ନୂଆଦିଲ୍ଲୀ: ବିଭିନ୍ନ ହାଇକୋର୍ଟରେ ଖାଲିପଡିଥିବା ବିଚାରପତି (ଜଜ୍) ଆସନ ପାଇଁ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଗୁରୁବାର ତିନିଜଣ ବରିଷ୍ଠ ଆଇନଜୀବୀଙ୍କ ନାମ ସୁପାରିସ କରାଯାଇଛି । ତେବେ ଏହି ତାଲିକା ମଧ୍ୟରେ ସୌରଭ କ୍ରିପାଲଙ୍କ ନାମ ରହିଥିବା ଜଣାପଡିଛି । ସୂଚନାଯୋଗ୍ୟ କଲେଜିୟମ ପକ୍ଷରୁ ପୂର୍ବରୁ କ୍ରିପାଲଙ୍କ ନାମ ସୁପାରିସ କରାଯାଇଥିଲା । ତେବେ ସେ ଜଣେ ସମଲିଙ୍ଗୀ ହୋଇଥିବାରୁ କେନ୍ଦ୍ର ସରକାର ତାଙ୍କ ନାମକୁ ଖାରଜ କରିଦେଇଥିଲେ । ଏହାସତ୍ତ୍ୱେ କଲେଜିୟମ ପୁଣିଥରେ ତାଙ୍କ ନାମ ସୁପାରିସ କରିଛି । ନିୟମ ଅନୁଯାୟୀ ଦ୍ୱିତୀୟ ଥର ସୁପାରିସ କରାଯାଇଥିବା ନାମକୁ ଗ୍ରହଣ କରିବାକୁ ସରକାର ବାଧ୍ୟ । କଲେଜିୟମ ପକ୍ଷରୁ ଦିଲ୍ଲୀ ହାଇକୋର୍ଟ ପାଇଁ ସୌରଭ କ୍ରିପାଲ, ବମ୍ବେ ହାଇକୋର୍ଟ ପାଇଁ ସୋମଶେଖର ସୁଦର୍ଶନ ଏବଂ ମାଡ୍ରାସ ହାଇକୋର୍ଟ ପାଇଁ ଆର.ଜନ.ସତ୍ୟନଙ୍କ ନାମ ସୁପାରିସ କରାଯାଇଥିବା ପ୍ରକାଶ ।