ରାଉରକେଲା : ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଆସ ଆମେ ବସ୍ତିକୁ ଯିବା ଅଭିଯାନ ଆଜି କଲ୍ୟାଣୀ ବସ୍ତି ପରିକ୍ରମା କରିଥିଲା l ଏହି ଅବସରରେ ଉପସ୍ଥିତ ବସ୍ତି ବାସିନ୍ଦାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ପ୍ରଶାନ୍ତ l ବସ୍ତିରେ ସରକାରୀ ଯୋଜନା ସବୁ କିଭଳି କାର୍ଯ୍ୟକାରୀ ହେଉଛି, ଏଥିରୁ ସାଧାରଣ ଗରିବ ହିତାଧିକାରୀ ଉପକୃତ ହେଉଛନ୍ତି ନା ନାହିଁ, ସରକାରୀ ସହାୟତା ଉଚିତ ସମୟରେ ଉପଲବ୍ଧ ହେଉଛି ନା ବିଳମ୍ବ ହେଉଛି ସେନେଇ ତଥ୍ୟ ସଂଗ୍ରହ କରିଥିଲେ ପ୍ରଶାନ୍ତ l ଘରକୁ ଘର ବୁଲି ଜନ ସମ୍ପର୍କ ଅଭିଯାନ ମାଧ୍ୟମରେ ଆଞ୍ଚଳିକ ସମସ୍ୟା ସହ ବ୍ୟକ୍ତିଗତ ଅଭାବ ଅସୁବିଧା ସମ୍ବଦ୍ଧରେ ପଚାରି ବୁଝିଥିଲେ ସେ l ଏହି ବସ୍ତିରେ ପାଇପ ଲାଇନ ବିଛା ଯାଇଥିବା ସତ୍ୱେ ପାଣି ଆସୁ ନାହିଁ, ମାଟି ରାସ୍ତା କଂକ୍ରିଟ କରାଯାଇ ନାହିଁ କି ଡ୍ରେନ ମଧ୍ୟ ନିର୍ମାଣ ନେଇ ପଦକ୍ଷେପ ନିଆ ଯାଉନି ବୋଲି ଅଭିଯୋଗ ହୋଇଥିଲା l
ପ୍ରତି ବର୍ଷ ବର୍ଷା ଋତୁ ଆସିଲେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ l ବସ୍ତି ବିକାଶକୁ ଗୁରୁତ୍ୱ ଦେଇ ଆସୁଥିବା ଏବଂ ଜନ ସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ପ୍ରଶାନ୍ତ କହିଥିଲେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଏଭଳି ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରାଥମିକତା ଭିତ୍ତିରେ ସେ ନିଶ୍ଚିତ ଧ୍ୟାନ ଦେବେ l ଏହି କାର୍ଯ୍ୟକ୍ରମରେ ତ୍ରିଲୋଚନ ପଣ୍ଡା, ଜିତେନ୍ଦ୍ର ସାହୁ, ଲକ୍ଷ୍ମଣ ରାଉତ, ଦୀପକ ସାହୁ ଶୁକଦେବ ମହାରାଜ, ବିଶ୍ୱରଂଜନ ରାଉତ, ସୌମ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l