କଟକ: ରାଜ୍ୟର ୯ ହଜାର ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଉଛି । ତେବେ ପେନ୍ସନ୍ ପାଇଁ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କଟକ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମଙ୍ଗରାଜ କହିଥିଲେ ଯେ ‘କୋଭିଡ୍ ମହାମାରୀ ସମୟରେ ମୃତ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି ।
ରାଜ୍ୟର ୪୮ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ସହାୟତା ରାଶି ଯୋଗାଇ ଦିଆଯାଇଛି । ଯାହାକି ସାରା ଦେଶରେ ପ୍ରଥମ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ । ଅନ୍ୟପକ୍ଷରେ ସମାଜର ମଙ୍ଗଳ ପାଇଁ ତଥା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ କାମ କରିବାକୁ ଶ୍ରୀ ମଙ୍ଗରାଜ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନରସିଂହପୁର ସାମ୍ବାଦିକ ସଂଘର ସଭାପତି ଦେବୀପ୍ରସାଦ ରଥ ସଭାପତିତ୍ୱ କରିଥିବାବେଳେ ବିଧାୟକ ଦେବୀପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ଟି ସାମ୍ବାଦିକ ସଙ୍ଘ ଉତ୍ସବରେ ଯୋଗଦେଇଥିଲେ ।