ଯାଜପୁର:ଆଜି ଭଦ୍ରକ ଜିଲାରେ ଚିହ୍ନଟ ହୋଇଥିବା ଜଣେ କୋରୋନା ପଜିଟିଭଙ୍କ ଲିଙ୍କ ଯାଜପୁର ସହିତ ରହିଛି । କଲିକତାକୁ କିଛି ଲୋକ ମାରୁତି ଓମନି ଗାଡିରେ ଗତ ମାସ ୨୯ ତାରିଖରେ କଲିକତାରୁ ବାହାରି ୩୦ ତାରିଖରେ ଓଡିଶାରେ ପହଂଚିଥିଲେ । ସେହି ଗାଡିରେ ଯାଜପୁର ଜିଲାର ୬ ଜଣ ଆସିଥିବା ବେଳେ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ କେତେକ ଷଠିପୁରରେ ଓହ୍ଲାଇ ଥାଇପାରନ୍ତି । ସେହି ଗାଡିରେ ଆସିଥିବା ଲୋକଙ୍କ ମଧ୍ୟରେ ଭଦ୍ରକ ଜିଲାର ଜଣେ ବ୍ୟକ୍ତି ଏବେ କୋରୋନା ପଜିଟିଭ ଭାବେ ଚିହ୍ନଟ ହେବା ପରେ ଯାଜପୁର ଜିଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି । ସେଥିପାଇଁ ଯଦି କୌଣସି ବ୍ୟକ୍ତି ୩୦ ତାରିଖ ସକାଳ ପର ଠାରୁ ସଠିପୁର କିମ୍ବା ଯାଜପୁର ଜିଲାରେ ପହଂଚିଥାନ୍ତି ତା ହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ସହିତ ନିଜେ କ୍ୱାରେନଟାଇନରେ ରହିବାକୁ ଯାଜପୁର ଜିଲାପାଳ ନିବେଦନ କରିଛନ୍ତି । ଆଜି ଏହି ସୂଚନା ମିଳିବା ପରେ ଜିଲାର ସମସ୍ତ ସୀମାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆକ୍ରାନ୍ତଙ୍କ ଘର ପଡୋଶୀ ଭଦ୍ରକ ଜିଲା ହୋଇଥିବାରୁ ତୁରନ୍ତ ଭଦ୍ରକ ସୀମାରେ ଅଧିକ ଯାଂଚ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।