27.1 C
Bhubaneswar
Sunday, September 8, 2024
Homeଓଡିଶାଅନ୍ଧାରୀ ଟନେଲରୁ ଫେରିଲା ଜୀବନ

ଅନ୍ଧାରୀ ଟନେଲରୁ ଫେରିଲା ଜୀବନ

ନୂଆଦିଲ୍ଲୀ: ୪ଶହରୁ ଅଧିକ ଘଣ୍ଟାର ମହା-ଅପରେସନ୍…୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା….୭ରୁ ଅଧିକ ଏଜେନ୍ସିର ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ । ସବୁ ଶ୍ରମ, ସବୁ ଉଦ୍ୟମ, ସବୁ ପ୍ରାର୍ଥନା ସଫଳ ହୋଇଛି । ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ସୁରକ୍ଷିତ ଭାବେ ଫେରିଛନ୍ତି ଜଣେ ପରେ ଜଣେ ସାହସୀ ଶ୍ରମିକ । ଅଭିଜ୍ଞ ରାଟ୍-ହୋଲ୍ ମାଇନର୍‌ଙ୍କ କଠିନ ପରିଶ୍ରମ ପରେ ଗତକାଲି ସନ୍ଧ୍ୟା ୭ଟା ୫ରେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଥିଲା ୮ଶହ ମିଲିମିଟର ଓସାରର ପାଇପ୍ ।

ମାଟି ଅତଡ଼ା ହଟାଇ ଉଦ୍ଧାରକାରୀମାନେ ଯେତେବେଳେ ଟନେଲ୍ ଭିତରେ ପହଞ୍ଚିଲେ, ସେମାନଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇ ଉଠିଥିଲେ ୪୧ ଶ୍ରମିକ ।ଶ୍ରମିକଙ୍କ ପାଖରେ ରେସ୍କ୍ୟୁ ପାଇପ୍‌ ପହଞ୍ଚିବା ପରେ ପ୍ରଥମେ ଏନ୍‌ଡିଆର୍‌ଏଫ୍‌ ଯବାନ ବାହାର ପଟୁ ଭିତରକୁ ଯାଇ ଶ୍ରମିକମାନଙ୍କ ସ୍ଥିତି ପରଖିବା ସହ ସେମାନେ କିପରି ପାଇପ୍‌ ଭିତର ଦେଇ ବାହାରି ପାରିବେ ତାହା ବୁଝାଇଥିଲେ । ଏହାପରେ ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ବାହାରିଥିଲେ ଜଣକ ପରେ ଜଣେ ସାହସୀ ଶ୍ରମିକ। ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍‌ରେ ରାଟ୍‌ ହୋଲ୍‌ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍‌ ହୋଲ୍‌ ମାଇନର୍ସ ।

ଜୀବନକୁ ବାଜି ଲଗାଇ ମାଟି ଖୋଳି ଭିତରେ ପଶିବା ଏତେ ସହଜ ନ ଥିଲା । ଯାହା ୧୬ ଦିନ ଯାଏ ହୋଇ ନ ଥିଲା ୧୭ ଦିନରେ ତାହା କରି ଦେଖାଇଥିଲେ । ୧ଘଣ୍ଟା ୩୩ ମିନିଟ ଭିତରେ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ଟନେଲ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କୁ ଫୁଲମାଳ ପିନ୍ଧାଇ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ୱାଗତ କରିଥିଲେ । ଏଥିସହ ଉଦ୍ଧାରକାରୀଙ୍କ ପିଠି ଥାପୁଡ଼େଇ ସାବାସୀ ଦେଇଥିଲେ । ଏହାପରେ ଶ୍ରମିକମାନଙ୍କୁ ତୁରନ୍ତ ପୂର୍ବରୁ ପ୍ରସ୍ତୁତ ଥିବା ୪୧ଟି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ କେହି ବି ଗୁରୁତର ନାହାନ୍ତି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।ଉଦ୍ଧାର କାର୍ଯ୍ୟ ସରିବା ପରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ, ଟନେଲର ସେଫ୍ଟି ଅଡିଟ୍ ହେବ । ଏହି ଘଟଣା ଅନେକ କିଛି ଶିଖାଇଲା ।

ଘଟଣା କିପରି ଘଟିଲା ଅନୁଧ୍ୟାନ କରାଯିବ ଏବଂ ଟନେଲ କାମରେ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଆଗକୁ ଯେପରି ଏହାର ପୁନରାବୃତ୍ତି ନଘଟେ ସେଦିଗରେ ଧ୍ୟାନ ଦିଆଯିବ ବୋଲି ଗଡ଼କରୀ କହିଛନ୍ତି । ନଭେମ୍ବର ୧୨ ତାରିଖରୁ ସିଲକ୍ୟାରା ଟନେଲ ଭିତରେ ଫସି ରହିଥିଲେ ୫ ଓଡ଼ିଆଙ୍କ ସମେତ ସମସ୍ତ ୪୧ ଶ୍ରମିକ । ସେମାନେ ସୁରକ୍ଷିତ ଉଦ୍ଧାର ହେବା ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking