ଭୁବନେଶ୍ୱର : ୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତକୁ ଇଂରେଜମାନଙ୍କ କବଳରୁ ସ୍ୱତନ୍ତ୍ର କରିବା ପାଇଁ ଗଠନ ହୋଇଥିଲା ଏକ ସଶସ୍ତ୍ର ସେନା ‘ଆଜାଦ୍ ହିନ୍ଦ୍ ଫୌଜ୍’ ବା ଇଣ୍ଡିଆନ ନ୍ୟାସନାଲ ଆର୍ମି। ଜାପନ ସହାୟତାରେ ଏହାକୁ ପତିଷ୍ଠା କରିଥିଲେ ରାସବିହାରୀ ବୋଷ। ବିଶ୍ୱଯୁଦ୍ଧରେ ଜାପାନ ଦ୍ୱାରା ବନ୍ଦି ହୋଇଥିବା ଭାରତୀୟ ସୈନ୍ୟଙ୍କୁ ନେଇ ‘ଆଜାଦ୍ ହିନ୍ଦ୍ ଫୌଜ୍’ ଗଠନ କରାଯାଇଥିଲା। ୧୯୪୩ ମସିହାରେ ସୁଭାଷ ଚନ୍ଦ୍ର ବୋଷ ଜାପାନ ଯାଇ ଟୋକିଓ ରେଡିଓ ଷ୍ଟେସନରେ ଏକ ବଡ଼ ଘୋଷଣା କରି କହିଥିଲେ, “ଇଂରେଜମାନେ ନିଜେ ଭାରତ ଛାଡ଼ିଦେବେ ତାହା ଭାବିବା ଆମ ବୋକାମି ହେବ। ଆମକୁ ଭାରତ ବାହାରୁ ଏବଂ ଭିତରୁ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ହେବ। ନେତାଜୀଙ୍କ ଏହି ବକ୍ତବ୍ୟରେ ଖୁସି ହୋଇ ରାସବିହାରୀ ବୋଷ ଜୁଲାଇ ୧୯୪୩ ରେ ଆଜାଦ୍ ହିନ୍ଦ୍ ଫୌଜର ସମସ୍ତ ଦାୟିତ୍ୱ ସୁଭାଷ ବୋଷଙ୍କୁ ଦେଇଥିଲେ। ଜାପାନୀ ସେନା ସହିତ ମିଶି ‘ଆଜାଦ୍ ହିନ୍ଦ୍ ଫୌଜ୍’ ବ୍ରିଟିଶ ଓ କମନୱେଲ୍ଥ ସେନାଠାରୁ ବର୍ମା ସହିତ ଇମ୍ଫାଲ ଓ କୋହିମା ଅଧିକାର କରିଥିଲା। ୨୧ ଅକ୍ଟୋବର ୧୯୪୩ରେ ବୋଷ ‘ଆଜାଦ୍ ହିନ୍ଦ୍ ଫୌଜ୍’ର ସର୍ବୋଚ୍ଚ ସେନାପତି ଭାବେ ସ୍ୱତନ୍ତ୍ର ଭାରତର ଅସ୍ଥାୟୀ ସରକାର ଗଠନ କରିଥିଲେ। ଯାହାକୁ ଜର୍ମାନୀ, ଜାପାନ, ଫିଲିପାଇନ୍ସ, କୋରିଆ, ଚୀନ, ଇଟାଲି, ଆୟରଲ୍ୟାଣ୍ଡ ଭଳି ୯ଟି ଆନ୍ତରାଷ୍ଟ୍ରୀୟ ଦେଶର ମାନ୍ୟତା ମିଳିଥିଲା। ଏହା ପରେ ଜାପାନ ନିଜ ଅଧିନରେ ଥିବା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଆଜାଦ୍ ହିନ୍ଦ୍ ସରକାରକୁ ପ୍ରଦାନ କରିଥିଲା। ଏହି ସରକାର ଆଣ୍ଡାମାନକୁ ସହିଦ୍ ଓ ନିକୋବରକୁ ସ୍ୱରାଜ ଦ୍ୱୀପ ନାମିତ କରି ୩୦ ଡିସେମ୍ବର ୧୯୪୩ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାରତର ପତାକା ଉତ୍ତୋଳନ କରିଥିଲେ।“ଆମ ମାତୃଭୂମି ସ୍ୱାଧୀନ ହେବାକୁ ଚାହୁଁଛି। ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି” ସୁଭାଷ ବୋଷଙ୍କ ଏହି କଥାରେ ଅନୁପ୍ରାଣିତ ହୋଇ କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ଭାରତର ସ୍ୱାଧୀନତା ଲଢ଼େଇରେ ନିଜକୁ ଝାସ ଦେଇଥିଲେ। ଆଜାଦ୍ ହିନ୍ଦ୍ ଫୌଜର ଅଦମ୍ୟ ସାହାସ ଆଗରେ ଇଂରେଜ ସରକାର ହାର ମାନିବାକୁ ବସିଥିଲେ। ହେଲେ ଦୂର୍ଭାଗ୍ୟବସତ ଶେଷରେ ଯୁଦ୍ଧର ବାଜି ପଲଟି ଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପନର ପରାଜୟ ପରେ ହାର ମାନିଥିଲା ଜର୍ମାନୀ। ଏଭଳି ସ୍ଥିତିରେ ‘ଆଜାଦ୍ ହିନ୍ଦ୍ ଫୌଜ୍’କୁ ଛାଡ଼ି ସୁଭାଷ ବୋଷଙ୍କୁ ଟୋକିଓକୁ ଫେରିଯିବାକୁ ପଡ଼ିଲା। ତେବେ କୁହାଯାଉଛି ଯେ, ଟୋକିଓ ଯିବା ବାଟରେ ଏକ ବିମାନ ଦୁର୍ଘଟଣାରେ ନେତାଜୀ ସୁଭାଷ ବୋଷଙ୍କ ମୃତ୍ୟୁ ହୋଇଛି। ଯଦିଓ ଆଜାଦ ହିନ୍ଦ ଫୌଜର ଅଭିଯାନ ସଫଳ ହୋଇପାରିନଥିଲା, ହେଲେ ଭାରତ ସ୍ୱାଧୀନତା ପାଇବାରେ ଫୌଜର ସୈନ୍ୟମାନଙ୍କ ତଥା ନେତାଜୀଙ୍କ ବଳିଷ୍ଠ ଅବଦାନ ରହିଛି।