35 C
Bhubaneswar
Tuesday, June 25, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ

ଜାଣନ୍ତୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ହେଉଛନ୍ତି ସୁରେଶ ପୂଜାରୀ । ଅଶୀ ଦଶକରେ ସାରା ରାଜ୍ୟରେ ଜଣେ ଚର୍ଚ୍ଚିତ ଛାତ୍ରନେତା ଭାବେ ସୁନାମ ଅର୍ଜନ କରିଥିବା ଜଣେ ସଫଳ ରାଜନେତା ହେଉଛନ୍ତି ସୁରେଶ। ବିଜେପି ନେତୃତ୍ବାଧୀନ ନୂଆ ମନ୍ତ୍ରୀମଣ୍ଡଳରେ ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ମିଳିଛି କ୍ୟାବିନେଟ୍ ପାହ୍ୟା। ଚଳିତ ନିର୍ବାଚନରେ ଶ୍ରୀ ପୂଜାରୀ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ୨୬ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌ରେ ପରାଜିତ କରି ବିଜୟୀ ହୋଇଛନ୍ତି । ବରଗଡ଼ ଜିଲ୍ଲା ସଦର ବ୍ଲକ ତୋରାରେ ଜନ୍ମିତ ଶ୍ରୀ ପୂଜାରୀ ସମ୍ବଲପୁରର ଜିଏମ୍ କଲେଜ, ଏଲ୍ ଆର୍ ଲ’ କଲେଜରେ ପାଠ ପଢ଼ିଛନ୍ତି । ପଦାର୍ଥ ବିଜ୍ଞାନରେ ଏସ୍ଏମ୍‌ସି, ଏଲ୍‌ଏଲ୍‌ବି, ଶ୍ରମ ଆଇନ୍‌ରେ ପିଜି ଡିପ୍ଲୋମା ଭଳି ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଶ୍ରୀ ପୂଜାରୀ ଛାତ୍ର ଜୀବନରୁ ହିଁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୦ -୮୧ ମସିହାରେ ସେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନ ଗଙ୍ଗାଧର ମେହେର କଲେଜ ଛାତ୍ର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୨ ମସିହାରେ ସେ ସମ୍ବଲପୁର ମ୍ୟୁନିସିପାଲଟିର ଅଧ୍ୟକ୍ଷ ହୋଇଥିଲେ । ସେହିବର୍ଷ ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଭାବେ ମନୋନୀତ ହୋଇଥିବା ବେଳେ ୧୯୯୩ ମସିହାରେ ରାଜ୍ୟ ସର୍ବନିମ୍ନ ପାରିଶ୍ରମିକ ବୋର୍ଡର ସଦସ୍ୟ ହୋଇଥିଲେ, ସେ ୨୦୦୪-୨୦୦୬ ଯାଏ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୯-୨୦୧୨ ମସିହା ଯାଏ ତ୍ରିପୁରାରେ ବିଜେପିର ପ୍ରଭାରୀ, ୨୦୧୨-୨୦୧୪ ଯାଏ ଜାତୀୟ ଟ୍ରେନିଂ ସେଲ୍‌ର ସଦସ୍ୟ ରହିଥିଲେ । ୨୦୦୦ରୁ ୨୦୦୩ ମସିହା ଯାଏ ସେ ରାଜ୍ୟ ବିଜେପିର ଉପ ସଭାପତି ଓ ୨୦୦୬ରୁ ୨୦୦୯ ମସିହା ଯାଏ ସଭାପତି ଭାବେ ମଧ୍ୟ ଦାୟିତ୍ଵ ନିର୍ବାହ କରିଛନ୍ତି। ୨୦୧୯ରୁ ୨୦୨୪ ଯାଏ ସେ ବରଗଡ଼ ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତେବେ ନିଜ ରାଜନୈତିକ କ୍ୟାରିୟରରେ ବହୁ ବାଧାବିଘ୍ନ ସହିଛନ୍ତି ସୁରେଶ। ଥରେ ନୁହେଁ ଦି ଥର ନୁହେଁ, ୬ ଥର ପରାଜୟ ବରଣ କରିଥିବା ସୁରେଶଙ୍କୁ ୨୦୧୯ରେ ମିଳିଥିଲା ପ୍ରଥମ ବିଜୟ । ବରଗଡ଼ ଲୋକସଭା ଆସନରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ସେ ବ୍ରଜରାଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ରାଜନେତା ଶ୍ରୀ ପୂଜାରୀ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଦୃଢ଼ତାର ସ୍ୱର ଉଠାଇଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking