ଆଠଗଡ : ଆଠଗଡ ଅବକାରୀ ବିଭାଗ ପକ୍ଷରୁ ଶନିବାର ରାତିରେ ଖୁଣ୍ଟକଟାର ଅଂଶୁପା ଛକ ନିକଟରୁ ଏକ କାରରେ ୬୬୦ଲିଟର ମଦ ଚାଲାଣ ହେଉଥିବାବେଳେ ତାକୁ ଜବତ କରାଯାଇଛି। ଏଥିରେ ସଂପୃକ୍ତ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟଜଣେ ଚମ୍ପଟ ମାରିଥିବା ଜଣାପଡିଛି। ଜିଲ୍ଲା ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା, ଆଠଗଡ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ ଓ ଉପନିରୀକ୍ଷକ ସୌମ୍ୟରଞ୍ଜନ ମାଝି ଅନ୍ୟ କର୍ମଚାରୀଙ୍କ ସହ ଅଂଶୁପା ଛକର ତାରିଣୀ ମନ୍ଦିର ନିକଟରେ ଜଗି ରହିଥିଲେ।
ଏହି ସମୟରେ ଏକ କାରରେ ଭିରୁଡାରୁ ବାଙ୍କୀ ଅଭିମୁଖେ ମଦ ଚାଲାଣ କରୁଥିବାବେଳେ ତାକୁ ଗୋଡାଇ ଧରିଥିଲେ। ଗାଡିରେ ଥିବା ଜଣେ ବ୍ୟକ୍ତିଙ୍କୁ କାବୁ କରିଥିବାବେଳେ ଅନ୍ୟଜଣେ ଅନ୍ଧାରର ସୁଯୋଗ ନେଇ ଦୌଡି ଫେରାର ହୋଇଯାଇଥିଲା। କାର ସହିତ ସେଥିରେ ଥିବା ୬୬୦ଲିଟର ସଦ୍ୟପ୍ରସ୍ତୁତ ଦେଶୀମଦ ଜବତ କରାଯାଇଥିଲା। ଗିରଫ ହୋଇଥିବା ମଦ ବ୍ୟବସାୟୀ ଜଣଙ୍କ ହେଲେ କନ୍ତପହଁରା ପଞ୍ଚାୟତ ଅନ୍ତର୍ଗତ ଘୋଳପୁର ଗ୍ରାମର ଶିବାନୀ ମହାରଣା ବୋଲି ଜଣାପଡିଛି ଏବଂ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ସୁତ୍ରରୁ ପ୍ରକାଶ।