ଭଞ୍ଜନଗର : ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଖମାରପଲ୍ଲୀ ଗାଁରେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । ବନ୍ଦିତା ସାହୁ ନାମକ ଦୁଇଟି ସନ୍ତାନର ମାଙ୍କ ମୃତ୍ୟୁ ହୋଇଥିବା ବେଳେ, ସ୍ୱାମୀ ଘର ଲୋକଙ୍କୁ ଦାୟୀ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକେ । ଏନେଇ ଥାନାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗ ହୋଇଛି । ମାମୁଁ ରବିନ୍ଦ୍ର ସାହୁ ଜଗନ୍ନାଥପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଭିତ୍ତି କରି ଜଗନ୍ନାଥପ୍ରସାଦ ଥାନାରେ ଏକ ମାମଲା ରୁଜୁ ହେଇଥିବା ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ କହିଛନ୍ତି । ଖବର ନେବାରେ ୨୦୧୨ ମସିହାରେ ଖମାରପଲ୍ଲୀ ଗ୍ରାମର ବସନ୍ତ ସାହୁଙ୍କୁ ବୈଦିକ ରୀତିରେ ଓଡଗାଁ ଗ୍ରାମ ଅର୍ଜୁନ ସାହୁଙ୍କ ଝିଅ ବନ୍ଦୀତା ସାହୁ ବିବାହ କରିଥିଲେ । ବିବାହ ସମୟରେ କିଛି ଯୌତୁକ ବାକି ରହିଯିବା ଯୋଗୁଁ, ବୋହୁ ବନ୍ଦୀତାକୁ ଶ୍ୱଶୁର ଘରର ପରିବାର ସମେତ ସ୍ୱାମୀ ବାବୁଲା ମଧ୍ୟ ପ୍ରତିଦିନ ଗାଳିଗୁଲଜ ସହ ମାଡ ମାରୁଥିବା ଅଭିଯୋଗ କରାଯାଇଛି । ଶ୍ୱଶୁର ଘର ପକ୍ଷରୁ ବିଭିନ୍ନ ସମୟରେ ବାପ ଘର ଲୋକଙ୍କୁ ଧମକଚମକ ଦିଆଯାଉଥିଲା ।
ଏହି ଘଟଣାକୁ ନେଇ ବନ୍ଦିତା ନିଜ ବାପଘର ଓଡ଼ଗାଁକୁ ୨ ପୁଅକୁ ଧରି ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ଭାଉଜଙ୍କୁ ଡାକିବାକୁ ଓଡ଼ଗାଁ ଯାଇଥିଲେ ଦିଅର ବାବୁଲା ସାହୁ । କିନ୍ତୁ ବନ୍ଦିତା ନ ଆସିବାରୁ ତାଙ୍କର ଗୋଟିଏ ପୁଅକୁ ଧରି ଖମାରପଲ୍ଲୀ ଗାଁକୁ ଆସିଥିଲେ ବାବୁଲା । ଏହି ଘଟଣାକୁ ନେଇ ବନ୍ଦିତା ଗତ ୨୬ ତାରିଖ ଦିନ ପୁଣି ଶ୍ୱଶୁର ଘର ଖମାରପଲ୍ଲୀକୁ ଆସିଥିଲେ । ସେହିଦିନ ରାତି ପ୍ରାୟ ୨ଟାରେ ଶ୍ୱଶୁର ଘର ଲୋକେ ବନ୍ଦିତାକୁ ଗୁରୁତର ଅବସ୍ଥାରେ ବେଲଗୁଣ୍ଠା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପୁଣି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସେଠାରେ ଡାକ୍ତର ବନ୍ଦୀତାକୁ ମୃତ ଘୋଷଣା କରିଥିଲେ । ଝିଅ ବିଷପିଇ ଆତ୍ମହତ୍ୟା କରିଥିବା ନେଇ ଶ୍ୱଶୁର ଘର ଲୋକେ ବାପଘରକୁ ଜଣାଇଥିଲେ । ଏ ସଂକ୍ରାନ୍ତରେ ଖବରପାଇ ଜଗନ୍ନାଥପ୍ରସାଦ ପୋଲିସ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ତେବେ ମୃତକଙ୍କ ବାପଘର ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଆଧାରରେ ପୋଲିସ ୪୯୮(ଏ) , ୩୦୪ବି ଆଇପିସିରେ ମାମଲା ରୁଜୁ କରି ସ୍ୱାମୀ, ଦେଢଶୁର ଓ ଦିଅରଙ୍କୁ ଥାନାରେ ଅଟକ ରଖିଥିବା ତଦନ୍ତକାରୀ ଅଧିକାରୀଙ୍କ ଠାରୁ ଜଣାପଡିଛି ।