ଇସ୍ଲାମାବାଦ: ବିଶ୍ୱର ସବୁଠୁ ଭୟାନକ ଏବଂ ମହାଙ୍ଗା ଗ୍ୱାନ୍ତାନାମୋ ବେ’ ଜେଲ୍ରୁ ପାକିସ୍ତାନର ଅନ୍ତିମ କଏଦୀ ସୈଫୁଲ୍ଲା ପରାଚା ମୁକ୍ତ ହୋଇଛି । ଦୀର୍ଘ ୨୦ ବର୍ଷ ପରେ ଜେଲ୍ରୁ ମୁକ୍ତହେବା ପରେ ସୈଫୁଲ୍ଲା ଶନିବାର ନିଜ ଦେଶ ପାକିସ୍ତାନ ଫେରିଛି । ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି । ମିଡିଆ ରିପୋର୍ଟ ଅନୁସାରେ, ୭୪ ବର୍ଷୀୟ ସୈଫୁଲ୍ଲାକୁ ଅଲ୍କାଏଦା ସହ ସମ୍ପର୍କ ଥିବା ସନ୍ଦେହରେ ୨୦୦୩ରେ ବ୍ୟାଙ୍କକ୍ରୁ ଗିରଫ କରାଯାଇଥିଲା । ଗତ ମାସରେ ସୈଫୁଲ୍ଲାର ପୁତ୍ର ପାକିସ୍ତାନ ସଂସଦର ସ୍ଥାୟୀ କମିଟି ସମ୍ମୁଖରେ ହାଜର ହୋଇ କହିଥିଲା ଯେ ତାଙ୍କ ପରିବାର ଜନ୍ମରୁ ହିଁ ପାକିସ୍ତାନୀ । ତା’ ପିତା ଏବଂ ଭାଇଙ୍କୁ ୨୦୦୩ରେ ବ୍ୟାଙ୍କକ୍ ଏବଂ ନ୍ୟୁୟର୍କରୁ ଗିରଫ କରାଯାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ସୈଫୁଲ୍ଲାକୁ ୩୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା ।
କ୍ୟୁବାର ଗ୍ୱାନ୍ତାନାମୋ ସମୁଦ୍ର ତଟରେ ଥିବା ଗ୍ୱାନ୍ତାମାନୋ ବେ’ ଜେଲ୍କୁ ୨୦୦୧ରେ ଆମେରିକା ଉପରେ ୧୧ ସେପ୍ଟେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସନ୍ଦିଗ୍ଧ ଅଲ୍କାଏଦା ଏବଂ ତାଲିବାନୀ ଆଙ୍କବାଦୀଙ୍କୁ ବନ୍ଦୀକରି ରଖିବା ପାଇଁ ଏହାର ନିର୍ମାଣ କରାଯାଇଥିଲା । ଅବଶ୍ୟ ବିଶ୍ୱର ଏହି ସବୁଠୁ ଭୟାନକ ଓ ମହଙ୍ଗା ଜେଲ୍ର ଏକ ୟୁନିଟ୍କୁ ୨୦୨୧ ଏପ୍ରିଲ୍ରେ ବନ୍ଦ କରିଦିଆଯାଇଛି । ଗ୍ୱାନ୍ତାନାମୋ ବେ’ ଜେଲ୍ର କ୍ୟାମ୍ପ୍-୭ରେ ୧୪ ଜଣ କଏଦୀଙ୍କୁ ରଖାଯାଇଥିଲା । କିଛି ଲୋକ ଏହି ଜେଲ୍କୁ ପୃଥିବୀର ନର୍କ ବୋଲି ମଧ୍ୟ କହିଥାନ୍ତି । ଗ୍ୱାନ୍ତାନାମୋ ବେ’ ଜେଲ୍ରେ ଜଣେ କଏଦୀ ବାବଦରେ ପ୍ରାୟ ୯୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ । ଏହି କାରଣରୁ ଏହି ଜେଲ୍କୁ ସବୁଠୁ ବିପଜ୍ଜନକ ସହିତ ସବୁଠୁ ମହଙ୍ଗା ଜେଲ୍ ବୋଲି କୁହାଯାଏ । ଏହି ଜେଲ୍ରେ ବିଶ୍ୱର ଭୟାନକ ଆତଙ୍କୀକୁ ରଖାଯାଏ । କିଛିଦିନ ତଳେ ଏହି ଜେଲ୍ରେ ବନ୍ଦ ସାଉଦୀ ଆରବର ଜଣେ କଏଦୀ ଅହମ୍ମଦ ଅଲ୍-କହତାନୀକୁ ମୁକ୍ତ କରାଯାଇଥିଲା । ଅଲ୍-କଦତାନୀ ବିରୋଧରେ ବିମାନ ଅପହରଣରେ ସାମିଲ ଅଭିଯୋଗ ହୋଇଥିଲା । ଏହି ସୈନ୍ୟ ଜେଲ୍କୁ ବିଶ୍ୱର ସବୁଠୁ ବିବାଦିତ ଜେଲ୍ ମଧ୍ୟ କୁହାଯାଇଥାଏ । ବହୁବାର ଏହାକୁ ବନ୍ଦ କରିବା ପାଇଁ ଦାବି ମଧ୍ୟ ହୋଇଛି ।