ହାଇଦ୍ରାବାଦ: ଚଳିତ ଆଇପିଏଲ୍ରେ ଗୁରୁବାର ସଂସ୍କରଣର ୪୭ତମ ମ୍ୟାଚ୍ ଏଠାକାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ବେଳେ ଏଥିରେ ଘରୋଇ ସନ୍ରାଇଜର୍ସ ହାଇଦ୍ରାବାଦ ୫ ରନ୍ରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି କୋଲ୍କାତା ନାଇଟ୍ ରାଇଡର୍ସ ୯ ୱିକେଟ୍ ବିନିମୟରେ ୧୭୧ ରନ୍ କରିଥିବା ବେଳେ ଏହାର ଜବାବରେ ହାଇଦ୍ରାବାଦ ୮ ୱିକେଟ୍ ହରାଇ ୧୬୬ ରନ୍ କରିପାରିଥିଲା । ଏଥିସହ କୋଲ୍କାତା ପ୍ରଥମ ପର୍ଯ୍ୟାୟରେ ଇଡେନ୍ ଗାର୍ଡେନ୍ସଠାରେ ୨୩ ରନ୍ରେ ବରଣ କରିଥିବା ପରାଜୟର ପ୍ରତିଶୋଧ ନେଇଛି । ଦଶମ ମ୍ୟାଚ୍ରେ କୋଲ୍କାତା ତା’ର ଚତୁର୍ଥ ବିଜୟ ହାସଲ କରିଥିବା ବେଳେ ନବମ ମ୍ୟାଚ୍ରେ ହାଇଦ୍ରାବାଦ ଷଷ୍ଠ ପରାଜୟ ବରଣ କରିଛି ।
କୋଲ୍କାତା ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ୪୬ ରନ୍ କରିଥିଲେ । ସେ ମାତ୍ର ୩୫ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହ ଏହି ରନ୍ କରିବା ସଙ୍ଗେ ସଙ୍ଗେ ଅଧିନାୟକ ନୀତୀଶ ରାଣାଙ୍କ ସାଥୀରେ ଚତୁର୍ଥ ୱିକେଟ୍ ପାଇଁ ୬୧ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ନୀତୀଶ ୩୧ ବଲ୍ରେ ୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୪୨ ରନ୍ କରିଥିଲେ । ଏହାଛଡ଼ା ଆନ୍ଦ୍ରେ ରସେଲ୍ ମାତ୍ର ୧୫ ବଳ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ମାଧ୍ୟମରେ ୨୪, ଓପନର ଜେସନ୍ ରୟ ୧୯ ବଲ୍ରେ ୪ଟି ଚୌକା ସହ ୨୦ ଏବଂ ଅନୁକୂଲ ରୟ ମାତ୍ର ୭ ବଲ୍ରେ ୨ଟି ଚୌକା ସହ ଅପରାଜିତ ୧୩ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନ୍ସନ୍ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଭୁବନେଶ୍ୱର କୁମାର, କାର୍ତ୍ତିକ ତ୍ୟାଗୀ, ଅଧିନାୟକ ଆଇଡେନ୍ ମାର୍କରାମ୍ ଓ ମୟଙ୍କ ମାର୍କଣ୍ଡେଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
ବ୍ୟାଟିଂରେ ଦଳର ଅଧିନାୟକ ମାର୍କରାମ୍ ସର୍ବାଧିକ ୪୧ ରନ୍ କରିଥିଲେ । ସେ ହେନ୍ରିକ୍ କ୍ଲାସେନ୍ଙ୍କ ସହିତ ପଞ୍ଚମ ୱିକେଟ୍ରେ ୭୦ ରନ୍ର ଭାଗୀଦାରୀ କରିବା ଫଳରେ ହାଇଦ୍ରାବାଦ ସ୍କୋର୍ ଶହେ ଟପିଥିଲା । ମାର୍କରାମ୍ ୪ଟି ଚୌକା ସହ ୪୧ ରନ୍ କରିଥିବା ବେଳେ କ୍ଲାସେନ୍ ମାତ୍ର ୨୦ ବଲ୍ରେ ଗୋଟିଏ ଚୌକା ଓ ୩ଟି ଛକା ସହାୟତାରେ ୩୬ ରନ୍ କରିଥିଲେ । ଏହାଛଡ଼ା ଅବଦୁଲ୍ ସମଦ୍ ୩ଟି ଚୌକା ସହ ୨୧, ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ତ୍ରିପାଠୀ ମାତ୍ର ୯ ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହ ୨୦, ଓପନର ମୟଙ୍କ ଅଗରୱାଲ୍ ୧୧ଟି ବଲ୍ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୧୮ ରନ୍ କରିଥିଲେ । ଅନ୍ତିମ ୫ ଓଭର୍ରେ ହାଇଦ୍ରାବାଦ ମାତ୍ର ୩୮ ରନ୍ ଆବଶ୍ୟକ କରୁଥିଲେ ହେଁ କୋଲ୍କାତାର ତାରକା ସ୍ପିନର୍ ବରୁନ୍ ଚକ୍ରବର୍ତ୍ତୀ ସେଥି ମଧ୍ୟରୁ ୧୮ଟି ବଲ୍ ପକାଇଥିଲେ । ଏହି ୩ ଓଭର୍ରେ ସେ ୮ଟି ବଲ୍ରେ କୌଣସି ରନ୍ ଦେଇ ନ ଥିଲେ । ଅଧିକନ୍ତୁ ସେ ମାତ୍ର ୮ ରନ୍ ବ୍ୟୟ କରିବା ସହ ସମଦ୍ଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇ ମ୍ୟାଚ୍ର ମୋଡ଼ ବଦଳାଇଦେବାରେ ସକ୍ଷମ ହୋଇଥିଲେ । କୋଲ୍କାତା ପକ୍ଷରୁ ବୈଭବ ଅରୋରା ଓ ଶାର୍ଦ୍ଦୁଲ୍ ଠାକୁର ୨ଟି ଲେଖାଏଁ ଏବଂ ହର୍ଷିତ ରାଣା, ରସେଲ୍, ଅନୁକୂଲ ଓ ବରୁନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
କ୍ୟାପସନ୍: ଏକ ବଡ଼ ଶଟ୍ ଖେଳୁଛନ୍ତି ରିଙ୍କୁ