ବାଙ୍ଗାଲୁରୁ : ହତ୍ୟା ଅଭିଯୋଗରେ କନ୍ନଡ ଅଭିନେତା ଦର୍ଶନଙ୍କୁ ପୁଲିସ ଅଟକ ରଖିଛି। ରେଣୁକୁମାରସ୍ୱାମୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରିବା ମାମଲାରେ ତାଙ୍କୁ ଆଜି ପୁଲିସ ତାଙ୍କ ଫାର୍ମ ହାଉସରେ ଚଢ଼ାଉ କରି ତାଙ୍କୁ ନିଜ ହେପାଜତକୁ ଆଣିଛି। ସୂଚନାନୁସାରେ, ଅଭିନେତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ରେଣୁକୁମାରସ୍ୱାମୀ ହଇରାଣ କରୁଥିଲେ। ତାଙ୍କୁ ସୋଶାଲ ମିଡିଆରେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ ୧୦ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।
ତେବେ ମୈସୁର ପୁଲିସ ଅଭିନେତା ଦର୍ଶନଙ୍କୁ ବାଙ୍ଗାଲୁରୁ ଆଣିଛି। ଅଭିନେତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ମଧ୍ୟ ପୁଲିସ ଅଟକ ରଖି ଜେରା କରୁଛି। ରେଣୁକୁମାରସ୍ୱାମୀ ନାମକ ଯୁବକଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାଁ ନେଇଥିଲେ। ଏହି ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଭିଯୁକ୍ତଙ୍କ ସହ ଦର୍ଶନ ବାରମ୍ବାର ଯୋଗାଯୋଗରେ ଥିବା ଅଭିଯୋଗ ହୋଇଛି। ହତ୍ୟା କରାଯାଇଥିବା ଯୁବକଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ରବିବାର ପୀଡିତ ରେଣୁକୁମାରସ୍ୱାମୀଙ୍କ ମୃତଦେହ କାମାକ୍ଷୀପାଲ୍ୟାରେ ଏକ ନାଳରୁ ମିଳିଥିଲା। ଏହାପରେ ପୁଲିସକୁ ଏନେଇ ସୂଚନା ଦିଆଯାଇଥିଲା। ଏହି ମାମଲାରେ ତିନି ଜଣ ବ୍ୟକ୍ତି ସୋମବାର ଥାନାରେ ଆତ୍ମ ସମର୍ପଣ କରିଥିଲେ। ସେମାନଙ୍କୁ ପଚରାଉଚରା ପରେ ସେଥି ମଧ୍ୟରୁ ଜଣେ ଅଭନେତା ଦର୍ଶନଙ୍କ ନାଁ ନେଇଥିଲେ। ତାଙ୍କ କହିବା ଅନୁଯାୟୀ ହିଁ ରେଣୁକୁମାରସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସେ କହିଥିଲେ।