ଭୁୁବନେଶ୍ୱର: ଜଗତସିଂହପୁର ଜ଼ିଲ୍ଲାରେ ଆନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ରାଜ୍ୟ ପାଇଁ ସୁନାମ ଆଣିଲେ ଜଗତସିଂହପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ। ଏହି ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟରେ ପ୍ରଥମ ହୋଇଛନ୍ତି । ଯାହାଫଳରେ ଏମାନେ ଦିଲ୍ଲୀରେ କରିବେ ନାଟ୍ୟ ପ୍ରଦର୍ଶନ। ଭୁବନେଶ୍ୱରସ୍ଥିତ ପ୍ରାଥମିକ ଶିକ୍ଷକ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାଳିକା ସୁରକ୍ଷା ଉପରେ ଆଧାରିତ ରାଜ୍ୟସ୍ତରୀୟ ରୋଲପ୍ଲେ ଅଭିନୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜଗତସିଂହପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
ରାଜ୍ୟର ସମସ୍ତ ଜିଲ୍ଲା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ଜଗତସିଂହପୁର ଜିଲ୍ଲାର ଏହି ଟିମ୍ ସମସ୍ତଙ୍କୁ ବାଜିମାତ କରି ପ୍ରଥମସ୍ଥାନ ଅଧିକାର କରିଛି।ବିଦ୍ୟାଳୟ ତରଫରୁ ଏହି ପ୍ରତିଯୋଗିତାରେ ଏକ ୫ ଜଣିଆ ଟିମ ଅଂଶଗ୍ରହଣ କରିଥିଲା । ଦିଲ୍ଲୀ ଠାରେ ହେବାକୁ ଥିବା ନାଟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବାକୁ ଚୟନ ହୋଇଛି ଜଗତସିଂହପୁର ଟିମ୍ । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କଲା ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ଛାତ୍ରୀମାନଙ୍କୁ ମାନପତ୍ର ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।
ତେବେ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମଗ୍ର ଅଞ୍ଚଳରୁ ଏହି ବିଦ୍ୟାଳୟର ଛାତ୍ରୀମାନଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି । ପିଲାମାନେ ସ୍କୁଲରେ ପହଂଚିବା ପରେ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ତଥା ଅଭିଭାବକ ମାନେ ପିଲାମଙ୍କୁ ଉତ୍ସାହିତ କରିବା ସହିତ ସ୍ୱାଗତ କରିଥିଲେ । ପିଲାମାନେ ଦିଲ୍ଲୀରେ କିପରି ଭଲ ପଦର୍ଶନ କରି ରାଜ୍ୟର ନାମକୁ ବିକଶିତ କରିବେ ସେଥିପ୍ରତି ଆର୍ଶିବାଦ କରିଥିଲେ ।