27.1 C
Bhubaneswar
Monday, May 5, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ପଞ୍ଜାବକୁ ୫୬ ରନ୍‌ରେ ହରାଇଲା ଲକ୍ଷ୍ନୌ

ଆଇପିଏଲ୍‌: ପଞ୍ଜାବକୁ ୫୬ ରନ୍‌ରେ ହରାଇଲା ଲକ୍ଷ୍ନୌ

ମୋହାଲି : ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଏଠାକାର ପିସିଏ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍‌ଠାରେ ସଂସ୍କରଣର ୩୮ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ ପଞ୍ଜାବ କିଙ୍ଗ୍‌ସ ସହ ଲକ୍ଷ୍ନୌ ସୁପର୍ କିଙ୍ଗ୍‌ସର ମୁକାବିଲା ହୋଇଥିବା ବେଳେ ଘରୋଇ ଦଳ ୫୬ ରନ୍‌ରେ ଶୋଚନୀୟ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ଲକ୍ଷ୍ନୌ ମାର୍କସ୍ ଷ୍ଟୋଇନିସ୍‌, ଓପନର କାଇଲ୍ ମାୟେର୍ସ ଓ ନିକୋଲାସ୍ ପୂରନ୍‌ଙ୍କ ଧୂଆଁଧାର ବ୍ୟାଟିଂକୁ ଆଧାର କରି ୫ ୱିକେଟ୍ ବିନିମୟରେ ଚଳିତ ସଂସ୍କରଣର ସର୍ବାଧିକ ୨୫୭ ରନ୍ କରିଥିଲା । ଦଳ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର୍ କରିଥିବା ବେଳେ ପଞ୍ଜାବ ପାଇଁ ଏହି ଟାର୍ଗେଟ୍ ଯଥେଷ୍ଟ କଷ୍ଟସାଧ୍ୟ ସାବ୍ୟସ୍ତ ହୋଇଥିଲା ।

ଦଳ ୧୯.୫ ଓଭର୍‌ରେ ସମସ୍ତ ୱିକେଟ୍ ହରାଇ ୨୦୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ଲକ୍ଷ୍ନୌ ପାଇଁ ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ୍ ଓ ମାୟେର୍ସ ମାତ୍ର ୩ ଓଭର୍‌ରେ ୪୧ ରନ୍ ଯୋଡ଼ିଥିଲେ । ପରବର୍ତ୍ତୀ ଓଭର୍‌ର ପ୍ରଥମ ବଲ୍‌ରେ ରାହୁଲ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୨ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ମାୟେର୍ସ ଦ୍ରୁତ ଗତିରେ ରନ୍ ସଂଗ୍ରହ କରି ମାତ୍ର ୨୦ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ୨୪ ବଲ୍ ଖେଳି ୫୪ ରନ୍‌ରେ ଆଉଟ୍ ହେବା ପୂର୍ବରୁ ସେ ୭ଟି ଚୌକା ଓ ୪ଟି ଛକା ଲଗାଇସାରିଥିଲେ । ତାଙ୍କ ସ୍ଥାନ ପୂରଣ ପାଇଁ ଆସିଥିବା ଆୟୁଷ ବଦୋନୀ ଓ ଷ୍ଟୋଇନିସ୍ ପଞ୍ଜାବ ବୋଲରଙ୍କୁ ନିର୍ଧୂମ୍ ପ୍ରହାର ପୂର୍ବକ ୮୯ ରନ୍‌ର ଭାଗୀଦାରୀ କରିଥିଲେ । ବଦୋନୀ ମାତ୍ର ୨୪ ବଲ୍ ଖେଳି ୩ଟି ଲେଖାଏଁ ଚୌକା ଓ ଛକା ସହ ୪୩ ରନ୍‌ରେ ଆଉଟ୍ ହେବା ପରେ ଷ୍ଟୋଇନିସ୍ ଚତୁର୍ଥ ୱିକେଟ୍‌ରେ ପୂରନ୍‌ଙ୍କ ସହ ୭୬ ରନ୍ ଯୋଡ଼ିଥିଲେ । ଫଳରେ ଦଳୀୟ ସ୍କୋର୍ ୨୦୦ ଅତିକ୍ରମ କରିଥିଲା ।

ଷ୍ଟୋଇନିସ୍ ମାତ୍ର ୪୦ ବଲ୍‌ରେ ୬ଟି ଚୌକା ଓ ୫ଟି ଛକା ସହ ୭୨ ରନ୍ କରିଥିଲେ । ସେ ବିଦାୟ ନେବା ପରେ ପୂରନ୍ ମାତ୍ର ୧୯ ବଲ୍ ଖେଳି ୪୫ ରନ୍ କରିବା ଫଳରେ ଦଳ ଚଳିତ ସଂସ୍କରଣର ସର୍ବାଧିକ ସ୍କୋର୍‌ରେ ପହଞ୍ଚିପାରିଥିଲା । ପୂରନ୍‌ଙ୍କ ଏହି ବିସ୍ଫୋରକ ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ରହିଥିଲା । ଶେଷ ଭାଗରେ ଦୀପକ ହୁଡ୍ଡା ୬ ବଲ୍ ଖେଳି ୨ଟି ଚୌକା ସହ ୧୧ ଓ କୃନାଲ୍ ପାଣ୍ଡ୍ୟା ଗୋଟିଏ ଚୌକା ମାଧ୍ୟମରେ ୫ ରନ୍ କରି ଅପରାଜିତ ରହିଥିଲେ । ପଞ୍ଜାବ ପକ୍ଷରୁ କାଗିସୋ ରବାଡା ୨ଟି, ଅର୍ଶଦୀପ ସିଂହ, ସାମ୍ କୁରାନ୍ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ବିଶାଳ ୨୫୮ ରନ୍‌ର ଟାର୍ଗେଟ୍ ଲକ୍ଷ୍ୟ ନେଇ ପଞ୍ଜାବର ଦୁଇ ଓପନର ଅଧିନାୟକ ଶିଖର ଧୱନ୍ ଓ ପ୍ରଭସିମରନ୍ ସିଂହ ପଡ଼ିଆକୁ ଓହ୍ଲାଇଥିଲେ ହେଁ ପ୍ରଥମ ଓଭର୍‌ରେ ଦଳକୁ ଝଟ୍‌କା ଲାଗିଥିଲା । ୩ଟି ମ୍ୟାଚ୍ ପରେ ଦଳକୁ ଫେରିଥିବା ଧୱନ୍ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଅନ୍ୟତମ ଓପନର ପ୍ରଭସିମରନ୍ ସିଂହ ୯ ରନ୍ କରି ବିଦାୟ ନେଇଥିଲେ ।

ପରବର୍ତ୍ତୀ ସମୟରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ମାନେ କିଛି କିଛି ରନ୍ କରିଥିଲେ ମଧ୍ୟ କେହି ବି ଆବଶ୍ୟକ ହାରରେ ସ୍କୋର୍ କରିପାରି ନ ଥିଲେ । ଫଳରେ ଦଳ ବିଜୟ ଲକ୍ଷ୍ୟଠାରୁ ଯଥେଷ୍ଟ ଦୂରରେ ରହିଯାଇଥିଲା । ଦଳ ପକ୍ଷରୁ ଅଥର୍ବ ତାଇଡେ ସର୍ବାଧିକ ୬୬ ରନ୍ କରିଥିଲେ । ସେ ୩୬ଟି ବଲ୍ ଖେଳିବା ସହ ୮ଟି ଚୌକା ଓ ୨ଟି ଛକା ଲଗାଇ ଆଇପିଏଲ୍‌ରେ ତାଙ୍କର ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ । ଏହାଛଡ଼ା ସିକନ୍ଦର ରାଜା ୪ଟି ଚୌକା ଓ ଗୋଟିଏ ଛକା ସହ ୩୬, ଜିତେଶ ଶର୍ମା ୩ଟି ଛକା ମାଧ୍ୟମରେ ୨୪, ଲିଭିଙ୍ଗଷ୍ଟୋନ୍ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୩ ଏବଂ ସାମ୍ କୁରାନ୍ ୨ଟି ଚୌକା ଓ ଗୋଟିଏ ଛକା ଜରିଆରେ ୨୧ ରନ୍ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ୟଶ୍ ଠାକୁର ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ନବୀନ୍‌-ଉଲ୍‌-ହକ୍‌ଙ୍କୁ ୩ଟି ଓ ରବି ବିଷ୍ଣୋଇଙ୍କୁ ୨ଟି ୱିକେଟ୍ ମିଳିଥିଲା । ଏହାଛଡ଼ା ଧୂଆଁଧାର ୭୨ ରନ୍ କରିଥିବା ଷ୍ଟୋଇନିସ୍ ଗୋଟିଏ ୱିକେଟ୍ ନେଇ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ପାଇଁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking