17.1 C
Bhubaneswar
Monday, November 25, 2024
Homeଏକ୍ସକ୍ଲୁସିଭ୍ଲକଡାଉନ୍ ଛଡ଼ାଇନେଇଛି ଆହାର : ଭୋକ ଉପାସରେ ଟ୍ରଲି ଚାଳକ

ଲକଡାଉନ୍ ଛଡ଼ାଇନେଇଛି ଆହାର : ଭୋକ ଉପାସରେ ଟ୍ରଲି ଚାଳକ

ଅନୁଗୁଳ : କରୋନା ଲକଡାଉନ୍ ଯୋଗୁଁ ଏବେ ଦୁର୍ଦ୍ଦିନରେ ଟ୍ରଲି ରିକ୍ସା ଚାଳକ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରଲିରେ ବସି ବସି ଦିନ କଟୁଛି । ଭଡ଼ାଟିଏ ମିଳୁନି । ଦି ପଇସା ରୋଜଗାର ହେଉନି । ଫଳରେ ଶହ ଶହ ଟ୍ରଲି ଚାଳକଙ୍କ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ।
ସୂଚନା ଅନୁଯାୟୀ, ଲକଡାଉନ୍ ପରେ ଗାଡ଼ି ମୋଟର ଚାଲିବା କମି ଯାଇଛି । ନିର୍ମାଣ କାମ ମଧ୍ୟ ଧିମେଇ ଯାଇଛି । ଫଳରେ ଜିନିଷ ପତ୍ର ନେବା ପାଇଁ ଆଉ ସେମାନଙ୍କୁ କେହି ଡାକୁ ନାହାନ୍ତି । ଏହାର ପ୍ରଭାବ ସେମାନଙ୍କ ଜୀବିକା ଉପରେ ପଡିଛି । ଅନୁଗୁଳ ସହରରେ ପ୍ରାୟ ୧୦୦ରୁ ଅଧିକ ଟ୍ରଲି ଚାଳକ ଅଛନ୍ତି । ସେମାନେ ରାତି ପାହିଲେ ବଜାର, ବସଷ୍ଟାଣ୍ଡ ଓ ବିଭିନ୍ନ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ଆଗରେ ନିଜ ନିଜର ଟ୍ରଲି ଧରି ପହଞ୍ଚି ଯାଆନ୍ତି । ଜଣକୁ ଦୈନିକ ୪/୫ଟି ଭଡ଼ା ମିଳିଯାଏ । ଦେଖିବାକୁ ଗଲେ ଦିନକୁ ଜଣେ ୨ଶହରୁ ୩ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିନ୍ତି । ସେତିକିରେ ସେମାନଙ୍କ ପରିବାର ଚାଲେ । ହେଲେ ଏବେ ପ୍ରାୟ ୨ ମାସ ହେଲା ପରିସ୍ଥିତି ବିଗିଡି ଯାଇଛି । ଲକ୍ ଡାଉନ୍ ଯୋଗୁଁ ଯାତ୍ରୀବାହୀ ଗାଡି ଚଳାଚଳ ହେଉନାହିଁ । ନିର୍ମାଣ କାମ ସେତେଟା ଆଗେଇ ନଥିବାରୁ ସିମେଣ୍ଟ, ଛଡ ଓ ଅନ୍ୟାନ୍ୟ ଜିନିଷର ଆବଶ୍ୟକ ପଡୁନି । ଟ୍ରାନ୍ସପୋର୍ଟ ଗୁଡିକରେ ମଧ୍ୟ ଜିନିଷ ପତ୍ର ପରିବହନ ହେଉ ନାହିଁ । ଫଳରେ ଟ୍ରଲି ଚାଳକଙ୍କୁ କାମ ନାହିଁ । ଟଙ୍କାଟିଏ ରୋଜଗାର ହେଉ ନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ଅନୁଗୁଳ ସହରର ହୁଲୁରିସିଂହା, ନଖରା ସାହି, ହାତୀଶାଳପଡା ଓ ମାଟିଆ ସାହି ଅଞ୍ଚଳରେ ଶତାଧିକ ଟ୍ରଲି ଚାଳକ ବସବାସ କରୁଛନ୍ତି । କାମ ମିଳୁ ନଥିବାରୁ ଅଧିକାଂଶ ନିଜ ନିଜର ଟ୍ରଲି ଘର ଆଗରେ ଠିଆ କରି ଦେଇଛନ୍ତି । କେହି କେହି ଦୀର୍ଘ ଦିନ ହେଲା ରାସ୍ତା କଡରେ ରଖି ଦେଇଛନ୍ତି । ଫଳରେ ଅନେକ ଟ୍ରଲି ଏବେ ଭାଙ୍ଗି ରୁଜି ନଷ୍ଟ ହେବାକୁ ବସିଲାଣି । ଏଭଳି ପରିସ୍ଥିତିରେ ସେମାନେ କଣ କରିବେ କିଛି ଭାବି ପାରୁନାହାନ୍ତି । ସେମାନଙ୍କର ନା ଅଛି ଚାଷ ନା ଅନ୍ୟ କିଛି ବେଉସା । କେବଳ ଟ୍ରଲି ଟାଣିଲେ ଚୁଲି ଜଳେ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଚାଉଳ ଓ ଅନ୍ୟାନ୍ୟ ଜିନିଷରେ ଗଣ୍ଡେ ଖାଇ ବଞ୍ଚି ହେବ ସିନା ହେଲେ ଅନ୍ୟ ଖର୍ଚ୍ଚ କେମିତି ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦେଖିବାକୁ ଗଲେ ଏମାନେ ନା ଶ୍ରମିକ ଭାବେ ସରକାରୀ ଖାତାରେ ସ୍ଥାନ ପାଇଛନ୍ତି ନା କୌଣସି ବେସରକାରୀ କର୍ମଚାରୀ ବର୍ଗରେ । ତେଣୁ କେବଳ ଗଣ୍ଡେ ଚାଉଳକୁ ଛାଡିଦେଲେ ଆଉ କିଛି ସହାୟତା ପାଇ ପାରୁ ନାହାନ୍ତି । ତୁରନ୍ତ ସରକାର ଏହି ଟ୍ରଲି ଚାଳକମାନଙ୍କ ଦୁଃଖ ବୁଝିବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking