25.1 C
Bhubaneswar
Friday, March 1, 2024
Homeଓଡିଶାକୋଣାର୍କ ଉତ୍ସବ- ୨୦୨୩ର ତୃତୀୟ ସନ୍ଧ୍ୟା, ବାଲୁକାକଳା ପ୍ରଦର୍ଶନ ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ ଉତ୍ସବ- ୨୦୨୩ର ତୃତୀୟ ସନ୍ଧ୍ୟା, ବାଲୁକାକଳା ପ୍ରଦର୍ଶନ ଦେଖିବାକୁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କୋଣାର୍କ: ଭକ୍ତି ରସ ସହ ଭାବ ଓ ଆବେଗର ସମନ୍ୱୟରେ ସମର୍ପଣର ଭାବଧାରାକୁ ପରଶି ଦେଇଥିଲା କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚ । ପର୍ଯ୍ୟଟନ ବିଭାଗ ଆୟୋଜିତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଶାସ୍ତ୍ରୀୟ ଓଡ଼ିଶୀ ଓ ସତ୍ତ୍ରିୟା ନୃତ୍ୟ ପରିବେଷଣରେ ବିଭୋର ହୋଇଥିଲେ ଦର୍ଶକ ମଣ୍ଡଳୀ ।

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ରୋଜାଲିନ୍‌ ମହାପାତ୍ର ଓ ତାଙ୍କ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନେ ସରସ୍ୱତୀ ବନ୍ଦନାକୁ ଉପସ୍ଥାପନ କରିଥିଲେ । ବୀଣା ଓ ପୁସ୍ତକ ଧାରଣ କରିଥିବା ବାକ୍‌ଦେବୀ ଅଜ୍ଞାନର ଅନ୍ଧକାରକୁ ଦୂରକରି ଜ୍ଞାନର ଆଲୋକକୁ ବିସ୍ତାର କରିବାର ଚେତନାକୁ ମଞ୍ଚାୟିତ କରିଥିଲେ ଶିଳ୍ପୀ । ପରେ ପରେ ଜନ ସମ୍ମୋହିନୀ ପଲ୍ଲବୀ ଓ ନୃତ୍ୟାଭିନୟ ଯୁଗେ ଯୁଗେ ଜଗନ୍ନାଥକୁ ପରିବେଷଣ କରିଥିଲେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀବୃନ୍ଦ ।

ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଯୁଗରେ ଶ୍ରୀ ଜଗନ୍ନାଥଙ୍କ ଅବତାର ସୃଷ୍ଟିକୁ ସୁରକ୍ଷା ଦେଇଛି । ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ଧ୍ୱଜା ଉଡ଼ାଇ ଆସିଛି । ପୌରାଣିକ ଆଖ୍ୟାନକୁ ନେଇ ନୃତ୍ୟ ସଂରଚନାଟି ଖୁବ୍‌ ଆକର୍ଷଣୀୟ ହୋଇଥିଲା ।ଦ୍ୱିତୀୟ ଚରଣରେ ସତ୍ତ୍ରିୟା ନୃତ୍ୟଶିଳ୍ପୀ ଅନ୍ୱେଷା ମହନ୍ତ ଓ ସାଥୀଙ୍କ ଉପସ୍ଥାପନାରେ ଭକ୍ତି ଦର୍ଶନ ଆଧାରିତ ପରମ ଲୀଳାର ପରିବେଷଣ ଦର୍ଶକଙ୍କୁ ଭାବ ଓ ଭକ୍ତିରେ ତଲ୍ଲୀନ କରିଥିଲା । ଖୋଳ ଓ ଝାଂଜର ସୁମଧୁର ବାଦନରେ ବୈଷ୍ଣବ ସନ୍ଥଙ୍କ ସମର୍ପଣର ଅଭିବ୍ୟକ୍ତି ହୃଦୟକୁ ଇଶ୍ୱର ମନସ୍କ କରିଥିଲା । ପ୍ରକୃତି ଓ ପୁରୁଷର ମିଳିତ ତତ୍ତ୍ୱକୁ ଭାକ୍ତିକ ଆବେଦନରେ ତୋଳି ଧରିଥିଲେ କଳ୍ପବୃକ୍ଷ ନୃତ୍ୟାନୁଷ୍ଠାନର ଶିଳ୍ପୀ ସତ୍ତ୍ରିୟା ନୃତ୍ୟ ମାଧ୍ୟମରେ । ଆଚାର୍ଯ୍ୟ ଶ୍ରୀମନ୍ତ ଶଙ୍କର ଦେବଙ୍କ ସଂରଚିତ ଶ୍ରୀ ଜଗନ୍ନାଥ ବନ୍ଦନା ଓ ଶୁଦ୍ଧନୃତ୍ୟ ଚାଲି ରାମ୍‌ଦାନିର ନିଖୁଣ ପ୍ରକାଶରେ ସତ୍ତ୍ରିୟା ନୃତ୍ୟର ଶାସ୍ତ୍ରୀୟତା ଓ ଭକ୍ତି ତତ୍ତ୍ୱକୁ ବଖାଣି ଥିଲେ ଶିଳ୍ପୀଗଣ ।

ତୃତୀୟ ସଂଧ୍ୟାର ଅତିଥିଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା (ସ୍ୱତନ୍ତ୍ର ପଦକ୍ଷେପ) ଆର୍‌. ବାଲକ୍ରୀଷ୍ଣନ୍‌; ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ।

ତୃତୀୟ ଦିନରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀମାନେ କ୍ରୀଡ଼ା ଓ ନାରୀ ଶସକ୍ତିକରଣ ବିଷୟବସ୍ତୁ ଉପରେ ସୁବର୍ଣ୍ଣବାଲିରେ ବାଲୁକାକଳା ପ୍ରସ୍ତୁତ କରିଥିଲେ । ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନକୁ ଦେଖିବା ପାଇଁ ଆଜି ଚନ୍ଦ୍ରଭାଗା ତଟରେ ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସହ ଚନ୍ଦ୍ରଭାଗାବେଳା ଭୁମିର ବାଲୁକାକଳା ପ୍ରଦର୍ଶନ କୋଣାର୍କାର ପରିବେଶକୁ କଳା-ସଂସ୍କୃତି ମୁଖର କରିଦେଇଛି ବୋଲି ପର୍ଯ୍ୟଟକମାନେ ମତପୋଷଣ କରିଛନ୍ତି । ଡ଼. ମୃତୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମ ଉପସ୍ତାପନା କରିଥିବା ବେଳେ ଡ଼. ସଙ୍ଗୀତା ଗୋସାଇଁଙ୍କ ସହ ପର୍ଯ୍ୟଟନ ବିଭାଗର ଅଧିକାରୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପଦାଧିକାରୀ ପରିଚାଳନାରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking