ଭୁବନେଶ୍ୱର: ଅହମ୍ମଦାବାଦଠାରେ ଚାଲିଥିବା ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍)ରେ ବୁଧବାର ଓଡ଼ିଶା ଏଫ୍ସି (ଓଏଫ୍ସି) ତା’ର ଦ୍ୱିତୀୟ ବିଜୟ ହାସଲ କରିଛି । ଦଳ ପ୍ରତିଯୋଗିତାରେ ତା’ର ତୃତୀୟ ମ୍ୟାଚ୍ରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍କୁ ଭେଟିଥିବା ବେଳେ ଏଥିରେ ୪-୦ରେ ବିଜୟୀ ହୋଇଛି । ଦଳ ପକ୍ଷରୁ ସପ୍ତଦଶ ମିନିଟ୍ରେ ଅଧିନାୟକା ଏନ. ବାଲା ଦେବୀଙ୍କ ସହଯୋଗ କ୍ରମେ ଅଞ୍ଜୁ ତମାଙ୍ଗ ପ୍ରଥମ ଗୋଲ୍ ଦେଇଥିଲେ ।
ପରେ ୨୫ତମ ମିନିଟ୍ରେ ଅଞ୍ଜୁଙ୍କଠାରୁ ପାଇଥିବା ପାସ୍କୁ ଅଧିନାୟିକା ବାଲା ଦେବୀ ଗୋଲ୍ରେ ପରିଣତ କରି ଓଏଫ୍ସିକୁ ୨-୦ରେ ଆଗୁଆ କରାଇଥିଲେ । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଦଳ ଏହି ଅଗ୍ରଣୀକୁ ବଜାୟ ରଖିଥିଲା । ଦ୍ୱିତୀୟାର୍ଦ୍ଧ ଖେଳ ପ୍ରାରମ୍ଭରେ ଓଏଫ୍ସି ପକ୍ଷରୁ ଗ୍ରେସ୍ ହାଉନର୍ ସାଥୀ ଖେଳାଳି ଯଶୋଦା ମୁଣ୍ଡାଙ୍କ ପାସ୍ରୁ ତୃତୀୟ ଗୋଲ୍ ଦେଇଥିଲେ ।
ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ଗୋଲ୍ ପାଇଁ ଏକାଧିକ ଉଦ୍ୟମ କରିଥିଲେ ମଧ୍ୟ ଖେଳାଳିମାନେ ଓଏଫ୍ସିର ଡିଫେନ୍ସକୁ ପରାହତ କରିବାରେ ବିଫଳ ହୋଇଥିଲେ । ଅଧିକନ୍ତୁ ଓଏଫ୍ସି ପକ୍ଷରୁ ସେର୍ଟୋ ଲିଣ୍ଡା କୋମ୍ ଚତୁର୍ଥ ଗୋଲ୍ ସ୍କୋର୍ କରିଥିଲେ । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ କୌଣସି ଗୋଲ୍ ଦେବାରେ ସକ୍ଷମ ନ ହେବା ଫଳରେ ଓଏଫ୍ସି ବିଜୟୀ ହୋଇଥିଲା । ପ୍ରତିଯୋଗିତାରେ ଓଏଫ୍ସି ଆସନ୍ତା ୫ରେ ତା’ର ଚତୁର୍ଥ ମ୍ୟାଚ୍ ଚର୍ଚ୍ଚିଲ୍ ବ୍ରଦର୍ସ ଏଫ୍ସ ବିପକ୍ଷରେ ଖେଳିବ ।