ବେଙ୍ଗାଲୁରୁ : ସ୍ଥାନୀୟ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଚଳିତ ଆଇପିଏଲ୍ର ୩୬ତମ ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଘରୋଇ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୨୧ ରନ୍ରେ ପରାସ୍ତ କରିଛି । ଲଗାତାର ଚାରିଟି ମ୍ୟାଚ୍ ହାରିବା ପରେ ଏହା କେକେଆର୍ର ପ୍ରଥମ ବିଜୟ । ଏହି ବିଜୟ ଫଳରେ ନୀତୀଶ ରାଣାଙ୍କ ନେତୃତ୍ୱାଧୀନ କେକେଆର୍ର ପ୍ଲେଅଫ୍ ଆଶା କାଏମ୍ ରହିଛି । ଟିମ୍ ୭ ମ୍ୟାଚ୍ରୁ ତୃତୀୟ ବିଜୟ ସହିତ ୬ ପଏଣ୍ଟ୍ ନେଇ ସପ୍ତମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆର୍ସିବି ୮ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କେକେଆର୍ ଓପ୍ନର୍ ଜେସନ୍ ରୟ (୫୬)ଙ୍କ ଅର୍ଦ୍ଧଶତକ ସହାୟତାରେ ୫ ୱିକେଟ୍ ବିନିମୟରେ ୨୦୦ ରନ୍ କରିଥିଲା । ଜବାବରେ ଆର୍ସିବି ୮ ୱିକେଟ୍ରେ ୧୭୯ ରନ୍ କରିବାକୁ ସମର୍ଥ ହୋଇଥିଲା ।
୨୦୧ ରନ୍ର ପିଛା କରୁଥିବା ଆର୍ସିବି ପକ୍ଷରୁ ବିରାଟ କୋହଲି ଓ ଫାପ୍ ଡୁପ୍ଲେସିସ୍ ଦ୍ରୁତ ଆରମ୍ଭ କରିଥିଲେ । ଦୁହେଁ ୧୪ ବଲ୍ରେ ୩୩ ରନ୍ କରିଥିଲେ । ଡୁପ୍ଲେସିସ୍ (୧୭)ଙ୍କୁ ସୁୟସ୍ ଶର୍ମା କ୍ୟାଚ୍ ଆଉଟ୍ କରାଇବା ପରେ କୋହଲି ଇନିଂସ୍ ସମ୍ଭାଳିଥିଲେ । ମାତ୍ର ଅନ୍ୟପଟେ ଶାହବାଜ ଅହମ୍ମଦ (୨) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ (୫)ରେ ଆଉଟ୍ ହେବା ପରେ ଟିମ୍ର ସ୍କୋର୍ ୫୮/୩ ହୋଇଥିଲା । ଏହାପରେ ମହିପାଲ୍ ଲୋମରର୍ ଓ କୋହଲିଙ୍କ ମଧ୍ୟରେ ୫୫ ରନ୍ର ଭାଗୀଦାରୀ ହୋଇଥିଲା । ମହିପାଲ୍ ୩୪ ରନ୍ରେ ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଆଉଟ୍ ହେବା ପର ଓଭର୍ରେ କୋହଲି ରସେଲ୍ଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଭେଙ୍କଟେଶଙ୍କ ଆୟର୍ ତାଙ୍କର ଏକ ଉନ୍ନତ କ୍ୟାଚ୍ ଧରିଥିଲେ । କୋହଲି ୩୭ ବଲ୍ରେ ୬ ଚୌକା ସହାୟତାରେ ୫୭ ରନ୍ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଏହା ଚଳିତ ସିଜନ୍ରେ ତାଙ୍କର ପଞ୍ଚମ ଅର୍ଦ୍ଧଶତକ । ଦିନେଶ କୋହଲି ୨୨ ଏବଂ ସୂୟାଶ ପ୍ରଭୁଦେଶାଇ ୧୦ ରନ୍ କରିଥିଲେ । ହସରଙ୍ଗା ୫ ରନ୍ରେ ଆଉଟ୍ ହୋଇଥିବା ବେଳେ ଡେଭିଡ୍ ୱେଲି ୧୧ ଏବଂ ବିଜୟ କୁମାର ବୈଶାଖ ୧୩ ରନ୍ରେ ଅପରାଜିତ ଥିଲେ । କେକେଆର୍ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୩ଟି ଏବଂ ସୂୟାଶ ଶର୍ମା ଓ ଆନ୍ଦ୍ରେ ରସେଲ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କେକେଆର୍କୁ ଜେସନ୍ ରୟ ଦ୍ରୁତ ଆରମ୍ଭ ଦେଇଥିଲେ । ନାରାୟଣ ଜଗଦୀଶନ୍ ମଧ୍ୟ ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ । ଦୁହେଁ ପାୱାର୍ ପ୍ଲେରେ ୬୬ ରନ୍ ଉଠାଇଥିଲେ । ରୟ ୨୨ ବଲ୍ରେ ଅର୍ଦ୍ଧଶତକ ପୂରା କରିଥିଲେ । ଏହା ଚଳିତ ସିଜନ୍ରେ ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ । ଦୁହେଁ ୫୬ ବଲ୍ରେ ପ୍ରଥମ ୱିକେଟ୍ ପାଇଁ ୮୩ ରନ୍ର ଯୋଡ଼ି ଟିମ୍ ପାଇଁ ମଜଭୁତ ମୂଳଦୁଆ ପକାଇଥିଲେ । ତେବେ ସପ୍ତମ ଓଭର୍ରେ ଜଗଦୀଶନ୍ ଏବଂ ଜେସନ୍ ରୟଙ୍କୁ ଆଉଟ୍ କରି ବିଜୟ କୁମାର ବୈଶାଖ ଆର୍ସିବିକୁ ବଡ଼ ସଫଳତା ଦେଇଥିଲେ । ଜଗଦୀଶନ୍ ୨୭ ବଲ୍ରେ ୪ ଚୌକା ସହାୟତାରେ ୨୯ ଏବଂ ରୟ ୨୯ ବଲ୍ରେ ଚାରି ଚୌକା ଓ ପାଞ୍ଚ ଛକା ବଳରେ ୫୬ ରନ୍ କରିଥିଲେ । ଏହାପରେ କ୍ୟାପ୍ଟେନ୍ ନୀତେଶ ରାଣା ଓ ଭେଙ୍କଟେଶ ଆୟର୍ ୩ୟ ୱିକେଟ୍ ପାଇଁ ୮୦ ରନ୍ର ଭାଗଦାରୀ କରି ସ୍କୋର୍ ୧୫୦ ପାର୍ ପହଞ୍ଚାଇଥିଲେ । ରାଣା ୨୧ ବଲ୍ରେ ୪୮ ରନ୍ କରି ଆଉଟ୍ ହେବା ପରେ ଏହି ଯୋଡ଼ି ଭାଙ୍ଗିଥିଲା । ଆୟର୍ ୨୬ ବଲ୍ରେ ୩ ଚୌକା ସହାୟତାରେ ୩୧ ରନ୍ କରି ହସରଙ୍ଗାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହାପରେ ଆନ୍ଦ୍ରେ ରସେଲ୍ ୧ ରନ୍ରେ ଆଉଟ୍ ହୋଇଥିଲେ । ରିଙ୍କୁ ସିଂହ ୧୮ ଏବଂ ଡେଭିଡ୍ ୱାଇଜ୍ ୧୨ ରନ୍ରେ ଅପରାଜିତ ଥିଲେ । ବେଙ୍ଗାଲୁରୁ ପକ୍ଷରୁ ବୈଶାଖ ଓ ହସରଙ୍ଗା ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସିରାଜ୍ଙ୍କୁ ଗୋଟିଏ ସଫଳତା ମିଳିଥିଲା ।