18.1 C
Bhubaneswar
Sunday, January 19, 2025
Homeଅପରାଧକଙ୍ଗାରୁକୋର୍ଟର ଶିକାର ପରିବାର: ଇଚ୍ଛାମୃତ୍ୟୁ ଅନୁମତି ଦିଅ

କଙ୍ଗାରୁକୋର୍ଟର ଶିକାର ପରିବାର: ଇଚ୍ଛାମୃତ୍ୟୁ ଅନୁମତି ଦିଅ

ନୟାଗଡ: ନୟାଗଡ଼ରେ ବନ୍ଦ ହେଉନି କଙ୍ଗାରୁକୋର୍ଟ । ଜିଲ୍ଲାରେ ରାଜକରୁଛି ଅଲିଖିତ କଳା ଆଇନ । ଗାଁ ସଭା ବିଚାରପତି ସାଜି ଦେଉଛି କଠୋର ଦଣ୍ଡ । ଏହାର ଶିକାର ହୋଇ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି ଜଣେ କଙ୍ଗାରୁକୋର୍ଟ ଦ୍ୱାରା ପୀଡ଼ିତ ପରିବାର । ଏପରି ଜଣେ ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଭୋଗିବାକୁ ପଡୁଛି ନିର୍ବାସନଦଣ୍ଡ ।

ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳ ପିମ୍ପଲ ଗାଁର ସୀତା ବେହେରା ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଆବେଦନ କରିବା ସହ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ପତ୍ର । ସୀତାଙ୍କ ପରିବାରର ଭୁଲ ଏତିକି, ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ପଦବୀ ପାଇଁ ନିର୍ବାଚନ ଲଢ଼ିଥିଲେ ସୀତାଙ୍କ ସ୍ୱାମୀ ନୀଳକଣ୍ଠ ବେହେରା । ନୀଳକଣ୍ଠ ବିଜେପି ସମର୍ଥନରେ ନିର୍ବାଚନ ଲଢ଼ିଥିବା ବେଳେ ଏହି ଗାଁ ର ବିଜେଡି ସମର୍ôଥତ ସରପଞ୍ଚଙ୍କ ବିପକ୍ଷରେ ଯାଇଥିଲେ । ଫଳରେ କଙ୍ଗାରୁ କୋର୍ଟ ବସି ସୀତାଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରାଇବା ସହ ଗାଁ ର କୌଣସି ବ୍ୟକ୍ତି ଏହି ପରିବାର ସହ କଥା ନ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଖାଲି ସେତିକି ନୁହେଁ ମନ୍ଦିର ଓ ପୋଖରୀ ମଧ୍ୟ ଏହି ପରିବାରକୁ ବାରଣ କରାଯାଇଛି । ନିଜ ଚାଷଜମିକୁ ମଧ୍ୟ ସେମାନେ ଯାଇପାରୁ ନାହାନ୍ତି କି ଚାଷ କରିପାରୁନାହାନ୍ତି । ତେବେ ଗତ କିଛିଦିନ ତଳେ ସୀତାଙ୍କୁ ଗାଁ ର ଶତାୟୁ ସ୍ୱାଧୀନତା ସଂଗ୍ରାମୀ କୁନ୍ତଳା ଦେବୀଙ୍କ ପରିବାର ନିଜ ନାତିର ବ୍ରତୋପନୟନକୁ ଡାକିଥିବାରୁ ପୁଣି ବସିଥିଲା କଙ୍ଗାରୁ କୋର୍ଟ । କୁନ୍ତଳାଙ୍କ ପରିବାରକୁ ମଧ୍ୟ ନିର୍ବାସନ ଦଣ୍ଡରେ ଦଣ୍ଡିତ କରାଯାଇଥିବା ଜଣାଯାଇଛି । ତେବେ ବାରମ୍ବାର ଆକ୍ରମଣ ଏବଂ ନିର୍ବାସନ ଦଣ୍ଡ ବିଷୟରେ ରଣପୁର ଥାନାରେ ୩ଥର ଲିଖିତ ଏତଲା ଦେବାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଏତଲା ପଞ୍ଜିକୃତ ମଧ୍ୟ କରି ନ ଥିଲା ।

ପରେ ନୟାଗଡ଼ ଏସ୍‌ପି, କଲେକ୍ଟରଙ୍କୁ ଭେଟି ଅଭିଯୋଗ କରିଥିଲେ ସୀତା । ତେବେ କେହି ଶୁଣି ନ ଥିଲେ ଗୁହାରୀ । ଶେଷରେ ଇଚ୍ଛାମୃତ୍ୟୁ ଆବେଦନ କରିଛନ୍ତି ଏହି ପରିବାର । ତେବେ ଗାଁରେ କଙ୍ଗାରୁ କୋର୍ଟ ହୋଇନାହିଁ ବୋଲି କହିଛନ୍ତି ଗାଁ କମିଟି ସଭ୍ୟ ସହଦେବ ସ୍ୱାଇଁ । ଜିଲ୍ଲା ଅତିରିକ୍ତ ଏସ୍‌ପି ଉମାକାନ୍ତ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରେ ଏଭଳି ଅଭିଯୋଗ ଆସିବା ପରେ ସଂପୃକ୍ତ ଅଭିଯୋଗକାରୀ ଠାରୁ ଏତଲା ଗ୍ରହଣ କରି ଥାନାରେ ମାମଲା ରୁଜୁ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ରଣପୁର ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ଆଇନକୁ ଅଧିକ ଲୋକାଭିମୁଖୀ କରିବାପାଇଁ ଆଇନ ବିଭାଗକୁ ଡିଜିଟାଲ ସହ ସଂସ୍କାରିତ କରିବାକୁ ସରକାର ପ୍ରକ୍ରିୟା କରୁଥିବା ବେଳେ ଏଭଳି ତାଲିବାନୀ ଘଟଣାର ପୂର୍ଣ୍ଣଛେଦ ପଡ଼ିବାର ନାଁ ନେଉ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking