ଅନୁଯାୟୀ, ସାଲିଆସାହି ମାରୁତିବିହାରରେ ବୈଜୟନ୍ତୀ ସେଠୀ ନାମ୍ନୀ ଜଣେ ମହିଳା ପରିବାର ସହ ରୁହନ୍ତି । ଗତ ୧୯ ତାରିଖ ରାତି ସାଢ଼େ ୮ଟାବେଳେ ବୈଜୟନ୍ତୀଙ୍କ  ପୁଅ ଅଜୁ (୧୪) ଓ ସ୍ଥାନୀୟ ଅଞ୍ଚଳର ରଞ୍ଜନ ରଣା ନାମକ ଜଣେ ନାବାଳକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା ।

ପରେ ଏହି ଝଗଡ଼ାକୁ ନେଇ ରଞ୍ଜନଙ୍କ ପରିବାରଲୋକ ଅଜୁଙ୍କୁ ମାଡ଼ ମାରିଥିଲେ । ଏହାପରେ ବୈଜୟନ୍ତୀ ପୁଅକୁ ସେଠାରୁ ଉଦ୍ଧାର କରି ଘରକୁ ନେଇଥିଲେ । ଏହି ଘଟଣାକୁ ନେଇ ବସ୍ତିରେ ହୋହହ୍ଲା ହେବା ସହ ଅଶାନ୍ତ ବାତାବରଣ ସୃଷ୍ଟିହୋଇଥିଲା । ତେବେ ଅଜୁଙ୍କ ପରିବାରକୁ ଦଣ୍ଡ ଦେବା ପାଇଁ ରଞ୍ଜନଙ୍କ ପରିବାର ଯୋଜନା କରିଥିଲେ । ଏଥିପାଇଁ ବସ୍ତିର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଶହେ ଟଙ୍କା ଦେଇ ବୈଠକ ଡକାଇଥିଲେ । ଏକାମ୍ରବିହାରରେ ଥିବା ହନୁମାନ ମନ୍ଦିର ପିଣ୍ଡିରେ ୧୦୦ରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହାପରେ ଅଭିଯୁକ୍ତମାନେ ବୈଜୟନ୍ତୀ ଓ ଅଜୁଙ୍କୁ ଡକାଇଥିଲେ । ପରେ ଅଜୁଙ୍କୁ ସଭାମଝିରେ ଆଣ୍ଠୁଆ ବସାଇବା ସହ ତାଙ୍କ ଆଣ୍ଠୁତଳେ ଗୋଡ଼ି ରଖିଦେଇଥିଲେ । ୧ଘଣ୍ଟା ଧରି ଅଜୁ ଆଣ୍ଠୁଆ ବସିବା ସହ ଲଜ୍ଜିତ ହୋଇଥିଲେ ।

ଖାଲି ଏତିକି ନୁହେଁ, ଗିରଫ ଅଭିଯୁକ୍ତମାନେ ବୈଜୟନ୍ତୀଙ୍କୁ ଗାଳିଗୁଲଜ କରିଥିଲେ । ଏହାସହ ପରବର୍ତ୍ତୀ ସମୟରେ ଯଦି ଝଗଡ଼ା ହୁଏ, ତା’ହେଲେ ତୁମ ପରିବାରକୁ ବାସନ୍ଦ କରାଯିବା ସହ ୫୫୦୦ଟଙ୍କା ଜୋରିମାନା ଦେବାକୁ ହେବ ବୋଲି ଅଭିଯୁକ୍ତମାନେ ଚେତାବନୀ ଦେଇଥିଲେ । ଏହି ଘଟଣାକୁ ନେଇ ଅଜୁ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ । ଏମିତିକି ଆତ୍ମହତ୍ୟା କରିବା ନେଇ ମଧ୍ୟ ଚିନ୍ତା କରିଥିଲେ। ସଭା ମଝିରେ ଲଜ୍ଜିତ ହେବା ତାଙ୍କୁ ବହୁତ୍ କଷ୍ଟ ଦେଇଥିଲା ।

ଶେଷରେ ବୈଜୟନ୍ତୀ ଘଟଣା ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୋଲିସ  ଘଟଣାର ତଦନ୍ତ କରିବାକୁ ଏକାମ୍ରବିହାର ବସ୍ତିକୁ ଯାଇଥିଲା । ସେଠାରୁ ୩ମହିଳାଙ୍କୁ ପୋଲିସ ଗିରଫ କରି ଥାନାକୁ ଆଣିଥିଲା । ପଚରାଉଚରା କରିବାରୁ ସେମାନେ ଦୋଷ ସ୍ୱୀକାର କରିଥିଲେ ।

ଥାନା ଆଗରେ ହୋହହ୍ଲା
ଏକାମ୍ରବିହାର ବସ୍ତିରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଆତଙ୍କ ଖେଳାଉଛନ୍ତି । ଲୋକଙ୍କ ଉପରେ ତାଲିବାନୀ ଶାସନ ଚଳାଇବା ସହ ଜୋରିମାନା ଆଦାୟ କରୁଛନ୍ତି । ନାବାଳିକାଙ୍କୁ ଦଣ୍ଡ ଦେବା ଘଟଣାରେ ପୋଲିସ ୩ମହିଳାଙ୍କୁ ଗିରଫ କରିବାରୁ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ତାତିଯାଇଥିଲେ । ଏମିତିକି ବସ୍ତିରେ ପାଟିତୁଣ୍ଡ କରିବା ସହ ଥାନା ସମ୍ମୁଖରେ ହୋହହ୍ଲା କରିଥିଲେ । ଥାନାଧିକାରୀ ଶରତ ସାହୁ ସେମାନଙ୍କୁ ବୁଝାସୁଝା କରିବାରୁ ସେଠାରୁ ଉଠିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking