33.1 C
Bhubaneswar
Wednesday, April 16, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌-୧୬: ବରୁନ୍‌ଙ୍କୁ ୩ ୱିକେଟ୍‌; ଅନ୍ତିମ ବଲ୍‌ରେ ଜିତିଲା କୋଲ୍‌କାତା

ଆଇପିଏଲ୍‌-୧୬: ବରୁନ୍‌ଙ୍କୁ ୩ ୱିକେଟ୍‌; ଅନ୍ତିମ ବଲ୍‌ରେ ଜିତିଲା କୋଲ୍‌କାତା

କୋଲ୍‌କାତା: ଚଳିତ ଆଇପିଏଲ୍‌ରେ ସୋମବାର ସଂସ୍କରଣର ୫୩ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଘରୋଇ କୋଲ୍‌କାତା ନାଇଟ୍ ରାଇଡର୍ସ ଅନ୍ତିମ ବଲ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଓପନର ତଥା ଅଧିନାୟକ ଶିଖର ଧୱନ୍‌ଙ୍କ ଅର୍ଦ୍ଧଶତକ ସହାୟତାରେ ୭ ୱିକେଟ୍ ବିନିମୟରେ ୧୭୯ ରନ୍ କରିଥିଲା । କୋଲ୍‌କାତାର ତାରକା ସ୍ପିନର୍ ବରୁନ୍ ଚକ୍ରବର୍ତ୍ତୀ ୩ଟି ୱିକେଟ୍ ନେବା ଫଳରେ ପଞ୍ଜାବ ବିଶେଷ ବଡ଼ ଟାର୍ଗେଟ୍ ଦେଇପାରି ନ ଥିଲା । ବ୍ୟାଟିଂରେ କୋଲ୍‌କାତା ୫ ୱିକେଟ୍ ହରାଇ ୧୮୨ ରନ୍ କରି ସଂସ୍କରଣରେ ଏକାଦଶ ମ୍ୟାଚ୍‌ରେ ପଞ୍ଚମ ବିଜୟ ହାସଲ କରିଛି । ଏଥିସହ ପ୍ରଥମ ପର୍ଯ୍ୟାୟରେ ଦଳ ବରଣ କରିଥିବା ପରାଜୟର ପ୍ରତିଶୋଧ ମଧ୍ୟ ନେଇପାରିଛି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ କୋଲ୍‌କାତାକୁ ଡକ୍‌ୱର୍ଥ ଲୁଇସ୍ ପଦ୍ଧତିରେ ୭ ରନ୍‌ରେ ପରାସ୍ତ କରିଥିବା ପଞ୍ଜାବ ସୋମବାର ତା’ର ଏକାଦଶ ମ୍ୟାଚ୍‌ରେ ଷଷ୍ଠ ପରାଜୟ ବରଣ କରିଛି।

ପଞ୍ଜାବ ପାଇଁ ଓପନର ଧୱନ୍‌ଙ୍କ ସହ ୨୧ ରନ୍ ଯୋଡ଼ିବା ପରେ ତାଙ୍କ ଯୋଡ଼ିଦାର ପ୍ରଭସିମରନ୍ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଧୱନ୍ ଗୋଟିଏ ପଟେ ଦୃଢ଼ ଭାବେ ବ୍ୟାଟିଂ ଜାରି ରଖିଥିଲେ । ଭାନୁକା ରାଜପକ୍ଷ ଶୂନରେ ଆଉଟ୍ ହୋଇଥିବା ବେଳେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୩ଟି ଚୌକା ସହ ୧୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଚତୁର୍ଥ ୱିକେଟ୍‌ରେ ପଞ୍ଜାବର ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା ଅଧିନାୟକଙ୍କ ସହ ୫୩ ରନ୍ ଯୋଡ଼ିବା ଫଳରେ ଦଳୀୟ ସ୍କୋର୍ ୧୦୦ ଅତିକ୍ରମ କରିଥିଲା । ଜିତେଶ ୨ଟି ଛକା ସହ ୨୧ ରନ୍ କରିବା ପରେ ଆଉଟ୍ ହେବାରୁ ଏହି ଯୋଡ଼ି ଭାଙ୍ଗିଥିଲା । ପରେ ଧୱନ୍ ପଞ୍ଚମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହେବା ପୂର୍ବରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ସହ ୯ଟି ଚୌକା ଓ ଗୋଟିଏ ଛକା ମାଧ୍ୟମରେ ୫୭ ରନ୍ କରିସାରିଥିଲେ । ଋଷି ଧୱନ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୯ ରନ୍ କରି ଆଉଟ୍ ହୋଇଥିଲେ ହେଁ ସପ୍ତମ ୱିକେଟ୍‌ରେ ଶାହରୁଖ୍ ଖାନ୍ ଓ ହରପ୍ରୀତ୍ ବ୍ରାର୍‌ଙ୍କ ମଧ୍ୟରେ ଅବିଭାଜିତ ୪୦ ରନ୍‌ର ଭାଗୀଦାରୀ ହୋଇଥିଲା । ଶାହରୁଖ୍ ମାତ୍ର ୮ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହ ୨୧ ଏବଂ ହରପ୍ରୀତ୍ ୯ଟି ବଲ୍‌ରେ ୨ଟି ଚୌକା ଓ ଗୋଟିଏ ଛକା ସହ ୧୭ ରନ୍ କରିଥିଲେ । କୋଲ୍‌କାତା ପକ୍ଷରୁ ବରୁନ୍‌ଙ୍କ ବ୍ୟତୀତ ହର୍ଷିତ ରାଣା ୨ଟି ଏବଂ ସୂୟାଶ ଶର୍ମା ଓ ଅଧିନାୟକ ନୀତୀଶ ରାଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ କୋଲ୍‌କାତାର ଦୁଇ ଓପନର ଜେସନ୍ ରୟ ଓ ରହମନ୍‌ଉଲ୍ଲା ଗୁରବାଜ୍ ୩୮ ରନ୍ ଯୋଡ଼ିଥିଲେ । ଗୁର୍‌ବାଜ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୫ ରନ୍ କରି ଆଉଟ୍ ହେବା ପରେ ରୟ ଓ ନୀତୀଶଙ୍କ ମଧ୍ୟରେ ୨୬ ରନ୍‌ର ଭାଗୀଦାରୀ ହୋଇଥିଲା । ରୟ ୮ଟି ଚୌକା ସହ ୩୮ ରନ୍ କରିଥିବା ବେଳେ ତାଙ୍କ ସ୍ଥାନ ପୂରଣ ପାଇଁ ଆସିଥିବା ଭେଙ୍କଟେଶ ଆୟର୍ ୧୧ ରନ୍‌ରେ ଆଉଟ୍ ହୋଇଥିଲେ । କିନ୍ତୁ ସେ ନୀତୀଶଙ୍କ ସହ ୫୧ ରନ୍ ଯୋଡ଼ିଥିଲେ । ନୀତୀଶ ୬ଟି ଚୌକା ଓ ଗୋଟିଏ ଛକା ସହ ୫୧ ରନ୍‌ରେ ପ୍ୟାଭିଲିଅନ୍ ଫେରିବା ପରେ ଆନ୍ଦ୍ରେ ରସେଲ୍ ଓ ରିଙ୍କୁ ସିଂହଙ୍କ ମଧ୍ୟରେ ୫୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ହେବା ଫଳରେ ଦଳ ବିଜୟ ନିକଟତର ହୋଇଥିଲା । ଅନ୍ତିମ ଓଭର୍‌ର ପଞ୍ଚମ ବଲ୍‌ରେ ରସେଲ୍ ୩ଟି ଲେଖାଏଁ ଚୌକା ଓ ଛକା ସହ ୪୨ ରନ୍‌ରେ ଆଉଟ୍ ହୋଇଥିଲେ । ତେବେ ଅନ୍ତିମ ବଲ୍‌ରେ ଦଳ ୨ ରନ୍ ଆବଶ୍ୟକ କରୁଥିବା ବେଳେ ରିଙ୍କୁ ଚୌକା ଲଗାଇ ମ୍ୟାଚ୍‌ର ମୁଣ୍ଡି ମାରିଥିଲେ । ସେ ମାତ୍ର ୧୦ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ସହ ୨୧ ରନ୍ କରିଥିଲେ । ପଞ୍ଜାବ ପକ୍ଷରୁ ରାହୁଲ୍ ଚହର୍‌ଙ୍କୁ ୨ଟି ଏବଂ ନାଥନ୍ ଏଲିସ୍ ଓ ହରପ୍ରୀତ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking