କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଓ ଦୌରାଜଜ୍ ଚିତ୍ତରଞ୍ଜନ ମହାପାତ୍ର ଏକ ହତ୍ୟା ମାମଲାର ବିଚାର କରି ଆସାମୀ ଶିବ ଓରଫ ଦୁର୍ଗା ମାରାଣ୍ଡି (୩୨)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ଆସାମୀକୁ ୫୦ହଜାର ଟଙ୍କା ଜରିମାନା ଆଦେଶ ହୋଇଥିବାବେଳେ ଜରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀଙ୍କୁ ଏହି ଜରିମାନା ଦେୟ କ୍ଷତିପୂରଣ ଆକାରରେ ଦେବା ସହ ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ତରଫରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ୨୦୧୭ ମସିହା ଜାନୁଆରୀ ୭ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ସାଇବ ମୁର୍ମୁ ଓ ବିରଞ୍ଚି ମାଝୀ ସାଙ୍ଗ ହୋଇ ଚୁଡା କୁଟିବା ପାଇଁ ଅନ୍ୟ ଏକ ଗ୍ରାମକୁ ଯାଇଥିଲେ । ଚୁଡା କୁଟିବା ସ୍ଥାନରେ ଭିଡ ଥିବାରୁ ଅନ୍ୟ ଏକ ଜାଗାକୁ ଯାଇ ସଞ୍ଜ ପର୍ଯ୍ୟନ୍ତ ଏହି ଦୁଇ ବ୍ୟକ୍ତି ହାଣ୍ଡିଆ ପିଇବା ସହ ଆସାମୀ ଶିବ ସହ ଦେଖା ହୋଇଥିଲା । ସାଇକେଲରେ ବସିବାକୁ ନେଇ ସାଇବ ଓ ଶିବର ପ୍ରବଳ ଝଗଡା ହୋଇଥିଲା । ଗଣ୍ଡଗୋଳ ପରେ ଗାଁର ଗ୍ରାମରକ୍ଷୀକୁ ଏ ସମ୍ପର୍କରେ ସାଇବ ଜଣାଇବା ପାଇଁ ତାଙ୍କ ଘରକୁ ଯାଇଥିଲା । ମାତ୍ର ଗ୍ରାମରକ୍ଷୀ ଘରୁ ଫେରିବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା ଓ ଶିବ ଏକ କଟୁରୀରେ ସାଇବକୁ ହତ୍ୟା କରି ଏକ ବାଉଁଶ ବୁଦାରେ ଫିଙ୍ଗି ଦେଇଥିଲା । ପରେ ଗାଁ ଶୁନଶାନ ହେବା ପରେ ସେ ସାଇବ ଘର ଆଗରେ ମୃତଦେହକୁ ଫିଙ୍ଗିବା ସହ ନିକଟସ୍ଥ ଗାଁ ପୋଖରୀ କୂଳରେ କଟୁରୀ ପକାଇଥିଲା । ତା’ ପରଦିନ ଅର୍ଥାତ ୨୦୧୭ ମସିହା ଜାନୁୟାରୀ ୮ତାରିଖ ସକାଳୁ ସାଇବର ଘର ଆଗରେ ଗଳା କଟାଯାଇ ତା’ର ମୃତଦେହ ମିଳିବା ପରେ ମୃତ ସାଇବର ଭାଇ ଲକ୍ଷ୍ମୀକାନ୍ତ ପାଟଣା ଥାନାରେ ଏକ ଏତଲା ଦେଇଥିଲେ । ପାଟଣା ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା ଓ ଶିବକୁ ସେହିଦିନ ହିଁ ଗିରଫ କରିଥିଲା । ଶିବ ନାମରେ ୨୦୧୭ ମସିହା ଜୁଲାଇ ୧୩ ତାରିଖ ଦିନ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲା ଓ ଦୌରାଜଜଏହି ମାମଲାର ବିଚାର କରିବା ସହ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।