ଭୁବନେଶ୍ୱର: ନାଗରିକ ସଂଶୋଧନ ବିଲକୁ ନେଇ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଚାଲିଛି ଛକାପଂଝା | ଲୋକସଭାରେ ବିଜେପି ସଫଳତାର ସହ ପାର ହୋଇଥିଲା ବେଳେ ରାଜ୍ୟସଭାରେ ସଙ୍କଟରେ ପଡିଛି | କଂଗ୍ରେସ ଦେଶବ୍ୟାପୀ ବିଲ୍ ବିରୁଦ୍ଧରେ ପ୍ରତିବାଦ କରି ଜନମତ ସୃଷ୍ଟି କରିବାରେ ଲାଗିଛି | ଦେଶର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଜୋରଦାର ପ୍ରଚିବାଦ ଚାଲିଛି | ରେଜ୍ୟସଭାରେ ବିଲ ପାସ୍ ପାଇଁ ବିଜେପି ପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ | ଏଣୁ ବିଜେପିର ନାକ କଟୁଛି କି ରହୁଛି ତାହା ଦେଖିବା କଥା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୋଟି ଚାଳନା କେତେଦୂର ସଫଳ ହେଉଛି ତାହା ଉପରେ ଦଳ ଓ ସରକାରର ମର୍ଯ୍ୟାଦା ନିର୍ଭର କରୁଛି | ବିଜେପିକୁ ସମର୍ଥନ ଦେବା ପାଇଁ କିଛି ଦଳ ଇତି ମଧ୍ୟରେ ଆଗେଇ ଆସିଛନ୍ତି | ହେଲେ ଶିବସେନା ଲୋକସଭାରେ ସମର୍ଥନ ଦେଇଥିବା ବେଳେ ଏବେ କଂଗ୍ରେସ ଚାପରେ ପଡି ରାଜ୍ୟସଭାରେ ସମର୍ଥନ ଦେବ ନାହିଁ ବୋଲି ଜଣା ପଡିଛି |
ରାଜ୍ୟସଭାରେ ଏହି ବିଲକୁ ନେଇ ଘମାଘୋଟ ଆଲୋଚନା ଚାଲିଛି | ଆଲୋଚନାର ନିର୍ଯ୍ୟାସକୁ ଅପେକ୍ଷା କରା ଯାଇଛି |ରାଜ୍ୟସଭାରେ ବର୍ତ୍ତମାନ ସଦସ୍ୟ ସଂଖ୍ୟା 240 ରହିଛି | ବିଲ୍ ଗୃହୀତ ପାଇଁ 221 ସଦସ୍ୟଙ୍କର ଆବଶ୍ୟକ ରହିଛି | କିନ୍ତୁ ବିଜେପି ଓ ତାର ସହଯୋଗୀଙ୍କ ହାତରେ ଏତେ ସଂଖ୍ୟା ନାହିଁ | ବିଜେଡି, ଓ୍ୱାଇଏସଆର କଂଗ୍ରେସ ସମର୍ଥନ ଦେବାକୁ କହି ସାରିଛନ୍ତି | ଜେଡିୟୁ ଏନଡିଏର ସହଯୋଗୀ ହୋଇଥିଲେ ବି ଦଳ ଭିତରେ ବିଲକୁ ନେଇ ମତଭେଦ ରହିଛି | ସମର୍ଥନ ନଦେବା ପାଇଁ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ଚାପ ପଡୁଛି | କିନ୍ତୁ ବିଜେପି ଇତି ମଧ୍ୟରେ 128 ଜଣ ସଦସ୍ୟଙ୍କ ସମର୍ଥନ ଯୋଗାଡ କରି ସାରିଥିବା ଜଣା ପଡିଛି | ବିଜେପି 128 ଜଣଙ୍କ ସମର୍ଥନ ଜୁଟାଇଥିଲେ ମଧ୍ୟ ଯଦି ଏଥିରୁ କିଛି ଶେଷ ମୁହୂର୍ତ୍ତରେ ଖସି ଯାଆନ୍ତି ତେବେ ସମସ୍ୟା ହେବ |
ପାକିସ୍ତାନ ,ଆଫଗାନିସ୍ତାନ ଓ ବାଂଲାଦେଶରୁ ଆସିଥିବା ଲୋକଙ୍କୁ ଭାରତର ନାଗରିକତା ମିଳୁ | ଏଥିରେ ହିନ୍ଦୁ,ଶିଖ,ବୌଦ୍ଧ,ଜୈନ,ପାର୍ସୀ ଓ ଖ୍ରୀଷ୍ଟିଆନ ଶରଣାର୍ଥୀଙ୍କୁ ନାଗରିକତା ମିଳିବ | ଯିଏ ଯେଉଁ ତାରିଖରେ ଆସିଥିଲେ ସେହି ତାରିଖରୁ ଭାରତର ନାଗରିକତା ପାଇବେ, କିନ୍ତୁ ବାଂଲାଦେଶ,ଆଫଗାନିସ୍ତାନ ଓ ପାକିସ୍ତାନରୁ ଆସିଥିବା ମୁସଲିମଙ୍କୁ ନାଗରିକତା ମିଳିବ ନାହିଁ |ଏହି ବିଲର ବ୍ୟବସ୍ଥାକୁ ନେଇ ଜୋରଦାର ବିରୋଧ ଚାଲିଛି | ଆସାମ,ନାଗାଲାଣ୍ଡ,ତ୍ରିପୁରା,ମଣିପୁର ପ୍ରଭୃତି ରାଜ୍ୟଗୁଡିକରେ ପରିସ୍ଥିତି ଜଟିଳ ହୋଇଛି | ଅଧିକାଂଶ ସ୍ଥାନରେ ସେନା ମୁତୟନ ହୋଇଛି |