ନୂଆଦିଲ୍ଲୀ : ଦ୍ୱିତୀୟ ଲହର ସଂକ୍ରମଣ କମୁଥିବାରୁ ଲୋକମାନେ ଆଶ୍ୱସ୍ତି ଲାଭ କରିଥିବା ବେଳେ ତୃତୀୟ ଲହରର ଭୟ ଦେଖାଦେଇଛି। ଏହି ସମୟରେ ବିଭିନ୍ନ ରାଜ୍ୟରେ କୋଭିଡ୍ ମାମଲା ନିୟନ୍ତ୍ରଣରେ ରହିଥିବା ବେଳେ କେରଳରେ ସଂକ୍ରମଣ ଭୟଙ୍କର ସ୍ଥିତିରେ ରହିଛି । ସେଠାରେ କରୋନା ଗ୍ରାଫ୍ ଡରାଇବାକୁ ଲାଗିଲାଣି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୩୨ ହଜାର ୮୦୧ ମାମଲା ଚିହ୍ନଟ ହୋଇଛି ଏବଂ ୧୭୯ ଜଣଙ୍କ ପ୍ରାଣ ଯାଇଛି । ହେଲେ ଇତି ମଧ୍ୟରେ ଗୋଟିଏ କଥା ଆଶ୍ୱସ୍ତି ପ୍ରଦାନ କରିଛି ତାହା ହେଉଛି ଦେଶରେ ଜାରି ରହିଥିବା ଟିକାକରଣ ପ୍ରକ୍ରିୟା । ଶୁକ୍ରବାର ଗୋଟିଏ ଦିନରେ ଏକ କୋଟି ଲୋକଙ୍କୁ ଟିକା ଦିଆଯାଇଛି । କିନ୍ତୁ ଏତେ ସବୁ ପରେ ବି କେରଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରୁନି । ତେଣୁ କେନ୍ଦ୍ର ତଥା ରାଜ୍ୟ ସରକାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬,୭୫୯ ଟି ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୫୦୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ, ୩୧ହଜାର ୩୭୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।