ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ଭାରତରେ ହାଲୁକା ଲଢୁଆ ବିମାନର ଇଞ୍ଜିନ ପ୍ରସ୍ତୁତ ହେବାକୁ ଯାଉଛି। ଏଲ୍ସିଏ ମାର୍କ ୨ (ତେଜସ ଏମକେ ୨) ଏବଂ ସ୍ବଦେଶୀ ଆଡଭାନ୍ସଡ ମିଡିୟମ କମ୍ବାଟ ଏୟାରକ୍ରାଫ୍ଟ (ଏଏମ୍ସିଏ)ର ପ୍ରଥମ ଦୁଇଟି ସ୍କ୍ବାଡ୍ରନର ଇଞ୍ଜିନ ନିର୍ମାଣ କରାଯିବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆରଡିଓ)ର ପ୍ରମୁଖ ଡ. ସମୀର ଭି କାମତ କହିଛନ୍ତି ଯେ ଆମେରିକା କମ୍ପାନୀ ଜିଇ ଏରୋସ୍ପେସ ଏବଂ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ହାଲ) ମିଶି ଏହି ଇଞ୍ଜିନ ପ୍ରସ୍ତୁତ କରିବେ। ଆମେରିକା ଏଥିପାଇଁ ମଞ୍ଜୁରି ଦେଇଛି। ଚଳିତ ବର୍ଷ ଅଗଷ୍ଟ ୩୦ରେ ଏଲ୍ସିଏ ମାର୍କ ୨ ଲଢୁଆ ବିମାନର ନିର୍ମାଣକୁ କ୍ୟାବିନେଟ ସୁରକ୍ଷା କମିଟି (ସିସିଏସ୍) ମଞ୍ଜୁରି ଦେଇଥିଲା। ଏହି ବିମାନ ପର୍ଯ୍ୟାୟକ୍ରମେ ମିରାଜ ୨୦୦୦, ଜାଗୁଆର ଏବଂ ମିଗ୍-୨୯ ଲଢୁଆ ବିମାନର ସ୍ଥାନ ନେବ। ୨୦୨୭ ସୁଦ୍ଧା ଏଲ୍ସିଏ ମାର୍କ-୨ ବିମାନର ନିର୍ମାଣ କରାଯିବ।
ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସିର ମୁଖ୍ୟ ଗିରୀଶ ଦେଓଧରେ କହିଛନ୍ତି ଯେ ଏଲ୍ସିଏ ମାର୍କ ୨ ଲଢୁଆ ବିମାନ ପ୍ରକଳ୍ପକୁ ସରକାର ମଞ୍ଜୁରି ଦେଇଛନ୍ତି। ଏଥିପାଇଁ ଡିଜାଇନର୍ସଙ୍କୁ ୧୭.୫ ଟନ୍ର ସିଙ୍ଗିଲ ଇଞ୍ଜିନ ଏୟାରକ୍ରାଫ୍ଟ ଡିଜାଇନ କରିବାକୁ ପଡ଼ିବ। ଡିଆର୍ଡିଓ ଜିଇ-୪୧୪ ଇଞ୍ଜିନ ସହିତ ଲଢୁଆ ବିମାନ ବିକଶିତ କରିବ। ଜିଇ-୪୦୪ର ଉନ୍ନତ ସଂସ୍କରଣ ହେଉଛି ଜିଇ-୪୧୪। ଏବେ ଏଲ୍ସିଏ ଏବଂ ୮୩ ଏଲ୍ସିଏ ମାର୍କ ୧ଏଏସ୍ରେ ଜିଇ-୪୦୪ ଇଞ୍ଜିନ ଲାଗିଛି। ଆଗାମୀ କିଛି ବର୍ଷ ମଧ୍ୟରେ ୮୩ ଏଲ୍ସିଏ ମାର୍କ ୧ଏଏସ୍ ଭାରତୀୟ ବାୟୁସେନାରେ ସାମିଲ ହେବ। ଏବେ ବାୟୁସେନା ପାଖରେ ୩୦ଟି ଏଲ୍ସିଏ ରହିଛି। ମାର୍କ ୧ଏକୁ ବିକଶତି କରିବା ପାଇଁ ହାଲ୍ ଏଥିରୁ ୨ଟି ଲଢୁଆ ବିମାନକୁ ବ୍ୟବହାର କରୁଛି। ଖୁବ୍ଶୀଘ୍ର ସରକାର ଏଏମ୍ସିଏ ବିକଶିତ କରିବା ପ୍ରସ୍ତାବକୁ ମଞ୍ଜୁରି ଦେବେ ବୋଲି ଆଶା।
ସୂଚନାଯୋଗ୍ୟ ଯେ ଜୁଲାଇ ୩୦ ତାରିଖରେ ଭାରତୀୟ ବାୟୁସେନା ଜମ୍ମୁ-କାଶ୍ମୀର ଅବନ୍ତିପୋରା ଏୟାରବେସରେ ତେଜସ ଏମ୍କେ-୧କୁ ମୁତୟନ କରିଥିଲା। ପଡ଼ୋଶୀ ଦେଶ ଚୀନ୍ ଏବଂ ପାକିସ୍ତାନ ଯୋଗୁଁ କାଶ୍ମୀର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ଏହି ଲଢୁଆ ବିମାନର ମୁତୟନ ବାୟୁସେନାର କ୍ଷମତାକୁ ଅଧିକ ମଜବୁତ କରୁଛି।