ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ୍ର ଷ୍ଟାର୍ ଫାଷ୍ଟ୍ ବୋଲର୍ କାଇଲ୍ ଜାମିସନ୍ଙ୍କ ପିଠିରେ ଏକ ନୂଆ ଷ୍ଟ୍ରେସ୍ ଫ୍ରାକ୍ଚର୍ ହୋଇଥିବା ଜଣାପଡ଼ିଛି । ଫଳରେ ତାଙ୍କୁ ଅତିକମ୍ରେ ଏକବର୍ଷ ପାଇଁ କ୍ରିକେଟ୍ରୁ ଦୂରେଇ ରହିବାକୁ ପଡ଼ିବ । ନୂଆ ଆଘାତ ତାଙ୍କ ପିଠିର ସମାନ ସ୍ଥାନରେ ହୋଇଛି ଯେଉଁଠାରେ ଗତବର୍ଷ ତାଙ୍କର ସର୍ଜରୀ ହୋଇଥିଲା । ତେବେ ଏଥର ତାଙ୍କୁ ଅପରେସନ୍ର ଆବଶ୍ୟକତା ପଡ଼ିବ ନାହିଁ । ପିଠି ସମସ୍ୟା କାରଣରୁ ୨୯ ବର୍ଷୀୟ ଖେଳାଳିଙ୍କୁ ଗତ କିଛିବର୍ଷ ଧରି ନୈରାଶ୍ୟଜନକ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଜୁନ୍ ୨୦୨୨ରେ ଆହତ ହେବା ପରେ ସେ ଗତବର୍ଷ ଫେବୃଆରୀରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଅବଶ୍ୟ ପ୍ରତ୍ୟାବର୍ତ୍ତନର ଠିକ୍ ପୂର୍ବରୁ ତାଙ୍କୁ ପିଠିର ସର୍ଜରୀ କରାଇଥିଲେ ଏବଂ କିଛିମାସ ପଡ଼ିଆରୁ ଦୂରେଇ ରହିଥିଲେ । ଯଦିଓ ସୁସ୍ଥ ହେବାପରେ ସେ ତିନିଟି ଯାକ ଫର୍ମାଟ୍ରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ, ତେବେ ନୂଆ ଆଘାତ ଯୋଗୁଁ ସେ ପୁଣିଥରେ ୨୦୨୪ରେ ପଡ଼ିଆରୁ ଦୂରେଇ ରହିବେ । ଏକ ବୟାନରେ ଜାମିସନ୍ କହିଛନ୍ତି, ଗତ କିଛିଦିନ ମୋ ପାଇଁ ଆହ୍ୱାନପୂର୍ଣ୍ଣ ଥିଲା । ମାତ୍ର ମୁଁ ନିଜର ବନ୍ଧୁ, ପରିବାର, ଟିମ୍ ସାଥୀ, ସପୋର୍ଟ ଷ୍ଟାଫ୍ ଏବଂ ମେଡିକାଲ୍ ଟିମ୍ ପ୍ରତି କୃତଜ୍ଞ । ମୁଁ ଜାଣିଛି ଆଘାତ କ୍ରିକେଟର୍ଙ୍କ ଜୀବନର ଏକ ଅଂଶବିଶେଷ ଏବଂ ମୋର ବିଶ୍ୱାସ ଏବେ ବି ମୋ ନିକଟରେ କ୍ରିକେଟ୍ ଖେଳିବା ବାକି ରହିଛି ।