27.1 C
Bhubaneswar
Saturday, July 27, 2024
Homeଖେଳକୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ନାହିଁ: ଗାଙ୍ଗୁଲି

କୋହଲିଙ୍କୁ ଅଧିନାୟକ ପଦରୁ ହଟାଇ ନାହିଁ: ଗାଙ୍ଗୁଲି

ନୂଆଦିଲ୍ଲୀ: ଗତବର୍ଷ ବିରାଟ କୋହଲି ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଭାରତୀୟ କ୍ରିକେଟ୍‌ରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । କୋହଲିଙ୍କ ଅଧିନାୟକତ୍ୱ ଯେଉଁଭଳି ଭାବେ ଶେଷ ହୋଇଥିଲା, ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହି ଷ୍ଟାର୍ ବ୍ୟାଟର୍‌୍ ଭାରତର ଟି-୨୦ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତି ନେବା ପରେ ଦିନିକିଆ ଫର୍ମାଟ୍‌ର ନେତୃତ୍ୱରୁ ମଧ୍ୟ ଓହରିଯାଇଥିଲେ । ଏହାର କିଛି ସମୟ ପରେ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଥିଲେ । ଏପରି ସ୍ଥିତିରେ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବାରେ ତାଙ୍କର ବଡ଼ ଭୂମିକା ଥିବା ସେତେବେଳେ ଅନେକ ରିପୋର୍ଟରେ ଦାବି କରାଯାଇଥିଲା । ତେବେ ଏଥିରେ ତାଙ୍କର କୌଣସି ଭୂମିକା ନଥିବା ଗାଙ୍ଗୁଲି ଏବେ କହିଛନ୍ତି ।

ଏ ସମ୍ପର୍କରେ ଗାଙ୍ଗୁଲି କହିଛନ୍ତି, ମୁଁ ବିରାଟଙ୍କୁ ଅଧିନାୟକ ପଦରୁ ହଟାଇ ନାହିଁ । ଏହା ମୁଁ ଅନେକ ଥର କହିଆସିଛି । ସେ (କୋହଲି) ଟ୍ୱେଣ୍ଟି-୨୦ରେ ନେତୃତ୍ୱ ନେବାକୁ ଆଗ୍ରହୀ ନଥିଲେ । ତେଣୁ ସେ ଏଭଳି ନିଷ୍ପତ୍ତି ନେବା ପରେ ମୁଁ ତାଙ୍କୁ କହିଥିଲି, ଯଦି ଆପଣ ଟ୍ୱେଣ୍ଟି-୨୦ରେ ନେତୃତ୍ୱ ନେବାକୁ ଆଗ୍ରହୀ ନୁହନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ହ୍ୱାଇଟ୍ ବଲ୍ କ୍ରିକେଟ୍ ଫର୍ମାଟରୁ ଓହରିଯିବା ଭଲ । ଜଣେ ହ୍ୱାଇଟ୍ ବଲ୍ ଅଧିନାୟକ ଓ ଜଣେ ରେଡ୍ ବଲ୍ ଅଧିନାୟକ ହୁଅନ୍ତୁ ବୋଲି ରିଏଲିଟି ଶୋ’ ‘ଦାଦାଗିରି ଅନ୍‌ଲିମିଟେଡ୍ ସିଜନ୍‌-୧୦’ରେ ସୌରଭ ଗାଙ୍ଗୁଲି କହିଛନ୍ତି ।

ଗାଙ୍ଗୁଲି ଆହୁରି କହିଛନ୍ତି, ରୋହିତ ଶର୍ମା ତିନୋଟି ଯାକ ଫର୍ମାଟ୍‌ରେ ନେତୃତ୍ୱ ନେବାକୁ ଆଗ୍ରହୀ ନଥିଲେ, ମୁଁ ତାଙ୍କୁ ଅଧିନାୟକ ଦାୟିତ୍ୱ ନେବାକୁ ପୁସ୍ କରିଥିଲି । ତେଣୁ ଏଥିରେ ହୁଏତ ମୋର କିଛି ଯୋଗଦାନ ଥାଇପାରେ । କିନ୍ତୁ ଯିଏ ବି ଆଡ୍‌ମିନିଷ୍ଟ୍ରେସନ୍ କରୁ ନା କାହିଁକି, ଖେଳାଳମାନେ ହିଁ ପଡ଼ିଆରେ ଭଲ ପ୍ରଦର୍ଶନ କରିଥାନ୍ତି । ଭାରତୀୟ କ୍ରିକେଟ୍‌ର ଉନ୍ନତି କରିବା ପାଇଁ ମୋତେ ବିସିସିଆଇ ସଭାପତି ନିଯୁକ୍ତ କରାଯାଇଥିଲା । ଏହା ତା’ର ଏକ ଛୋଟ ଅଂଶ ।

କୋହଲି ତିନୋଟ ଯାକ ଫର୍ମାଟ୍‌ରେ ଭାରତୀୟ ଦଳର ଅଧିନାୟକ ପଦରୁ ବିଦାୟ ନେବା ପରେ ରୋହିତ ଶର୍ମାଙ୍କୁ ଟି-୨୦, ଦିନିକିଆ ସହ ଟେଷ୍ଟ୍ ଫର୍ମାଟ୍‌ରେ ମଧ୍ୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା ।

ଉଲ୍ଲେଖଯୋଗ୍ୟ, ବିରାଟ କୋହଲିଙ୍କ ପରେ ଟିମ୍ ଇଣ୍ଡିଆକୁ ଆଜି ପର୍ଯ୍ୟନ୍ତ ତିନୋଟି ଯାକ ଫର୍ମାଟ୍‌ରେ ଜଣେ ଅଧିନାୟକ ମିଳିପାରି ନାହିଁ । ବିସିସିଆଇ ପ୍ରାୟ ପ୍ରତ୍ୟେକ ସିଜନ୍‌ରେ ନୁଆଁ ଅଧିନାୟକ ନିଯୁକ୍ତି କରୁଛି । ଗତ ଦୁଇବର୍ଷରେ ବହୁ ଖେଳାଳି ଟିମ୍ ଇଣ୍ଡିଆର ନେତୃତ୍ୱ କରିଛନ୍ତି । ଏପରିକି ଆଗାମୀ ସାଉଥ୍ ଆଫ୍ରିକା ଗସ୍ତରେ ମଧ୍ୟ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବ, ଦିନିକିଆ ଅଧିନାୟକ ଭାବେ କେଏଲ୍ ରାହୁଲ ଏବଂ ଟେଷ୍ଟ୍ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking