17.1 C
Bhubaneswar
Monday, November 25, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୫ ୱିକେଟ୍‌ରେ ହରାଇଲା ଲକ୍ଷ୍ନୌ

ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୫ ୱିକେଟ୍‌ରେ ହରାଇଲା ଲକ୍ଷ୍ନୌ

ଲକ୍ଷ୍ନୌ: ଚଳିତ ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ଶୁକ୍ରବାର ଦଶମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଘରୋଇ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୫ ୱିକେଟ୍‌ରେ ବିଜୟୀ ହୋଇଛି । ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚ୍ ଜିତି ଦଳ ତା’ର ତୃତୀୟ ମ୍ୟାଚ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି । ଅନ୍ୟପକ୍ଷରେ ହାଇଦ୍ରାବାଦ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହେଁ ହାଇଦ୍ରାବାଦ ୨୦ ଓଭର୍‌ରେ ୮ ୱିକେଟ୍ ହରାଇ ମାତ୍ର ୧୨୧ ରନ୍ କରିଥିଲା । ଏହାର ଜବାବରେ ଲକ୍ଷ୍ନୌ ୧୬ ଓଭର୍‌ରେ ୫ ୱିକେଟ୍ ହରାଇ ୧୨୭ ରନ୍ କରିଥିଲା । ଦଳର ଏହି ବିଜୟରେ କୃନାଲ୍ ପାଣ୍ଡ୍ୟାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରେ କୌଣସି ବଡ଼ ଭାଗୀଦାରୀ ନ ହେବା ଫଳରେ ଏହା ଲକ୍ଷ୍ନୌକୁ କଷ୍ଟସାଧ୍ୟ ଟାର୍ଗେଟ୍ ଦେବାରେ ସକ୍ଷମ ହୋଇ ନ ଥିଲା । ଦଳର ୪ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ବାଦ୍ ଦେଲେ ଅନ୍ୟ କେହି ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ । ରାହୁଲ୍ ତ୍ରିପାଠୀ ସର୍ବାଧିକ ୩୫ ରନ୍ କରିଥିଲେ, ଯେଉଁଥିରେ ୪ଟି ଚୌକା ସାମିଲ୍ ଥିଲା । ସେହିପରି ତ୍ରିପାଠୀ ପଞ୍ଚମ ୱିକେଟ୍‌ରେ ୱାଶିଂଟନ୍ ସୁନ୍ଦରଙ୍କ ସହ ସର୍ବାଧିକ ୩୯ ରନ୍‌ର ଭାଗୀଦାରୀ ମଧ୍ୟ କରିଥିଲେ । ସୁନ୍ଦର ୧୬ ରନ୍ କରିଥିବା ବେଳେ ଓପନର ଅନମୋଲ୍‌ପ୍ରୀତ୍ ସିଂହ ୨୬ ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହ ୩୧ ଏବଂ ଅବଦୁଲ୍ ସମଦ୍ ମାତ୍ର ୧୦ ବଲ୍‌ରେ ଗୋଟିଏ ଚୌକା ଓ ୨ଟି ଛକା ଜରିଆରେ ଅପରାଜିତ ୨୧ ରନ୍ କରିଥିଲେ । ଅଧିନାୟକ ଭାବେ ଡେବ୍ୟୁ କରିଥିବା ଆଇଡେନ୍ ମାର୍କରାମ୍ ମାତ୍ର ଗୋଟିଏ ବଲ୍‌ରେ ପ୍ୟାଭିଲିଅନ୍ ଫେରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍ ୮, ହ୍ୟାରୀ ବ୍ରୁକ୍ ୩ ଓ ଆଦିଲ୍ ରଶିଦ୍ ୪ ରନ୍ କରିଥିଲେ । ଲକ୍ଷ୍ନୌ ପକ୍ଷରୁ କୃନାଲ୍ ୪ ଓଭର୍‌ରେ ୧୮ ରନ୍ ଦେଇ ୩ଟି, ମାର୍କ ଉଡ୍‌ଙ୍କ ସ୍ଥାନରେ ଖେଳୁଥିବା ଅମିତ୍ ମିଶ୍ରା ୨ଟି ଏବଂ ୟଶ୍ ଠାକୁର ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଦଳର ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ୍ ଓ କାଇଲ୍ ମାୟେର୍ସ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ । ଉଭୟ ୩୫ ରନ୍ ଯୋଡ଼ିବା ପରେ ମାୟେର୍ସ ୨ଟି ଚୌକା ସହ ୧୩ ରନ୍ କରି ଆଉଟ୍ ହୋଇଥିଲେ । ପରେ ଦୀପକ ହୁଡ୍ଡା ୭ ରନ୍ କରି ଆଉଟ୍ ହେବା ପରେ ତୃତୀୟ ୱିକେଟ୍‌ରେ ରାହୁଲ୍ ଓ କୃନାଲ୍‌ଙ୍କ ମଧ୍ୟରେ ୫୫ ରନ୍‌ର ଭାଗୀଦାରୀ ହୋଇଥିଲା । କୃନାଲ୍ ମାତ୍ର ୨୩ ବଲ୍‌ରେ ୪ଟି ଚୌକା ଓ ଗୋଟିଏ ଛକା ସହ ୩୪ ରନ୍ କରିଥିଲେ । ସେହିପରି ରାହୁଲ୍ ୪ଟି ଚୌକା ମାଧ୍ୟମରେ ୩୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମାର୍କସ୍ ଷ୍ଟୋଇନିସ୍ ୧୦ ଓ ନିକୋଲାସ୍ ପୂରନ୍ ୧୧ ରନ୍ କରି ଅପରାଜିତ ଥିଲେ । ହାଇଦ୍ରାବାଦ ପକ୍ଷରୁ ରଶିଦ୍ ୨ଟି ଏବଂ ଭୁବନେଶ୍ୱର କୁମାର, ଫଜଲହକ୍ ଫାରୁକୀ ଓ ଉମରାନ୍ ମଲିକଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking