30.1 C
Bhubaneswar
Monday, May 20, 2024
Homeଓଡିଶାଝରାଫୁଲ ମୃତ୍ୟୁ ରହସ୍ୟ : ଶେଖରକୁ କାହିଁକି ଧରିପାରୁନି ଯାଜପୁର ପୋଲିସ

ଝରାଫୁଲ ମୃତ୍ୟୁ ରହସ୍ୟ : ଶେଖରକୁ କାହିଁକି ଧରିପାରୁନି ଯାଜପୁର ପୋଲିସ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଗିରଫ ହୋଇସାରିଛି । ସମସ୍ତ ତଥ୍ୟପ୍ରମାଣ ମଧ୍ୟ ପୋଲିସ ହାତରେ ଲାଗିଛି । ହେଲେ ଝରାଫୁଲ ମୃତ୍ୟୁ ରହସ୍ୟକୁ ଯାଜପୁର ପୁଲିସ କାହିଁକି ସାର୍ବଜନିନ କରୁନାହିଁ ବୋଲି ପ୍ରଶ୍ନ ଉଠିଛି । ଝରାଫୁଲଙ୍କ କେମିତି ମୃତ୍ୟୁ ହେଲା? ବିଷକ୍ରିୟା ନା ତାଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା? ଭିସେରା ରିପୋର୍ଟରେ କ’ଣ ଆସିଥିଲା? ବ୍ୟବଚ୍ଛେଦ ରିପୋର୍ଟରେ କ’ଣ ଆସିଥିଲା? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଝରାଫୁଲର ପରିବାରଲୋକଙ୍କ ସମେତ ସାଧାରଣଲୋକେ ଚାହିଁ ବସିଛନ୍ତି । ଏହାସହ ପୁଲିସ ରିପୋର୍ଟକୁ ସାର୍ବଜନିନ ନକରିବା ସହ ତଦନ୍ତରେ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏହାରି ଭିତରେ ଯାଜପୁର ପୁଲିସ ଝରାଫୁଲ ମୃତ୍ୟୁ ମାମଲାର ଚାର୍ଜସିଟ୍ ପ୍ରସ୍ତୁତ କରିସାରିଛି। ଖୁବ୍ ଶୀଘ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ ବୋଲି ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି ।

କମିଶନରେଟ୍ ପୁଲିସର ଏୟାରଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ରାକେଶକୁ ୨୮ ତାରିଖ ସନ୍ଧ୍ୟାରେ ସୁନ୍ଦରପଦା ଅଞ୍ଚଳରୁ ଗିରଫ କରି ଯାଜପୁର ପୁଲିସ ହେପାଜତକୁ ଦେଇଥିଲା । ନିୟମ ଅନୁସାରେ ଗିରଫ ହେବାର ୬୦ ଦିନ ମଧ୍ୟରେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ଦାଖଲ ହେବା ଦରକାର । ଏନେଇ ପୁଲିସ ସମସ୍ତ ସାକ୍ଷ୍ୟପ୍ରମାଣ ସମେତ ଅଭିଯୁକ୍ତ ବୟାନକୁ ରେକର୍ଡ କରି ଚାର୍ଜସିଟ୍ ପ୍ରସ୍ତୁତ କରିସାରିଛି। ଆସନ୍ତା ୨୮ ତାରିଖକୁ ୬୦ଦିନ ପୁରୁଛି । ତା’ ପୂର୍ବରୁ କୋର୍ଟରେ ଚାର୍ଜସିଟ୍ ଦାଖଲ ହେବ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁର ସହଯୋଗୀ ତଥା ସମ୍ପର୍କୀୟ ଭାଇ ଶକ୍ତିଶେଖର ସ୍ୱାଇଁ ପୁଲିସ ହାତରେ ଧରାପଡି ନାହିଁ । ଘଟଣା ପରେ ଶେଖର ରାଜ୍ୟ ବାହାରକୁ ପଳାଇଯାଇଥିବା ଜଣାପଡ଼ିଛି । ଏସମ୍ପର୍କରେ ପୁଲିସ ମଧ୍ୟ ଅବଗତ ଅଛି । ହେଲେ ଶେଖର ରାଜ୍ୟ ବାହାରେ କେଉଁଠି ରହୁଛି, ସେସମ୍ପର୍କରେ ତଥ୍ୟ ହାସଲ କରିପାରୁ ନାହିଁ । ଏଇଠି କଥା ଉଠୁଛି, ୨୨ବର୍ଷ ତଳ ଘଟଣାର ଅଭିଯୁକ୍ତ ବିବନକୁ କମିଶନରେଟ୍ ପୁଲିସ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍‌ରୁ ଗିରଫ କରିବାରେ ସଫଳ ହୋଇଥିବାବେଳେ, ଯାଜପୁର ପୁଲିସ ଶେଖରକୁ ଧରିବା ପାଇଁ କାହିଁକି ଚେଷ୍ଟା କରୁନାହିଁ? କାହିଁକି ତା’ ପରିବାର ଉପରେ ନଜର ରଖି ଶେଖର ସମ୍ପର୍କରେ ତଥ୍ୟ ହାସଲ କରିପାରୁ ନାହିଁ? ଏହିସବୁ ଦିଗକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ଝରାଫୁଲ ମୃତ୍ୟୁ ମାମଲାର ତଦନ୍ତରେ ପୁଲିସ ପୂର୍ଣ୍ଣଛେଦ ପକାଇଦେଇଛି ।

କମିଶନରେଟ୍ ପୁଲିସ ପୁରୁଣା କେସ୍ ଫାଇଲ ରି-ଓପନ କରି ୧୨ବର୍ଷ, ୨୨ବର୍ଷ ତଳର ଅପରାଧୀଙ୍କୁ ପାତାଳରୁ ଖୋଜିଆଣୁଛି । ତେବେ ଝରାଫୁଲ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଶେଖରକୁ କାହିଁକି ଯାଜପୁର ପୁଲିସ ଧରିପାରୁନାହିଁ ବୋଲି ସାଧାରଣଲୋକେ ପ୍ରଶ୍ନ କରିଛନ୍ତି। ଏସମ୍ପର୍କରେ ଯାଜପୁର ଏସ୍‌ଡିପିଓ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି । ଶେଖରକୁ ମଧ୍ୟ ଖୋଜାଖୋଜି ଚାଲିଛି । ତାର ସୁରାକ୍ ପାଇବା ମାତ୍ରେ ଗିରଫ କରାଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking