ଭଦ୍ରକ: ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ଅନେକ ଯୋଗ୍ୟ ବ୍ୟକ୍ତି ବାଦ୍ ପଡ଼ିବା ପରିତାପର ବିଷୟ ପାଲଟିଛି । ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ତାଲିକା ପ୍ରକାଶ ପାଇଥିବା ବେଳେ ଥିଲାବାଲା ଓ ପୂର୍ବରୁ ଘର ପାଇଥିବା ଲୋକମାନଙ୍କ ନାମ ଏଥିରେ ଲେଖାଯାଇଛି । ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ କରାନଯାଇ ଅତି ତରବରିଆ ଭାବେ ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରୁ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିବା ଅଭିଯୋଗ ହେଉଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ୍ର ୨୩ଟି ପଞ୍ଚାୟତରୁ ଏହିଭଳି ଅଭିଯୋଗ ଆସୁଛି । ସରସଦା ପଞ୍ଚାୟତ ଏକବୋଲା ଗ୍ରାମର ବିଧବା ମହିଳା ମମତା ସାହୁ ଆଜକୁ ୫-୬ ବର୍ଷ ହେବ ନିଜ ଛୋଟ ପୁଅକୁ ଧରି ଏକ ଜରିପାଲ କୁଡ଼ିଆରେ ବସବାସ କରୁଥିବା ବେଳେ ଘର ଖଣ୍ଡିଏ ପାଇଁ ପୂର୍ବରୁ ଅନେକ ବାର ଗୁହାରି କରିଥିଲେ ସୁଦ୍ଧା ସେ ନିରାଶ ହୋଇଛନ୍ତି ।
ଗତବର୍ଷ ତାଙ୍କୁ ଘର ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ସୁଦ୍ଧା ତାଙ୍କ ନାମ ତାଲିକାରେ ନଥିବା ଜଣାଯାଇଛି । ସେହିଭଳି ବୟା ଚନ୍ଦ୍ରଭାନୁପୁର ଗ୍ରାମର ଗଙ୍ଗାଧର ଦାସ ଜଣେ ଦିନ ମଜୁରିଆ ହୋଇଥିବା ବେଳେ କିଛି ବର୍ଷ ପୂର୍ବରୁ ଅଗ୍ନିକାଣ୍ଡ ଯୋଗୁଁ ତାଙ୍କର କଚ୍ଚା ଘରଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା । କମ୍ପ୍ୟୁଟର ବେସ୍ ଲାଇନରେ ନାମ ଥାଇ ସେ ମଧ୍ୟ ପ୍ରକାଶିତ ତାଲିକାରୁ ବାଦ ପଡିଛନ୍ତି । ସେହିଭଳି ରଣଜିତ ପଞ୍ଚାୟତର ମାଳି ଶ୍ରମିକ କଳାକାର ରଣା, ଦିନ ମଜୁରିଆ ପ୍ରତାପ ଜେନା, ବୃଦ୍ଧା ବୁଲି ଶଙ୍ଖୁଆ, ପ୍ରଭାତୀ ଜେନା ପ୍ରମୁଖ ଘର ଖଣ୍ଡେ ପାଇବାକୁ ଯୋଗ୍ୟ ଥିଲେ ସୁଦ୍ଧା ତାଲିକାରୁ ବାଦ୍ ପଡ଼ିଥିବା ବେଳେ ଏବେ କେବଳ ଅସନ୍ତୋଷ ବହ୍ନିରେ ହିତାଧିକାରୀ ମାନେ ଜଳୁଛନ୍ତି । ଏଭଳି ଗରିବ ଲୋକଙ୍କ ସଂଖ୍ୟା ବ୍ଲକ୍ ଅଞ୍ଚଳରେ ଅଧିକ ଥିବା ବେଳେ ପ୍ରଶାସନ ପକ୍ଷରୁ ସଠିକ୍ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଗଲେ ଆଗାମୀ ଦିନରେ ଯୋଜନା ସଫଳ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।