29.1 C
Bhubaneswar
Wednesday, May 1, 2024
Homeଓଡିଶାମୃଗନାଭି କସ୍ତୁରୀ: କସ୍ତୁରଵା

ମୃଗନାଭି କସ୍ତୁରୀ: କସ୍ତୁରଵା

 

ଭୁବନେଶ୍ୱର : ଦକ୍ଷିଣ ଆଫ୍ରିକାର ମୋହନଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମା ଗାନ୍ଧୀ ପର୍ଯ୍ୟନ୍ତ ଉତ୍ତରଣ ଯାତ୍ରା ସହିତ ତାଳ ଦେଇ କସ୍ତୁରଵା ନାମକ ଜଣେ ସାଧାରଣ ଭାରତୀୟ ନାରୀ ଧୀରେ ଧୀରେ ରାଷ୍ଟ୍ରମାତା  ନା’ ରେ ରୂପାନ୍ତରିତ ହେବାକୁ ଲାଗିଥିଲେ।
ପ୍ରାରମ୍ଭିକ ପ୍ରଯ୍ୟାୟରେ ବାପୁଙ୍କ ପାରମ୍ପରିକ ପୁରୁଷତାନ୍ତ୍ରିକ ମନ ମଧ୍ୟ ସ୍ୱାମୀ ଭାବରେ ପ୍ରଥମେ ନିଜର ପ୍ରଭୁତ୍ୱ ସାବ୍ୟସ୍ତ କରିବାକୁ ଚାହୁଁଥିଲା କିନ୍ତୁ କସ୍ତୁରଵା ଅନ୍ଧ ଭାବରେ ତାଙ୍କ ବଶତା ସ୍ୱୀକାର ନ କରି ଯଥାର୍ଥ ଯୁକ୍ତି କରି ନିଜ ନିଷ୍ପତ୍ତିରେ ସ୍ଥିର ରହୁଥିଲେ।ପରବର୍ତ୍ତୀ ସମୟରେ ସେ ସମ୍ପୂର୍ଣ୍ଣ ଭାବରେ ଗାନ୍ଧୀଙ୍କ ଚିନ୍ତା ଓ ଚେତନାରେ ନିଜକୁ ସାମିଲ କରିଥିଲେ। ଜୀବନର ପ୍ରତିଟି କ୍ଷେତ୍ରରେ ତାଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିଥିଲେ। ନାରୀ ସୁଲଭ ସମସ୍ତ ନିଜସ୍ୱ ଇଛାକୁ ବଳିଦାନ ଦେଇ ରାଷ୍ଟ୍ରହିତରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବା’ଙ୍କ ତ୍ୟାଗ ସମ୍ପର୍କରେ ନିଜେ ମହାତ୍ମା ଗାନ୍ଧୀ କହିଛନ୍ତି ” ଯଦି ଅନ୍ୟ କୌଣସି ଜନ୍ମରେ ମୋତେ ମୋର ଜୀବନ ସାଥୀ ବାଛିବାକୁ କୁହାଯାଏ ମୁଁ କସ୍ତୁରଵାଙ୍କ ବ୍ୟତୀତ ଅନ୍ୟ କାହାକୁ ବାଛିବି ନାହିଁ।ଭଗବାନ କରନ୍ତୁ, ଅନ୍ୟ ଜନ୍ମମାନଙ୍କରେ ମଧ୍ୟ କସ୍ତୁରଵା ମୋର ଜୀବନ ସାଥି ହୁଅନ୍ତୁ।”
ମୋହନ ଆରମ୍ଭରୁ ମହାତ୍ମା ନ ଥିଲେ। ମୋହନ ଦାସରୁ ମହାତ୍ମା ହେବାପାଇଁ ଜୀବନକୁ ନିଜ ସିଦ୍ଧାନ୍ତର ପ୍ରୟୋଗଶାଳା ସହିତ ବ୍ରହ୍ମଚର୍ଯ୍ୟ ଓ ସତ୍ୟ ସାଧନାର ଯେଉଁ କଷ୍ଟକର ଜୀବନଚର୍ଯ୍ୟା ଦେଇ ଗତି କରୁଥିଲେ ସେଥିରେ କସ୍ତୁରଵାଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିଲା। ଗାନ୍ଧୀଙ୍କ କଠିନ ଆଶ୍ରମ ନିୟମାବଳୀ ମଧ୍ୟରେ ନିଜର ସନ୍ତାନସନ୍ତତିଙ୍କ ପ୍ରତି ମାତୃବତ୍ସଳ ସ୍ନେହକୁ ଅବଦମିତ କରି ଏକ ସ୍ତ୍ରୀର ଇଛା ଏବଂ ଅଧିକାରକୁ ତ୍ୟାଗ କରି ଏକ ନୀରବ ସାଧିକାର ଜୀବନ ଯାପନ କରିବା କିଛି ସହଜ ନ ଥିଲା କସ୍ତୁରଵାଙ୍କ ପାଇଁ।ଜୀବନର ବିଭିନ୍ନ କଷ୍ଟକୁ ସହ୍ୟ କରି ନିଜ ନାରୀତ୍ବର ସ୍ୱାତନ୍ତ୍ର୍ୟ ରକ୍ଷା କରି ମୌନ ପ୍ରତିବାଦ କରିଥିବା କସ୍ତୁରଵା ହିଁ ଗାନ୍ଧୀଙ୍କ “ଅହିଂସା” ମନ୍ତ୍ରର ମୂଳ ସୂତ୍ର ଥିଲେ। ନିଜ ଆତ୍ମ ଜୀବନରେ କସ୍ତୁରଵା ତାଙ୍କ ଅହିଂସାର ଶିକ୍ଷାଦାତ୍ରୀ ବୋଲି ସେ ସ୍ୱୀକାର କରିଛନ୍ତି।
ଭାରତୀୟ ନାରୀର ମହନୀୟତା,ପତ୍ନୀ ସଂସ୍କାର ଓ ସଂସ୍କୃତିର ଜ୍ୱଳନ୍ତ ପ୍ରତୀକ ଥିଲେ ବା’। ସମ୍ପୂର୍ଣ୍ଣ ନିରକ୍ଷର ହୋଇ ମଧ୍ୟ ଶିକ୍ଷାର ବାସ୍ତବ ଅର୍ଥ ଯେ କୌଣସି ଡିଗ୍ରୀ ନୁହେଁ ବରଂ ନିଜର ଅନ୍ତର୍ନିହିତ ଶକ୍ତିକୁ ଚିହ୍ନି ସ୍ୱାବଲମ୍ବୀ ହୋଇ ଦୃଢ଼ତାର ସହିତ ନିଜର ସ୍ୱାଭିମାନକୁ ବଜାଇ ରଖି ଉନ୍ମକ୍ତ ବିଚାରଧାରାରେ ତାହାକୁ ପରିବାର ଓ ସମାଜର ହିତ ସାଧନରେ ନିୟୋଜିତ କରି ପାରିବା ହିଁ ବାସ୍ତବ ଶିକ୍ଷା ଏହା ସେ ପ୍ରତିପାଦନ କରି ପାରିଥିଲେ।ନାରୀ ସ୍ୱାଧୀନତା ଓ ସଶକ୍ତିକରଣର ବାସ୍ତବ ଅର୍ଥ ଯେ ନିଜ ଚିନ୍ତାଧାରାକୁ ସତମାର୍ଗରେ ପରିଚାଳିତ କରି ଶୁଦ୍ଧ ସଂକଳ୍ପବଦ୍ଧ ହୋଇ ସମାଜ ତଥା ରାଷ୍ଟ୍ରର ଉନ୍ନତି ଦିଗରେ ନିଷ୍ପତ୍ତି ନେବାର ଅଧିକାରକୁ ହିଁ ବାସ୍ତବ ମହିଳା ସଶକ୍ତିକରଣ କୁହାଯାଏ ତାହା ସେ ସର୍ବଦା ଚେତାଇ ଆସୁଥିଲେ।ମହାତ୍ମାଗାନ୍ଧୀ ମଧ୍ୟ ପ୍ରତ୍ୟେକ ରଚନାତ୍ମକ କାର୍ଯ୍ୟରେ କସ୍ତୁରଵାଙ୍କୁ ସାଙ୍ଗରେ ରଖି ସେ ସମୟର ରକ୍ଷଣଶୀଳ ପରିସ୍ଥିତିରେ ମହିଳାଙ୍କୁ ମୁଖ୍ୟସ୍ରୋତକୁ ଆଣିବାର ପ୍ରୟାସ କରିଥିଲେ।ମୃଗନାଭି କସ୍ତୁରୀ ପରି ତାଙ୍କ ବ୍ୟକ୍ତିତ୍ୱର ସୁଗନ୍ଧରେ ସମସ୍ତଙ୍କୁ ମହକିତ କରିଥିଲେ ମଧ୍ୟ ସେଥିରେ ବିଭୋର ହୋଇ ନିଜ ସହଜ ସରଳ ଜୀବନ ଶୈଳୀ ଓ କର୍ମପଥରୁ କେବେ ବି ବିଚ୍ୟୁତ ହୋଇ ନ ଥିଲେ। ଦକ୍ଷିଣ ଆଫ୍ରିକାର ଫିନିକ୍ସ ଆଶ୍ରମରୁ ଆରମ୍ଭ କରି ସାବରମତୀ ଆଶ୍ରମ ପର୍ଯ୍ୟନ୍ତ ସବୁର ସୁପରିଚାଳନାରେ ତାଙ୍କର ପର୍ଯ୍ୟାପ୍ତ ଭୂମିକା ରହିଥିଲେ ମଧ୍ୟ ସେଥିପାଇଁ ସେ କେବେହେଲେ ସ୍ୱୀକୃତି ଚାହିଁ ନାହାନ୍ତି।
ଏ ସବୁ ସତ୍ତ୍ୱେ ଆମର ପୁରୁଷ କେନ୍ଦ୍ରିକ ସମାଜ କସ୍ତୁରଵା ଗାନ୍ଧୀଙ୍କ ତ୍ୟାଗ ଓ ବଳିଦାନକୁ ଅଣଦେଖା କରିବାର ବିଭିନ୍ନ ଦୃଷ୍ଟାନ୍ତ ରହିଛି। ଶେଷ ସମୟରେ ଆଗା ଖାଁ ପ୍ୟାଲେସରେ ଗୃହବନ୍ଦୀ ହୋଇ ସ୍ୱାମୀ ମହାତ୍ମାଙ୍କ କୋଳରେ ପ୍ରାଣ ତ୍ୟାଗ କରିଥିବା ବା’ ଯଦିଓ ଏକ ପତିବ୍ରତା ନାରୀର ସୌଭାଗ୍ୟ ଅର୍ଜନ କରି ପାରିଥିଲେ କିନ୍ତୁ ତା ଉହାଡରେ ରହିଥିବା ଉପଯୁକ୍ତ ଯତ୍ନ ଚିକିତ୍ସାରେ ଅବହେଳା ହୋଇ ମାନସିକ ନିର୍ଯ୍ୟାତନାରେ ତାଙ୍କ ଜୀବନର ବଳକା ଆୟୁକୁ ଯେ ବ୍ରିଟିଶ ସରକାର ନିର୍ମମ ଭାବରେ ହତ୍ୟା କରିଥିଲେ ତାହାକୁ ଗୁରୁତ୍ୱ ଦିଆଯାଇନାହିଁ। ବ୍ରିଟିଶ ସରକାରଙ୍କ ଏହି ଚରମ ଅବହେଳାର କଷ୍ଟକୁ ହୃଦୟଙ୍ଗମ କରି ନେତାଜୀ ସୁବାଷ ଚନ୍ଦ୍ର ବୋଷ କସ୍ତୁରଵାଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି (Homage to mother of the Indian People)ରେ ଉଲ୍ଲେଖ କରି କହିଛନ୍ତି କସ୍ତୁରଵାଙ୍କ ମୃତ୍ୟୁ ଏକ ଶହୀଦର ମୃତ୍ୟୁ।
ଯେଉଁଦିନ ଏ ଭାରତ ମାଟିରେ ଗୋଟିଏ ବି ବ୍ରିଟିଶ ରହିବେ ନାହିଁ ସେହିଦିନ ଆମେ ବ୍ରିଟିଶ ସରକାରଙ୍କ ଏହି ନିର୍ମମ ହତ୍ୟାର ପ୍ରତିଶୋଧ ନେଲୁ ବୋଲି ହୃଦୟଙ୍ଗମ କରିପାରିବା।’
କିନ୍ତୁ ଆଜି ଆମେ ଅତ୍ୟାଚାରୀ ବ୍ରିଟିଶ ସାମ୍ରାଜ୍ୟ କବଳରୁ ସ୍ୱାଧୀନ ହୋଇଛୁ ସତ କିନ୍ତୁ ଏ ପର୍ଯ୍ୟନ୍ତ ଆମେ ପରାଧୀନ ରହିଛୁ ଆମର ଅନ୍ଧବିଶ୍ୱାସ,କୁସଂସ୍କାର ଓ ଅପରିପକ୍ୱ ମାନସିକତାର କବଳରେ। ୨୦୧୮ ମସିହା ବା’ ଓ ବାପୁ ଦୁହିଙ୍କ ୧୫୦ ତମ ଜନ୍ମ ଜୟନ୍ତୀର ବର୍ଷ ଥିଲା।ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ସାରା ବିଶ୍ୱ ସହିତ ଆମ ଦେଶ ଭାରତ ମଧ୍ୟ ପାଳନ କରିଥିଲା ।କିନ୍ତୁ ଅନ୍ୟ ରାଷ୍ଟ୍ର ପରି ଆମ ଦେଶ ଭାରତରେ ମଧ୍ୟ କୌଣସି ଏକ ସରକାରୀ କାର୍ଯ୍ୟକ୍ରମରେ ବା’ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ବିଷୟରେ ଉଲ୍ଲେଖ କରାଗଲା ନାହିଁ କିମ୍ବା ତାଙ୍କ ପାଇଁ କୌଣସି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ରଖାଗଲା ନାହିଁ। ଏହାର କାରଣ କଣ ସେହି ପୁରୁଷକେନ୍ଦ୍ରିକ ମାନସିକତା ନୁହେଁ କି?
ଯେଉଁଦିନ କଳା ଚମଡାର ଆବରଣ ତଳେ ରହିଯାଇଥିବା କିଛ ବ୍ରିଟିଶ ଚିନ୍ତାଧାରାର ବ୍ୟକ୍ତି ଵିଶେଷଙ୍କ ପୁରୁଷତାନ୍ତ୍ରିକ ବିଚାରଧାରାକୁ ଭୁଲ ବୋଲି ପ୍ରମାଣିତ କରି ପରିବାର, ସମାଜ ଓ ରାଷ୍ଟ୍ରର ହିତରେ ମହିଳାମାନଙ୍କୁ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ସମାନ ଭାବରେ ସାମିଲ କରାଯାଇ ପାରିବ ସେହିଦିନ ବାସ୍ତବରେ ଆମେ ବା’ଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବାର ଯୋଗ୍ୟ ହୋଇପାରିବା।
ସେହିଦିନ ପର୍ଯ୍ୟନ୍ତ ଶହଶହ କସ୍ତୁରଵାଙ୍କ ସଂଗ୍ରାମ ଜାରି ରହିବ।

ଡ଼ଃ ରିନା ରାଉତରାୟ
ଭୁବନେଶ୍ୱର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking