ଭୁବନେଶ୍ୱର: ମାରଣାସ୍ତ୍ର ଧରି ରାଜଧାନୀର ରାସ୍ତାରେ ଆତଙ୍କ ସୃଷ୍ଟି କରିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାଙ୍କୁ ନୟାପଲ୍ଲୀ ଥାନା ପୁଲିସ ଡ଼େଲଟା ଅଞ୍ଚଳରେ ଚଢ଼ାଉ କରି ଶୁକ୍ରବାର ଗିରଫ କରିଛି । ଏହାପରେ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ବୁବୁଙ୍କ ଘରୁ ଏକ ଖଣ୍ଡା ଜବତ କରାଯାଇଛି । ବୁବୁଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ତାଙ୍କ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୧୨ରୁ ଅଧିକ ମାମଲା ରହିଛି । ବୁବୁଙ୍କୁ ମିଶାଇ କେବିଏନ୍ ଗ୍ୟାଙ୍ଗର ୧୦ଜଣଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିଥିବାବେଳେ ଆହୁରି ୧୯ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ଅଧିକ ତଦନ୍ତ ଚଳାଇଛି ।
ତେବେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଖୋଳତାଡ଼ ପାଇଁ ପୁଲିସ ବୁବୁଙ୍କୁ କୋର୍ଟ ଚାଲାଣ ପରେ ୭ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଭୁବନେଶ୍ୱର ଡ଼ିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏଥିସହ ଏଭଳି ଲୋକଙ୍କୁ ଭୟଭିତ କରିବା ଭଳି ଭିଡ଼ିଓ ନକରିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜଧାନୀରେ ଭୟଭୀତ କଲାଭଳି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ଦେଖାଯାଉଥିଲା ୨୦ରୁ ଉର୍ଦ୍ଧ୍ୱ ଯୁବକ ବନ୍ଧୁକ ଧରି ଭୟଭିତ କରାଉଥିଲେ । ମଧ୍ୟରାତ୍ରରେ ରାଜପଥରେ ନାଚୁଥିଲେ । ଜନ୍ମଦିନ ପାଳି କେକ୍ କାଟୁଥିଲେ । ଏଥିସହ ସଂଗୀତର ତାଳେତାଳେ ମଜି ଯାଉଥିଲେ ।
ରକ୍ତଚରିତ୍ର ଗୀତ ଲଗାଇ ଖଣ୍ଡା ବୁଲାଇ ରିଲ୍ କରୁଥିଲେ । କାର୍ ଝରକାରେ ବେପରୁଆ ହୋଇ ବିଭିନ୍ନ ମାରଣାସ୍ତ୍ର ଧରି ଗ୍ୟାଙ୍ଗର ସଦସ୍ୟମାନେ ବୁଲୁଥିଲେ । ରାଜଧାନୀର ୟୁନିଟ-୮, ଡେଲ୍ଟା ଛକ, ସିଆର୍ପି ଛକ, ନୟାପଲ୍ଲୀ, ବରମୁଣ୍ଡା, ପୁରୁଣା ଭୁବନେଶ୍ୱର ଆଦି ଅ ଳରେ ବୁଲାବୁଲି କରି ସେମାନେ ଆତଙ୍କ ରଚୁଥିଲେ । ଗ୍ୟାଙ୍ଗର ସଦସ୍ୟମାନେ ସବୁବେଳେ ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ଏକାଠି ବସୁଥିଲେ । ଜଣେ ଯୁବକ ଏକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବା ଉକ୍ତ ଭିଡିଓରେ ଦେଖାଯାଇଥିଲା ।
ଏହାକୁ ନେଇ ରାଜଧାନୀବାସୀ ଆତଙ୍କିତ ହୋଇପଡିଥିଲେ । ସେପ୍ଟେମ୍ବର ୨୧ତାରିଖରେ ନୟାପଲ୍ଲୀ ସିଆର୍ପି ଛକ ପ୍ରିୟଦର୍ଶନୀ ମାର୍କେଟରେ ହୋଇଥିବା ଆକ୍ରମଣ ଘଟଣାରେ ବୁବୁ ଫେରାର ହୋଇଯାଇଥିଲେ । ଏହି ଗ୍ୟାଙ୍ଗ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଫଳରେ ଉକ୍ତ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିବାକୁ ଡିସିପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ପୁଲିସ ଟିମ୍ ବିଭିନ୍ନ ଅପରାଧିଙ୍କ ଘର ଭାଙ୍ଗିବା ସହ ଅନେକ ମାରଣାସ୍ତ୍ର ଜବତ କରିଥିଲା ।