କଟକ: ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମାମଲାରେ ବିଜୟୀ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପକ୍ଷରୁ ତଥ୍ୟ ଦାଖଲ କରିବାକୁ ଆଜି ହାଇକୋର୍ଟରେ ମହଲତ ଆବେଦନ କରାଯାଇଥିଲା । ଏହି ମାମଲଶରେ ଲିଖିତ ଯୁକ୍ତି ଉପସ୍ଥାପନ କରିବା ପାଇଁ ତାଙ୍କୁ ସମସ୍ତ ତଥ୍ୟ ମିଳିନଥିବାରୁ ସେ ଏଥିପାଇଁ ମହଲତ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରି ଆସନ୍ତା ୨୫ ତାରିଖ ପୂର୍ବରୁ ତଥ୍ୟ ଦାଖଲ କରିବାକୁ ଆଦେଶ ଳଦେଇଛନ୍ତି । ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟର ବିଚାରପତି ଶଶୀକାନ୍ତ ମିଶ୍ରଙ୍କ ଇଜିଲାସ ଆଦେଶ ଦେଇଛନ୍ତି । ସୂଚନାଥାଉକି ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପରାଜିତ ପ୍ରାର୍ଥୀ ଦିପାଳୀ ଦାସ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ବିଜୟୀ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ନିର୍ବାଚନକୁ ଖାରଜ କରିବାକୁ ସେ ଆବେଦନ କରିଛନ୍ତି । ଦୀପାଳୀ ଦାସ ଦର୍ଶାଇଛନ୍ତି ଯେ ନାମାଙ୍କନପତ୍ର ଦାଖଲ କଲାବେଳେ ଟଙ୍କଧର ତ୍ରିପାଠୀ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଏହା ଅସତ୍ୟ ତଥ୍ୟ ଉପରେ ଆଧାରିତ ହୋଇଥିବାରୁ ତାଙ୍କ ନିର୍ବାଚନକୁ ଖାରଜ କରିବାକୁ ସେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ବିଶେଷ କରି ଶ୍ରୀ ତ୍ରିପାଠୀଙ୍କ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କରେ ସେ ସବିଶେଷ ତଥ୍ୟ ପ୍ରଦାନ କରିନାହଁନ୍ତି ବୋଲି ରୁଜୁ ମାମଲାରେ ଦର୍ଶାଯାଇଛି ।