31.1 C
Bhubaneswar
Wednesday, February 28, 2024
Homeଓଡିଶାନୀଳମାଧବଙ୍କ ନାମକରଣର କ’ଣ ରହିଛି ରହସ୍ୟ

ନୀଳମାଧବଙ୍କ ନାମକରଣର କ’ଣ ରହିଛି ରହସ୍ୟ

ନୟାଗଡ଼(ଓଏନଏ) : ଜିଲ୍ଲାର ଖଣ୍ଡପଡ଼ା ବ୍ଲକ୍‌ର କଣ୍ଟିଲୋ ପୁରାଣ ତଥା ଇତିହାସ ପ୍ରସିଦ୍ଧ ଅଞ୍ଚଳ। ପୁଣ୍ୟ‌ତୋୟା ମହାନଦୀ କୂଳରେ ଅବସ୍ଥିତ ଶ୍ରୀ ଶ୍ରୀ ନୀଳମାଧବଙ୍କ ମନ୍ଦିର, ଯାହାକୁ ନେଇ ଅନେକ କିଂବଦନ୍ତି ରହିଛି। ନୀଳମାଧବଙ୍କୁ ଜଗନ୍ନାଥଙ୍କ ଆଦିରୂପ ଭାବେ ବିବେଚନା କରାଯାଏ। ଜଗନ୍ନାଥଙ୍କ ଆଦିକ୍ଷେତ୍ର ଭାବେ କଣ୍ଟିଲୋ ପରିଚିତ। ନୀଳମାଧବଙ୍କ ନିମନ୍ତେ ଦେଶ,ବିଦେଶର ଜଗନ୍ନାଥପ୍ରେମୀଙ୍କ ମନରେ ରହିଛି କଣ୍ଟିଲୋ, ଜଗନ୍ନାଥଙ୍କ ଆଦ୍ୟ ରୂପ ନୀଳମାଧବ ଶବର ରାଜା ବିଶ୍ବାବସୁ, ବିଦ୍ୟାପତି ଓ ଲଲିତାଙ୍କ କଥା କିଂବଦନ୍ତି କହେ, ମାଳବ ଦେଶର ଅବନ୍ତୀ ନଗରର ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ଥିଲେ। ସେ ଅତି ମାତ୍ରାରେ ବିଷ୍ଣୁଙ୍କ ଭକ୍ତ ଥି‌ଲେ।

ଥରେ ମନ୍ତ୍ରୀ ପାରିଷଦ ଗଣଙ୍କ ସହ ଆଲୋଚନା ସମୟରେ ମର୍ତ୍ତ୍ୟ ମଣ୍ଡଳରେ ସାକ୍ଷାତ ଭଗବାନଙ୍କୁ ଅନ୍ୱେଷଣ କରିବା ପାଇଁ ନିଜ ପାରିଷଦ ଗଣଙ୍କୁ ନିର୍ଦ୍ଦେଶ ଦେଲେ। ଏ‌ ନେଇ ସେ ତ‌ାଙ୍କର କର୍ମଚାରୀଙ୍କୁ ବିଭିନ୍ନ ଦିଗକୁ ପ୍ରେରଣ କରିଥିଲେ। ସେମାନଙ୍କ ମଧ୍ୟରୁ ବିଦ୍ୟାପତି ଉତ୍କଳ ପ୍ରଦେଶର ଘଞ୍ଚ ଜଙ୍ଗଲ ପାର କରି ବିଶ୍ୱାବସୁ ପୀଠରେ ପହଞ୍ଚିଥିଲେ। ସେଠାରେ ଶବର ରାଜା ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରୁଥିବା ଏବଂ ତାଙ୍କୁ ସ୍ୱଚକ୍ଷୁରେ ଦେଖିବା ସହ ତାଙ୍କ ସହ ବାର୍ତ୍ତାଳାପ ମଧ୍ୟ କରୁଥିବାର ଜାଣିବାକୁ ପାଇଲେ। ବିଶ୍ୱାବସୁ ନୀଳମାଧବଙ୍କୁ ପୂଜା କରିବା କଥା କାହାକୁ ଜଣାଉନଥିଲେ। ଏଣୁ ବିଦ୍ୟାପତି ତାଙ୍କ କନ୍ୟା ଲଳିତାଙ୍କ ସହ ପ୍ରଥମେ ପ୍ରେମ ସମ୍ପର୍କ ଯୋଡ଼ି ପରେ ତାଙ୍କୁ ବିବାହ କରିଥିଲେ। କୌଶଳକ୍ରମେ ବିଶ୍ୱାବସୁଙ୍କ ସାଥୀରେ ଭଗବାନ ନୀଳମାଧବଙ୍କୁ ଦେଖିବାକୁ ବିଦ୍ୟାପତି ଜିଦ୍ କରିଥିଲେ। ଗୋଟିଏ ସର୍ତ୍ତରେ ବିଶ୍ୱାବସୁ ଏ‌ଥିନିମନ୍ତେ ରାଜି ହୋଇଥିଲେ। ବିଦ୍ୟାପତିଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧାଯିବ ଓ ଯେଉଁ ରାସ୍ତାରେ ସେ ଯିବେ କାହାରିକୁ ଜଣାଇବେ ନାହିଁ। ଏହି ସର୍ତ୍ତରେ ରାଜି ହୋଇ ବିଦ୍ୟାପତି ଆଖିରେ ଅନ୍ଧପୁଟୁଳି ବାନ୍ଧି ଉକ୍ତ ସ୍ଥାନକୁ ଯିବାକୁ ରାଜି ହୋଇଥିଲେ।

 

କିନ୍ତୁ କୌଶଳକ୍ରମେ ହାତରେ ନେଇଥିବା ସୋରିଷ ବାଟ ସାରା ବୁଣି ବୁଣି ଯାଇଥିଲେ ଏବଂ ନୀଳମାଧବଙ୍କ ଦର୍ଶନ ପାଇଥିଲେ। କିଛି ଦିନ ପରେ ସୋରିଷ ଗଛ ବାଟ ସାରା ଉଠିଯାଇଥିବାରୁ ଏହାକୁ ଅନୁଧ୍ୟାନ କରି ଏକା ଏକା ନୀଳମାଧବ ପୀଠରେ ପହଞ୍ଚି ଯାଇଥିଲେ। ଚତୁରତାର ସହିତ ନୀଳମାଧବଙ୍କୁ ଚୋରାଇ ନେଇ ଇନ୍ଦ୍ରଦ୍ୟୁମ୍ନଙ୍କ ଦରବାରରେ ପହଞ୍ଚାଇଥିଲେ। ବିଶ୍ୱାବସୁ ନୀଳମାଧବଙ୍କୁ ନପାଇ ପାଗଳପ୍ରାୟ ହେବା ସହ କ୍ରମେ ସମସ୍ତ ବୃତ୍ତାନ୍ତ ଜାଣି ପାରିଥିଲେ। ତେବେ ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ପହଞ୍ଚିବା ପରେ ସ୍ୱୟଂ ନୀଳମାଧବ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଏହା ପରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ପ୍ରଭୁ ନୀଳମାଧବ ଦାରୁ ରୂପରେ ବାଙ୍କି ମୁହାଣ ନିକଟରେ ଆବିର୍ଭାବ ହେବେ। ଏହା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଉକ୍ତ ଦାରୁଙ୍କୁ ଠାବ କରିବା ସହ ପୁରୀରେ ମନ୍ଦିର ତୋଳାଇ ବିଗ୍ରହ ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ନୀଳମାଧବଙ୍କ ପରିବର୍ତ୍ତିତ ରୂପ ଜଗନ୍ନାଥ ବୋଲି ଜଣାଯାଏ।

 

ନୀଳ ପଥରରେ ପ୍ରତିମୂର୍ତ୍ତି ହୋଇଥିବାରୁ ନାମ ନୀଳମାଧବ

ଅନ୍ୟ ଏକ କିଂବଦନ୍ତି ଅନୁଯାୟୀ, ପୁରୁଷୋତ୍ତମ କ୍ଷେତ୍ର ମଧ୍ୟରେ ଅନେକ ଗୁଡ଼ିଏ ପ୍ରସିଦ୍ଧ କ୍ଷେତ୍ର ରହିଛି। ସେଥିମଧ୍ୟରୁ ପଦ୍ମକ୍ଷେତ୍ର ଶ୍ରୀ ନୀଳମାଧବ ପୀଠ ଅନ୍ୟତମ। ମାଧବ ପୁରାଣ ଅନୁସାରେ ସତ୍ୟଯୁଗରେ ଜେନାବଳି ପୁରରେ ନାମାସୁର ଓ କାମାସୁର ନାମକ ରାକ୍ଷସ ଦ୍ୱୟ ବାସ କରୁଥିଲେ। ଏହି ଅସୁର ଦ୍ୱୟ ଭଗବାନ ଶିବଙ୍କ ବରରେ ବଳିଆନ ହୋଇ ତ୍ରିପୁର ବିଜୟ କରି ଦେବତାମାନଙ୍କ ପ୍ରତି ଅତ୍ୟାଚାର କରୁଥିଲେ। ଦେବତାମାନେ ତ୍ରାହି ତ୍ରାହି ଡ଼ାକ ଦେଇ ଭଗବାନ ବିଷ୍ଣୁଙ୍କ ଶରଣ ପଶିଲେ। ଭଗବାନ ବିଷ୍ଣୁ ଦେବତାଙ୍କୁ ଅଭୟ ଦେବା ସହ ବ୍ରହ୍ମାଙ୍କୁ ମର୍ତ୍ତ୍ୟଲୋକରେ ଏକ ଯଜ୍ଞର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଲେ।

 

ବ୍ରହ୍ମା, ମହାନଦୀ ତଟରେ ଅତ୍ୟନ୍ତ ରମଣୀୟ ଦୁଇଟି ପର୍ବତ ନିର୍ମାଣ କଲେ। ଯାହା ବର୍ତ୍ତମାନର କଣ୍ଟିଲୋ ଅଞ୍ଚଳ ବୋଲି କିଂବଦନ୍ତି ରହିଛି। ଏହି ଦୁଇଟି ପର୍ବତ ବ୍ରହ୍ମାଦ୍ରୀ ଓ ପଦ୍ମାଦ୍ରୀ ନାମରେ ନାମିତ ହେଲା। ଏହା ପରେ ସମଗ୍ର ଦେବଗଣ ଓ ବ୍ରହ୍ମା ମିଶି ଉକ୍ତ ପର୍ବତ ଉପରେ ଏକ ଯଜ୍ଞ ଆରମ୍ଭ କଲେ। ଯଜ୍ଞ ଶେଷରେ ଯଜ୍ଞ କୁଣ୍ଡରୁ ମାଧବ ଚତୁର୍ଭୁଜ ରୂପରେ ବାହାରି ଅସୁର ଦ୍ୱୟଙ୍କୁ ବିନାଶ କଲେ। ଯଜ୍ଞ ଅନଳରୁ ବାହାରି ଥିବାରୁ ମାଧବଙ୍କ ଦେହର ଜ୍ୱାଳା ପ୍ରଶମିତ କରିବା ପାଇଁ ଦେବଗଣ ଚନ୍ଦନ ଲାଗି କରାଇ ହଜାର ଉପଚାରରେ ପୂଜା କରିଥିଲେ। ନୀଳ ପଥରରେ ମାଧବଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିବାରୁ ସେ ନୀଳମାଧବ ରୂପେ ପରିଚିତ। ନୀଳମାଧବଙ୍କ ନିକଟରେ ଏବେ ମଧ୍ୟ ସେହି ଚନ୍ଦନ ଲାଗି ପରମ୍ପରା ଅଦ୍ୟାବଧି ଚଳିଆସୁଛି ଏବଂ ଏହାକୁ ସର୍ବାଙ୍ଗ ବୋଲି କୁହାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking