ନୂଆଦିଲ୍ଲୀ: ହିମାଳୟରେ ଅବସ୍ଥିତ ଦକ୍ଷିଣ ଏସିଆର ଏକ ଛୋଟ ଦେଶ ଭୂଟାନ । ହେଲେ ଏହା ମହତ୍ୱପୂର୍ଣ୍ଣ ଦେଶ । ଭୂଟାନରେ ଚାରିଆଡେ କେବଳ ପାହାଡ ହିଁ ପାହାଡ । ଏହାର ପୃଷ୍ଠଭୂମି ସବୁଠାରୁ ଦୁର୍ଗମ । ଭୂଟାନର ସ୍ଥାନୀୟ ନାମ ହେଉଛି ଡ୍ରୁକ ୟୁଲ । ଯାହାର ଅର୍ଥ ଡ୍ରାଗନର ଦେଶ । ଆପଣଙ୍କୁ କହିରଖୁଛୁ ଭୁଟାନର ସ୍ୱତନ୍ତ୍ରତା ଶତାବ୍ଦୀ ଧରି ଚାଲି ଆସୁଛି । ଏହା ନିଜ ଇତିହାସରେ କେବେ ବି ଉପନିବେଶିତ ହୋଇନାହିଁ । ଭୂଟାନରେ ନୌସେନା ନହେବାର କାରଣ ହେଲା ତିବତ ଓ ଭାରତ ମଧ୍ୟରେ ଥିବା ଲ୍ୟାଣ୍ଡଲକ ଅର୍ଥାତ ଆବଦ୍ଧ ଦେଶ । ସେହିଭଳି ବାୟୁସେନା କ୍ଷେତ୍ରରେ ଭାରତ ଭୁଟାନର ସାହାଯ୍ୟ ମଧ୍ୟ କରିଥାଏ । ସେହି ଦେଶରେ ଆର୍ମି ଅଛି, ଯାହାକୁ ରୟାଲ ଭୂଟାନ ଆର୍ମି କୁହାଯାଏ । ଏହା ରୟାଲ ବଡିଗାର୍ଡସ ଓ ରୟାଲ ଭୂଟାନ ପୁଲିସର ସଂଯୁକ୍ତ ନାମ । ଭାରତୀୟ ସେନା ହିଁ ଏମାନଙ୍କୁ ପ୍ରଶିକ୍ଷଣ ଦେଇଥାଏ । ଭୂଟାନରେ ଗଙ୍ଗଖାର ପୁନସୁମ ନାମକ ଏକ ପାହାଡ ରହିଛି, ଯାହା ସେଠିକାର ସବୁଠୁ ଉଚ୍ଚ ପାହାଡ ବୋଲି କୁହାଯାଏ । ବାସ୍ତବରେ ଭୂଟାନ ସରକାର ଏହି ପାହାଡ ଉପରେ କାହାକୁ ଚଢିବାକୁ ହିଁ ଦିଅନ୍ତିନି । ଏହାପଛରେ କାରଣ ହେଲା ଯେ, ଭୂଟାନ ଲୋକେ ପାହାଡକୁ ଭଗବାନଙ୍କ ରୂପରେ ପୂଜା କରନ୍ତି । ଏମିତିରେ ଗଙ୍ଗଖାର ପୁନସୁମ ବି ସେମାନଙ୍କ ପାଇଁ ଏକ ପବିତ୍ର ସ୍ଥଳ । ୧୯୯୪ ମସିହାରେ ଭୂଟାନ ସରକାର ପାହାଡ ଉପରେ ଚଢିବାକୁ ନେଇ ଏକ ଆଇନ ବି ପାସ କରିଥିଲେ । ଯାହା ଅନୁସାରେ, ୨୦ ହଜାର ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ ପାହାଡ ଉପରେ ପର୍ଯ୍ୟଟକଙ୍କୁ ଚଢିବାର ଅନୁମତି ମିଳିବ । ଭୂଟାନରେ ତମ୍ବାଖୁ ସଂପୂର୍ଣ୍ଣ ଭାବରେ ବନ୍ଦ । ୨୦୦୪ରେ ଏହା ଉପରେ ସମଗ୍ର ଦେଶରେ ରୋକ ଲଗାଯାଇଥିଲା । ଭୂଟାନ ଦୁନିଆର ଏମିତି ଏକ ପ୍ରଥମ ଦେଶ, ଯେଉଁଠି ତମ୍ବାଖରୁ ପ୍ରସ୍ତୁତ ଉତ୍ପାଦ ଉପରେ ସଂପୂର୍ଣ୍ଣ ଭାବରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କିଏ ଏହାକୁ କିଣାବିକା କରିବା ସମୟରେ ଧରାପଡେ ତେବେ ଏଥିପାଇଁ ଜରିମାନା ସହିତ ଦଣ୍ଡ ଭୋଗିବାକୁ ପଡେ ।