21.1 C
Bhubaneswar
Friday, January 24, 2025
Homeଓଡିଶାଗମ୍ଭୀର ହେଉଛି କାଶୀପୁର ହଇଜା ସ୍ଥିତି: ଆଖିବୁଜିଲେ ଆଉ ୨, ମୃତ୍ୟୁସଂଖ୍ୟା ପହଞ୍ଚିଲା ୧୨ରେ

ଗମ୍ଭୀର ହେଉଛି କାଶୀପୁର ହଇଜା ସ୍ଥିତି: ଆଖିବୁଜିଲେ ଆଉ ୨, ମୃତ୍ୟୁସଂଖ୍ୟା ପହଞ୍ଚିଲା ୧୨ରେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ଥମିବାର ନାଁ ନେଉନାହିଁ ହଇଜା । ସ୍ଥିତି ଗମ୍ଭୀର ହୋଇପଡ଼ିଛି । ଦିନେ ଦୁଇଦିନ ବ୍ୟବଧାନରେ ଜଣେ ଦୁଇଜଣଙ୍କର ମୃତ୍ୟୁ; ମୁଣ୍ଡବ୍ୟଥାର କାରଣ ପାଲଟିଛି । ବ୍ଲକ୍‌ରେ ଗତ ୧୫ଦିନରୁ ଅଧିକ ସମୟ ହେବ ବ୍ୟାପିଥିବା ହଇଜା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ଅନୁମାନ କରାଯାଉଛି । ପ୍ରତିଦିନ ନୂଆ ନୂଆ ଗ୍ରାମ ହଇଜା ପ୍ରଭାବିତ ତାଲିକାରେ ଯୋଡ଼ିହେବା ସହିତ ନୂତନ ରୋଗୀ ଚିହ୍ନଟ ହେବା କାରଣରୁ ସ୍ଥିତି ସମ୍ପୂର୍ଣ୍ଣ ଚିନ୍ତାଜନକ ହୋଇପଡ଼ିଛି । ବୁଧବାର ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁଘଟିଛି । ମୃତକଦ୍ୱୟହେଲେ ଟିକିରି ପଞ୍ଚାୟତ ଅନ୍ତର୍ଗତ ପାନବନ୍ଧ ଗ୍ରାମର ବିଟା ମାଝୀ(୨୭) ଓ ଜାମୁଗୁଡ଼ାର ସୁନୀ ମାଝୀ(୫୬) । ବିଟା ମଧ୍ୟାହ୍ନରେ ଓ ସୁନୀ ସକାଳୁ ମୃତ୍ୟୁବରଣ କରିଛନ୍ତି ।

ନିଜଘରେ ଦୁଇଜଣଙ୍କ ମୃତ୍ୟୁହୋଇଛି । ଗତ ଦୁଇଦିନହେବ ପେଟବ୍ୟଥା ସହିତ ଉଭୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ତାଙ୍କ ଚିକିତ୍ସା କରିଥିଲେ । ହେଲେ ବୁଧବାର ସେମାନଙ୍କର ମୃତ୍ୟୁଘଟିଥିବା ପରିବାର ଲୋକେ କହିଛନ୍ତି । ମୃତ୍ୟୁସଂଖ୍ୟା ୧୨କୁ ଛୁଇଁଛି । ୩୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି । ଶତାଧିକ ଲୋକ ବିଭିନ୍ନ ଗ୍ରାମରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ମେଡିକାଲ୍‌ରେ ରୋଗୀଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବା ବେଳେ ଗୋଟିଏ ପରେ ଗୋଟିଏ ଗାଁକୁ ମାଡ଼ିଚାଲିଛି ହଇଜା । ସରକାରୀଭାବେ ଯଦିଓ ୧୦ ଗାଁରେ ହଇଜା ବ୍ୟାପିଥିବା କୁହାଯାଉଛି, କିନ୍ତୁ ପ୍ରକୃତପକ୍ଷେ ଏହା ୨୨ଟି ଗାଁକୁ ବ୍ୟାପିଲାଣି ।

ଚିନ୍ତା ବଢ଼ାଇଛି ଭୂତଳଜଳ । ଜଳଉତ୍ସଗୁଡ଼ିକର ବିଶୋଧନ ଠିକ୍ ଭାବରେ ହେଉନଥିବା ଯୋଗୁଁ ହଇଜା କାବୁ ହେଉନଥିବା ଅଭିଯୋଗ ହୋଇଛି । ସେପଟେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଟିକିରି ପଞ୍ଚୟତ ସଦର ମହକୁମାର ଜାମୁଗୁଡାସାହିରେ ଜଣଙ୍କର ହାଇଜାରେ ମୃତ୍ୟୁଘଟିଛି । ତାଙ୍କ ନାଁ ସୁନୀ ମାଝୀ (୫୬) । ଏହାକୁ ମିଶାଇ ଜୁଲାଇ ୭ରୁ ୨୭ତାରିଖ ମଧ୍ୟରେ ୩୬ଜଣଙ୍କର ମୃତ୍ୟୁଘଟିଥିବା ବେସରକାରୀଭାବେ କୁହାଯାଉଛି । ତେବେ ଜିଲ୍ଲାପାଳଙ୍କ କହିବା କଥାହେଲା; ବିଗତ ଦୁଇଦିନ ପୂର୍ବେ ଦୈନିକ ୭୦ରୁ ୮୦ଜଣ ହଇଜା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ତାହା କମି ୫୦ରୁ ୬୦ ମଧ୍ୟରେ ରହିଛି । ଏପଟେ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ୧୭ଜଣ ଡାକ୍ତର, ୨ଜଣ ଶିଶୁରୋଗ ବିଶେଷଜ୍ଞ, ୧୪ ଜଣ କମ୍ୟୁନିଟି ହେଲ୍‌ଥ ଅଫିସର, ୫ ଜଣ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ), ୩୨ଜଣ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀ (ମହିଳା), ୨୩୩ ଜଣ ଆଶାକର୍ମୀ,୯ ମୋବାଇଲ ହେଲ୍‌ଥ ୟୁନିଟ୍ ସହିତ ୬ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି ମଧ୍ୟ ବିଭିନ୍ନ ମେଡିକାଲ୍‌ରେ ୫୧ଜଣ ହଇଜା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ଉଷାପଡ଼ା ଉତ୍କଳ ହସ୍ପିଟାଲ୍‌ରେ ୧୪, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨, ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୪, ଟିକିରି ଉତ୍କଳ ମେଡିକାଲ୍‌ରେ ୧୦ଜଣ ଭର୍ତ୍ତି ହୋଇଛନ୍ତି ।

ସେହିଭଳି କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜରେ ଜଣେ ଚିକିତ୍ସିତ ହେଉଛନ୍ତି । ଏତଦ୍ ବ୍ୟତୀତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ୍ ୫୦ ଜଣଙ୍କର ଚିକିତ୍ସା କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୫ ଦିନ ହେବ କାଶୀପୁର ବ୍ଲକ୍‌ରେ ବ୍ୟାପିଥିବା ଝାଡ଼ାବାନ୍ତି ହଇଜାର ରୂପନେଇଛି । ବ୍ଲକ୍‌ର ପାନବନ୍ଧ, କାଳିଆଯୋଡ଼ି, ସୋରିଷପଦର, କପାଡ଼ାଙ୍ଗ, ଡେଙ୍ଗାଗୁଡ଼ା, ମଲ୍ଲୀଝରଣ, ଟିକିରି, ଗୁମୁଡିସୁପେଲ, ସାନମାଟିକଣା, ସୁରୁଗୁଞ୍ଜା, ରୁଆଲେପଟା, ଖୁରିଗାଁ, ଅଣ୍ଡିରାକଞ୍ଚ, ପୋଡାପାଡ଼ି, ଗୋବରିଘାଟି, ଦୁଡୁକାବାହାଲ, ବଡ଼ମାରିଭଟା, ଜଲାକୁରା, ରାଉତଘାଟି ଓ କାକୁଡ଼ିପଦର ଭଳି ଅନେକ ଗାଁରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking