ରାଇରଙ୍ଗପୁର : ପ୍ରେମ ନେଲା ଜୀବନ । ଜୀବନ ହାରିଲେ ନାବାଳିକା ପ୍ରେମିକା , ଆଉ ବନ୍ଧା ହେଲା ବିବାହିତ ପ୍ରେମିକ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଭାଲୁବସା କାଜୁ ଜଙ୍ଗଲରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାର ରହସ୍ୟ ଏବେ ଉନ୍ମୋଚନ ହେବାରେ ଲାଗିଛି । ନାବାଳିକା ଜଣକ ପ୍ରେମ ପାଇଁ ଜୀବନ ହାରିଥିବା ବେଳେ ମୃତ୍ୟୁ ପାଇଁ ପ୍ରେମିକ ଦାୟୀ ବୋଲି ଜଣାପଡିଛି । ଭାଲୁବସା ବୁଡାମରା ଅଂଚଳର କୃଷ୍ଣ ଚନ୍ଦ୍ର କାରୁଆଙ୍କ ଅଲିଅଳି ଝିଅ ସନ୍ଧ୍ୟା କାରୁଆ । ସନ୍ଧ୍ୟା ଭାଲୁବସା ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ଗରିବ ବାପା ମା ଙ୍କ ସ୍ୱପ୍ନ ଥିଲା ତାଙ୍କ ଝିଅ ପାଠ ପଢି ସେମାନଙ୍କ ପାଇଁ ଆଶା ବାଡ଼ି ସାଜିବ । ତେଣୁ କଷ୍ଟକରି ଝିଅଙ୍କୁ ପାଠ ପଢ଼ାଉଥିଲେ । ତେବେ ସେହି ଭିତରେ ଝିଅ ସନ୍ଧ୍ୟାଙ୍କୁ ଭୁଲବେଡ଼ା ଗ୍ରାମର ଅମୂଲ୍ୟ ପାତ୍ର ନାମକ ଜଣେ ବିବାହିତ ଯୁବକ ପ୍ରେମ କରିବାକୁ ବସିଲେ ।
ଆଉ ସନ୍ଧ୍ୟା ତା ପ୍ରେମରେ ଏତେ ପାଗଳ ହୋଇଯାଇଥିଲେ ଯେ ପ୍ରେମିକ ଜଣକ ୪ଛୁଆର ବାପା ଜାଣିବା ପରେ ମଧ୍ୟ ପରିବାରକୁ ପଛରେ ପକେଇ ନିଜ ପ୍ରେମିକ ସହ ସୁନାର ସଂସାର ଗଢିବା ସ୍ୱପ୍ନ ଦେଖି ଆଉ ପଛକୁ ଚାହିଁ ଦେଖି ନଥିଲେ । କିନ୍ତୁ ଯୁବକ ଜଣକ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସିନା ରଖିଲେ କିନ୍ତୁ ବୋହୁ କରି ଘରକୁ ନେଇ ନଥିଲେ । ପରିବାର ଲୋକେ ପୋଲିସର ସହାୟତା ଲୋଡ଼ିବାରୁ ସନ୍ଧ୍ୟାକୁ ଫେରାଇ ଆଣିଥିଲେ ପୋଲିସ । କିନ୍ତୁ ମେ ୪ ତାରିଖ ସନ୍ଧ୍ୟା ସମୟରୁ ଝିଅ ସନ୍ଧ୍ୟା ଯେଉଁ ନିଖୋଜ ହେଲେ ତାପର ଦିନ ଶବ ହୋଇ ଘରକୁ ଫେରିଲେ ! କାଜୁ ଜଙ୍ଗଲ ନିକଟରେ ମୃତ୍ୟଦେହ ଝୁଲୁଥିବା ଦେଖି ଫାଟି ଉଠିଥିଲା ବାପା ମାଙ୍କ ଛାତି ।ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଆରମ୍ଭ କରିଦେଲା ତନାଘନା , ସାଇଣ୍ଟିଫିକ ଟିମ ପହଞ୍ଚି ଜାରି କଲା ତଦନ୍ତ ।