ଯାଜପୁର : 1992ମସିହା ରେ ପଂଚାୟତ ନିର୍ବାଚନ କୁ କେନ୍ଦ୍ର କରି ତତ୍କାଳୀନ ଏସ ୟୁ ସି ଆଇ ନେତା ବା ଶ୍ରମିକ ନେତା ମାୟା ଧର ନାୟକ ନାମ ଓ ସମର୍ଥକ ନାମ ରେ ଏକ ମାମଲା ସୁକିନ୍ଦା ଥାନା ରେ ରୁଜୁ ହୋଇ ଥିଲା ୩୧ ବର୍ଷ ପରେ ବିଶିଷ୍ଟ ଶ୍ରମିକନେତା ମାୟାଧର ନାୟକ ଗତ ୯ ତାରିଖରେ ସୁକିନ୍ଦା ଗ୍ରାମ୍ୟ କୋର୍ଟରେ ହାଜର ହେଲାବେଳେ ଗରିଫ ହୋଇ ହାଜତ୍ରେ ୩ ଘଣ୍ଟା ରହିଲା ପରେ ଅପରାହ୍ନ ୫ଟା ବେଳେ ଜାମିନ୍ରେ ଖଲାସ ହୋଇଛନ୍ତି । ୧୯୯୨ ମସିହା ରାଜ୍ୟ ପଞ୍ଚାୟତ ନିର୍ବାଚନ ସମୟରେ କୁହିକା ପଞ୍ଚାୟତରେ ଏସ୍.ୟୁ.ସି.ଆଇ. ପକ୍ଷରୁ ସରପଞ୍ଚ ବସନ୍ତ କୁମାର ନାୟକ, ସମିତି ସଭ୍ୟ ରାଜକିଶୋର ବାରିକ୍ ଓ ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ପ୍ରାର୍ଥୀ ଦିଆଯାଇଥିଲା । ସେତେବେଳେ ଜନତା ଦଳ, କଂଗ୍ରେସ, ଏସ୍.ୟୁ.ସି.ଆଇ. ସହ ତୀବ୍ର ପ୍ରତିଦ୍ୱନ୍ଦିତା ଚାଲୁଥିଲା । କୁହିକା ପଞ୍ଚାୟତ ଯେହେତୁ ସୁକିନ୍ଦା ଖଣି ଅଞ୍ଚଳର ମୁଖଶାଳା ସେଠି ସରପଞ୍ଚ, ସମିତି ସଭ୍ୟକୁ ନ ଜିତାଇ ଦେବାପାଇଁ ଭୋଟ୍ ଦିନ ପୋଲିସ୍, ସୁକିନ୍ଦା ତହସିଲଦାର ବି.ବି. ରାଉତରାୟ ଓ ସଶସ୍ତ୍ର ପୋଲିସ୍ ବାହିନୀଙ୍କ ଉପସ୍ଥିତିରେ ଜନତା ଦଳ ଗୁଣ୍ଡାବାହିନୀ ବୁଥ୍ ଦଖଲ କଲେ । ଏସ.ୟୁ.ସି.ଆଇ. ପକ୍ଷରୁ ବାଧା ଦିଆଗଲାବେଳେ ଗଣ୍ଡଗୋଳ ସୃଷ୍ଟି ହେଲା ।
ପୋଲିସ୍ ଫାଙ୍କା ଗୁଳି ଚାଳନା କଲେ ଏବଂ ଏସ୍.ୟୁ.ସି.ଆଇ. ନେତା କର୍ମୀମାନଙ୍କ ଗୋଡାଇ ଗୋଡାଇ ବାଡେଇଲେ । ଫଳରେ ସେତେବେଳର ଏସ୍.ୟୁ.ସି.ଆଇ. ନେତା ବିଳାସ କୁମାର ବେହୁରାଙ୍କୁ ପ୍ରବଳ ମାଡମାରି ରକ୍ତାକ୍ତ କରି ଛୋଟା କରିଦେଲେ । ଏହି ଖବର ପାଇ ମାୟାଧର ନାୟକ ବିଳାସ କୁମାର ବେହୁରାଙ୍କୁ ସୁକିନ୍ଦାଗଡକୁ ଆଣି ଚିକିତ୍ସା କରାଇଲେ । ସେତେବେଳେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର୍ ଉପସ୍ଥିତ ନଥିବା ମାୟାଧର ନାୟକଙ୍କ ସମେତ ୧୬ ଜଣଙ୍କ ନାଁରେ ସୁକିନ୍ଦା ଥାନାରେ ଏତଲା ଦେଲେ । ଥାନା ଅଫିସର ସଂଗୀନ୍ ଦଫାରେ ସମସ୍ତଙ୍କ ନାଁରେ କେସ୍ କୋର୍ଟରେ ରୁଜୁ କଲେ । ଇତିମଧ୍ୟରେ ୩୧ ବର୍ଷ ବିତିଗଲାଣି । ଜଣେ ଅଭିଯୁକ୍ତ ପିମ୍ପୁଡିଆ ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କର ମୃତ୍ୟୁ ହୋଇଗଲାଣି । ଏବେ ସୁକିନ୍ଦା କୋର୍ଟରୁ ଫାଇଲ୍ ଖୋଳତାଡ କରି ୧୯୯୨ ମସିହା ନିର୍ବାଚନ ମଣ୍ଡଳୀର କେସ୍କୁ ବାହାର କଲେ । ସେହି ୧୬ ଜଣଙ୍କ ମଧ୍ୟରୁ ପ୍ରାଣକୃଷ୍ଣ ମହନ୍ତଙ୍କୁ ଗିରଫ କରି ୫ ଦିନ ରଗଡି ଜେଲ୍ରେ ରଖିଲେ । ଅନ୍ୟମାନଙ୍କ ନାଁରେ ୱାରେଣ୍ଟ୍ ଜାରି ହୋଇଗଲା । ଗତ ୯ ତାରିଖରେ ମାୟାଧର ନାୟକଙ୍କ ସମେତ ବିଳାସ ବେହୁରା, ରାଜକିଶୋର ବାରିକ୍, ପରେଶ ମହନ୍ତ, ଶ୍ରୀକାନ୍ତ ନାୟକ ପ୍ରମୁଖ ବିଭିନ୍ନ ଗାଁର ପାଖାପାଖି ୧୫ ଜଣ ସୁକିନ୍ଦା କୋର୍ଟରେ ସରେଣ୍ଡର୍ ହେଲେ । ସୁଶ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର ଜଜ୍ ମହାଶୟା ଅଭିଯୁକ୍ତ ଅପରାଧୀମାନଙ୍କୁ ଜେରା କରି କୋର୍ଟ ହାଜତକୁ ପଠାଇଲେ । ପ୍ରାୟ ଅପରାହ୍ନ ୫ଟା ବେଳେ ସମସ୍ତ ଅଭିଯୁକ୍ତମାନଙ୍କୁ ଜାମିନ୍ରେ ଖଲାସ୍ କରିଦେଲେ ।
ଏହି କେସ୍ ବରିଷ୍ଠ ଆଡ୍ଭୋକେଟ୍ ସୁଧାଂଶୁ ଦାସ, ଆଡ୍ଭୋକେଟ୍ ଗୌରାଙ୍ଗ ଚରଣ ନାୟକ ଲଢୁଥିଲେ । ଶ୍ରୀ ନାୟକ କହିଛନ୍ତି – କଲରଙ୍ଗୀ ଖଣି ଶ୍ରମିକଙ୍କ ବକେୟା ପାଉଣା ୫୦ କୋଟି ଟଙ୍କା ଦାବିକରି ବ୍ରହ୍ମାସ୍ତ୍ର ଛାଡିବାର ଘୋଷଣା ବ୍ୟାପକ ଭାବେ ସୁକିନ୍ଦା ଖଣି ଅଞ୍ଚଳ, କଳିଙ୍ଗନଗର କାରଖାନା ଅଞ୍ଚଳ ଏପରିକି ସାରା ଓଡିଶାର କଳକାରଖାନା, ଖଣିଖାଦାନ, ଶିଳ୍ପାଞ୍ଚଳରେ ପ୍ରବଳ ଆଲୋଡନ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ଓଡିଶାର ଖଣିଖାଦାନ, କଳକାରଖାନା, ଶିଳ୍ପାଞ୍ଚଳର ନିର୍ଯାତିତ, ଶୋଷିତ ଶ୍ରମିକକର୍ମଚାରୀ ମାନଙ୍କ ମଧ୍ୟରେ ନୂତନ ଆଶାର ଆଲୋକ ଜାଗରଣ ହୋଇଛି । ସବୁ ସ୍ଥାନରେ ଶ୍ରମିକକର୍ମଚାରୀମାନେ ସେମାନଙ୍କ ନ୍ୟାର୍ଯ୍ୟ, ଆଇନଗତ ଗଣତାନ୍ତ୍ରିକ ଅଧିକାର ଦାବି କରିବା ଆୱାଜ ଉଠାଇଲେଣି । ମାଲିକ, ନେତା ଓ ଅଫିସରମାନଙ୍କ ଅସାଧୁ ମେଣ୍ଟରେ ଓଡିଶାର ଶ୍ରମଜୀବୀ ଶ୍ରେଣୀର ହକ୍ ପ୍ରାପ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା ହଡପ୍ କରାଯାଇଛି ।
ଏଥିପାଇଁ ଅସାଧୁ ମେଣ୍ଟର ମୋ ଉପରେ ପ୍ରବଳ ରାଗ ରହିଥିବାବେଳେ ଶ୍ରମିକକର୍ମଚାରୀମାନଙ୍କ ମଧ୍ୟରେ ଆଶାର ଆଲୋକ ଦେଖାଦେଇଛି । ତେଣୁ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ଦୀର୍ଘ ୩୧ ବର୍ଷ ପରେ ମୋତେ ଗିରଫ କରିବା ଅଭିସନ୍ଧିରେ ଗତକାଲି ସୁକିନ୍ଦା କୋର୍ଟରେ ଏକ ନାଟକ ଚାଲିଥିଲା । ଯେତେ ଯାହା କଳକୌଶଳ କଲେ ବି ସୁକିନ୍ଦା ଅଞ୍ଚଳର ଖଣି ଶ୍ରମିକ, କଳିଙ୍ଗନଗରର କଳକାରଖାନା ଶ୍ରମକକର୍ମଚାରୀ ଓ ସାରା ଓଡିଶାର ଶ୍ରମଜୀବୀଙ୍କ ଗଣତାନ୍ତ୍ରିକ, ସାମ୍ବିଧାନିକ ଓ ଆଇନ୍ଗତ ହକ୍ ପ୍ରାପ୍ୟ ଲକ୍ଷ ଲକ୍ଷ କୋଟି ଟଙ୍କା ଯାହା ଏପର୍ଯ୍ୟନ୍ତ ବାକି ପଡିଛି ତାକୁ ଦେବାକୁ ହେବ ହିଁ ହେବ । ଆଜି ଶ୍ରମଜୀବୀ ଶ୍ରେଣୀ, ମେହନତୀ ଜନଗଣ ମୁଣ୍ଡରେ ହାତଦେଇ ବସିବାର ବେଳ ନୁହେଁ – ଅଧିକାର ଛିଣ୍ଡାଇ ଆଣିବାର ସମୟ ଆସିଯାଇଛି ।