17.1 C
Bhubaneswar
Sunday, January 19, 2025
Homeଅପରାଧହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଚଉରାଡିହ ଗାଁର ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ବିକି ଓରଫ ପ୍ରଶାନ୍ତ ସାହୁ(୩୫)ଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଯେ, ଚଉରଡିହ ଗାଁର ପ୍ରଦ୍ୟୁମ୍ନ ସାହୁଙ୍କ ମୃତଦେହ ଗତ ୨୦୧୦ ମସିହା ସେପ୍ଟେମ୍ବର ୬ ତାରିଖରେ ଗୋତମରା ଗାଁ ବୁଦ୍ଧିଆ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ୩ ଦିନ ଆଗରୁ ସେ ନିଖୋଜ ଥିଲାବେଳେ ପୋଖରୀରୁ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ବଅଁରପାଳ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଦ୍ୟୁମ୍ନ ଘଟଣା ଦିନ ତାଙ୍କ ସମ୍ପର୍କୀୟ ଭାଇ ସରୋଜ ସାହୁ ଓ ସାଙ୍ଗ ପ୍ରଶାନ୍ତ ସାହୁଙ୍କ ସହ ପୋଖରୀ ନିକଟରେ ଭୋଜି କରିଥିଲେ । ଭୋଜି ସମୟରେ ପ୍ରଶାନ୍ତ ଓ ସରୋଜ ମଦ୍ୟପାନ କରି ପ୍ରଦ୍ୟୁମ୍ନଙ୍କୁ ଏଟିଏମ୍ କାର୍ଡ ମାଗିଥିଲେ ।

କାର୍ଡ ନଦେବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ମାଡ଼ ସହି ନପାରି ପ୍ରଦ୍ୟୁମ୍ନ ତାଙ୍କୁ ଡେବିଟ କାର୍ଡ ସହ ପିନ୍ ନମ୍ବର ଦେଇଥିଲେ । ପରେ ସେମାନେ ପ୍ରଦ୍ୟୁମ୍ନଙ୍କୁ ମାରି ପଥର ବାନ୍ଧି ପୋଖରୀରେ ଫିଙ୍ଗି ଦେଇଥିଲେ । ଦୁଇ ଅଭିଯୁକ୍ତ ଏହି ଡେବିଟ୍ କାର୍ଡ ନେଇ ବଅଁରପାଳରେ ଥିବା ଏକ ଏଟିଏମ୍‌ରୁ ଟଙ୍କା ଉଠାଇଥିଲେ । ପୁଲିସ ସେମାନଙ୍କୁ ଟ୍ରାକ୍ କରି ଧରିଥିଲା । ଏହି ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ଚାଲିଥିଲା । ବିଚାର ଚାଲିଥିବା ସମୟରେ ବେଲରେ ଯାଇଥିବା ଅଭିଯୁକ୍ତ ସରୋଜ ସାହୁଙ୍କ ମୃତ୍ୟୁ ହୋଇଯାଇଛି । ଏପଟେ ଗତ ୨୦୧୮ରେ ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ଅଭିଯୁକ୍ତ ପ୍ରଶାନ୍ତ ସାହୁ ବେଲରେ ଯାଇ ଫେରାର ହୋଇଯାଇଥିଲେ । ୨ଦିନ ତଳେ ପୁଲିସ ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷୀ ମାମଲାର ରାୟ ଗୁରୁବାର ପ୍ରକାଶ କରିଛନ୍ତି । ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍ ତାପସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking