ଭୁବନେଶ୍ୱର: କନିଷ୍ଠ ଶିକ୍ଷକଙ୍କ ପାଇଁ ବଡ ଖୁସି ଖବର ଦେଇଛନ୍ତି ସରକାର । କନିଷ୍ଠ ଶିକ୍ଷକ(ସ୍କିମାଟିକ୍)ଙ୍କର ଦରମା ବଢାଇଛନ୍ତି । ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନଙ୍କ ପାରିଶ୍ରମିକ ମାସିକ ୧୧ ହଜାର ଶହେ ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ମିଳିବ । ସମଗ୍ର ଶିକ୍ଷା ସ୍କିମ୍ ଅନୁସାରେ ପୂର୍ବରୁ ମାସିକ ୧୧ ହଜାର ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏବେ ଏହାକୁ ୧୬ ହଜାରକୁ ସରକାର ବୃଦ୍ଧି କରିଛନ୍ତି । ଆଜିଠାରୁ ହିଁ ଏହି ବର୍ଦ୍ଧିତ ଦରମା ମିଳିବା ନେଇ ସ୍ପଷ୍ଟ କରିଛନ୍ତି ସରକାର । ଏଥିରେ ଉପକୃତ ହେବେ ୧୩ ହଜାର ୭୪୦ ଶିକ୍ଷକ। ତେବେ ପୂର୍ବରୁ ବିଭିନ୍ନ ଦାବି ନେଇ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନ କରିଥିଲେ । ଯାହାକୁ ଦୃଷ୍ଟି ରଖି ସରକାର ଆଜି ତାଙ୍କ ଦରମା ବୃଦ୍ଧି ଦାବି ପୂରଣ କରିଛନ୍ତି ।