26.1 C
Bhubaneswar
Tuesday, November 19, 2024
Homeଆଇପିଏଲ୍ -2022ହାରିଲା ବାଙ୍ଗାଲୋର, ବିଧ୍ୱଂସୀ ନରିନ୍ : କ୍ୱାଲିଫାୟର୍‌-୨ରେ କୋଲ୍‌କାତା

ହାରିଲା ବାଙ୍ଗାଲୋର, ବିଧ୍ୱଂସୀ ନରିନ୍ : କ୍ୱାଲିଫାୟର୍‌-୨ରେ କୋଲ୍‌କାତା

ଶାରଜାହ: ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣର ଦ୍ୱିତୀୟ ଚରଣରେ ଏବେ ପ୍ଲେଅଫ୍ ପର୍ଯ୍ୟାୟ ଜାରି ରହିଥିବା ବେଳେ ସୋମବାର ଏଲିମିନେଟର୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛି । ଅନ୍ୟପକ୍ଷରେ କୋଲ୍‌କାତା ନାଇଟ୍ ରାଇଡର୍ସ ଆସନ୍ତା ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯିବାକୁ ଥିବା କ୍ୱାଲିଫାୟର୍‌-୨ ପାଇଁ ଯୋଗ୍ୟତା ହାସଲ କରିଛି । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହେଁ ବିରାଟ କୋହଲିଙ୍କ ବାଙ୍ଗାଲୋର୍ ୭ ୱିକେଟ୍ ବିନିମୟରେ ମାତ୍ର ୧୩୮ ରନ୍ କରିଥିଲା । କୋଲ୍‌କାତା ପକ୍ଷରୁ ଇଣ୍ଡିଜ୍ ସ୍ପିନର୍ ସୁନୀଲ ନରିନ୍ ଯାଦୁକରୀ ବୋଲିଂ କରିବା ଫଳରେ ବାଙ୍ଗାଲୋର୍ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା । ନରିନ୍ ତାଙ୍କ ୪ ଓଭର୍‌ରେ ୨୧ ରନ୍ ଦେଇ ଅଧିନାୟକ କୋହଲି, ଏବି ଡିଭିଲିୟର୍ସ ଓ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ସମେତ ୪ ଜଣ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରିଥିଲେ । ଜବାବରେ କୋଲ୍‌କାତା ୧୯.୪ ଓଭର୍‌ରେ ୬ଟି ୱିକେଟ୍ ହରାଇ ୧୩୯ ରନ୍ କରି ତୃତୀୟ ଟାଇଟଲ୍‌ର ନିକଟତର ହୋଇଛି । ଅନ୍ୟପକ୍ଷରେ ଟାଇଟଲ୍ ଆଶାରେ ଥିବା କୋହଲିଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି ।

ବାଙ୍ଗାଲୋର୍ ପକ୍ଷରୁ ଅଧିନାୟକ କୋହଲି ଓ ତାଙ୍କ ଓପନିଂ ଯୋଡ଼ିଦାର ଦେବଦତ୍ତ ପାଡିକଲ୍ ୪୯ ରନ୍ ଯୋଡ଼ିଥିଲେ । ଏହି ସମୟରେ ୧୮ଟି ବଲ୍ ଖେଳି ୨ଟି ଚୌକା ଜରିଆରେ ୨୧ ରନ୍ କରିଥିବା ପାଡିକଲ୍ ଆଉଟ୍ ହୋଇଥିଲେ । ପରେ ଶ୍ରୀକର ଭରତଙ୍କ ସହ କୋହଲି ୨୦ ରନ୍ ଯୋଡ଼ିବା ପରେ ଭରତ ଆଉଟ୍ ହୋଇଥିଲେ । ସେ ମାତ୍ର ୯ ରନ୍ କରିଥିଲେ । ଏହାପରେ ବାଙ୍ଗାଲୋର୍ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହେବା ଫଳରେ ଶେଷ ୬୨ଟି ବଲ୍‌ରେ ମାତ୍ର ୬୫ ରନ୍ କରିପାରିଥିଲା । ଅଧିନାୟକ କୋହଲି ୩୩ଟି ବଲ୍ ଖେଳି ୫ଟି ଚୌକା ସହ ୩୯ ରନ୍ କରିଥିବା ବେଳେ ମ୍ୟାକ୍ସୱେଲ୍ ଗୋଟିଏ ଚୌକା ସହ ୧୫, ଡିଭିଲିୟର୍ସ ଗୋଟିଏ ଚୌକା ସହ ୧୧ ଓ ଶାହବାଜ୍ ଅହମ୍ମଦ ଗୋଟିଏ ଚୌକା ସହ ୧୩ ରନ୍ କରିଥିଲେ । ଶେଷ ଭାଗରେ ହର୍ଷଲ୍ ପଟେଲ୍ ଗୋଟିଏ ଚୌକା ସହ ୬ ବଲ୍‌ରେ ଅପରାଜିତ ୮ ରନ୍ କରିଥିଲେ । କୋଲ୍‌କାତା ପକ୍ଷରୁ ନରିନ୍‌ଙ୍କ ବ୍ୟତୀତ ଲକି ଫର୍ଗୁସନ୍ ୨ଟି ୱିକେଟ୍ ନେଇଛନ୍ତି । ଜବାବରେ କୋଲ୍‌କାତା ପକ୍ଷରୁ ଓପନର ଶୁବମାନ ଗିଲ୍ ୧୮ ବଲ୍‌ରେ ୪ଟି ଚୌକା ସହ ୨୯, ଭେଙ୍କଟେଶ ଆୟର୍ ଗୋଟିଏ ଛକା ସହ ୨୬ ରନ୍ କରିଥିଲେ । ଏହାଛଡ଼ା ବୋଲିଂରେ ଚମତ୍କାରିତା ଦେଖାଇଥିବା ନରିନ୍ ବ୍ୟାଟିଂ କ୍ରମରେ ଉନ୍ନତି ପାଇ ମାତ୍ର ୧୫ଟି ବଲରେ ୩ଟି ଛକା ସହ ୨୬ ରନ୍ କରିଥିବା ବେଳେ ନୀତିଶ ରାଣା ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୨୩ ରନ୍ କରିଥିଲେ । ବାଙ୍ଗାଲୋର୍ ପକ୍ଷରୁ ମହମ୍ମଦ ସିରାଜ୍‌, ହର୍ଷଲ୍ ପଟେଲ୍ ଓ ୟୁଜବେନ୍ଦ୍ର ଚହଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking